ଏଜ୍ବାଷ୍ଟନ୍ (ବର୍ମିଂହାମ): ଆସେସ୍ ଶୃଙ୍ଖଳାର ପ୍ରଥମ ଟେଷ୍ଟ୍କୁ ବିଶ୍ବ ବିଜେତା ଅଷ୍ଟ୍ରେଲିଆ ରୋମାଞ୍ଚକ ଭାବେ ୨ ୱିକେଟ୍ରେ ଜିତି ନେଇଛି। ବର୍ମିଂହାମର ଏଜ୍ବାଷ୍ଟନ୍ରେ ଖେଳାଯାଇଥିବା ଏହି ଟେଷ୍ଟ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆ ସମ୍ମୁଖରେ ୨୮୧ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା। ଉସମାନ ଖୱାଜାଙ୍କ ବ୍ୟତୀତ କଙ୍ଗାରୁ ଦଳ ପାଇଁ କେହି ଲମ୍ବା ଲଢ଼ି ପାରିନଥିଲେ। ବିଜୟ ପାଇଁ ଆହୁରି ୫୪ ରନ୍ ଆବଶ୍ୟକ ଥିବାବେଳେ ଅଷ୍ଟ୍ରେଲିଆ ଅଷ୍ଟମ ୱିକେଟ୍ ହରାଇଥିଲା। କିନ୍ତୁ ଅଧିନାୟକ ପ୍ୟାଟ୍ କମିନ୍ସ (୭୩ ବଲ୍ରୁ ୪୪* ରନ୍) ଏବଂ ନାଥନ୍ ଲାୟନ୍ (୨୮ ବଲରୁ ୧୬* ରନ୍) ନବମ ୱିକେଟ୍ ପାଇଁ ୧୨ ଓଭରରୁ ୫୫* ରନ୍ ଯୋଡ଼ି ଇଂଲଣ୍ଡ ହାତାରୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ। ରବିନସନଙ୍କୁ ଥାର୍ଡ ମ୍ୟାନ୍ ଅଞ୍ଚଳକୁ ଚୌକା (ମିସ୍ଫିଲ୍ଡ) ମାରି କମିନ୍ସ ମଧ୍ୟ ଏହି ସ୍ମରଣୀୟ ବିଜୟର ମୁଣ୍ଡି ମାରିଥିଲେ। ଏଥି ସହ ଅଷ୍ଟ୍ରେଲିଆ ମଧ୍ୟ ୨୦୦୫ ମସିହା ଏଜବାଷ୍ଟନ୍ ପରାଜୟ ସ୍ମୃତିକୁ ଭୁଲିଯାଇଛି। ୧୮ ବର୍ଷ ତଳେ ସମାନ ପରିସ୍ଥିତିରେ ୨୮୨ ରନ୍କୁ ପିଛା କରିଥିବା ଅଷ୍ଟ୍ରେଲିଆ ୨ ରନ୍ରେ ହାରିଯାଇଥିଲା।
ମଙ୍ଗଳବାର ପଞ୍ଚମ ତଥା ଅନ୍ତିମ ଦିବସରେ ବର୍ଷାରୁ ଅଭିଯାନ ଆରମ୍ଭ ହୋଇଥିଲା। ମଧ୍ୟାହ୍ନ ଭୋଜନ ପୂର୍ବରୁ ଖେଳ ସମ୍ଭବ ହୋଇନଥିଲା। ଏପରିକି ଓଦା ପଡ଼ିଆ କାରଣରୁ ମଧ୍ୟାହ୍ନ ଭୋଜନ ପରେ ତୁରନ୍ତ ଖେଳ ଆରମ୍ଭ ସମ୍ଭବ ହୋଇନଥିଲା। ଦ୍ବିତୀୟ ଅଧିବେସନର କିଛି ସମୟ ପରେ ଖେଳ ଆରମ୍ଭ ହୋଇଥିଲା। କିନ୍ତୁ ପ୍ରାରମ୍ଭିକ ବ୍ୟାଟର୍ ଉସମାନ ଖୱାଜା ଓ ନାଇଟ୍ ୱାଚମ୍ୟାନ୍ ସ୍କଟ୍ ବୋଲାଣ୍ଡ୍ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଇଂଲଣ୍ଡକୁ ପ୍ରାରମ୍ଭିକ ସଫଳତା ଦେଇନଥିଲେ। ବ୍ୟକ୍ତିଗତ ସର୍ବାଧିକ ସ୍କୋର୍ ସହ ବୋଲାଣ୍ଡ (୨୦) ବ୍ରଡଙ୍କ ତୃତୀୟ ଶିକାର ହୋଇଥିଲେ। ଟ୍ରାଭିସ୍ ହେଡ୍ ଅଧିକ ସମୟ ରହିନଥିଲେ। ମୋଇନ୍ ଅଲୀଙ୍କ ଏକ ଓଭରର ପ୍ରଥମ ୩ ବଲରୁ ୧୦ ରନ୍ (୨ ଚୌକା ସହ) ଆଦାୟ କରିଥିଲେ ମଧ୍ୟ ସ୍ଲିପ୍ରେ କ୍ୟାଚ୍ ଦେଇ ଫେରିଥିଲେ। ଖୱାଜାଙ୍କ ସହ କାମେରନ୍ ଗ୍ରିନ୍ ୪୯ ରନ୍ ଯୋଡ଼ି ଅଷ୍ଟ୍ରେଲିଆକୁ ବିଜୟ ମୁହାଁ କରିଥିଲେ। କିନ୍ତୁ ଖୱାଜା (୬୫, ୧୯୭ ବଲ୍)ଙ୍କୁ ବେନ୍ ଷ୍ଟୋକ୍ସ ପ୍ଲେଡ୍ ଅନ୍ ବୋଲ୍ଡ କରିବା ପରେ ଅଷ୍ଟ୍ରେଲିଆ ବ୍ୟାକ୍ଫୁଟ୍କୁ ଚାଲିଯାଇଥିଲା। ଆଲେକ୍ସ କ୍ୟାରିଙ୍କୁ ଜୋ ରୁଟ୍ ରିଟର୍ଣ୍ଣ କ୍ୟାଚ୍ରେ ପ୍ୟାଭିଲିଅନ୍ ଫେରାଇ ଆହୁରି ରୋମାଞ୍ଚ ବଢ଼ାଇ ଦେଇଥିଲେ। କମିନ୍ସ-ଲାୟନ୍ କିନ୍ତୁ ଅସୀମ ଧୈର୍ଯ୍ୟ ଦେଖାଇ ଅସମ୍ଭବକୁ ସମ୍ଭବ କରି ଦେଖାଇଥିଲେ। ଅଷ୍ଟ୍ରେଲିଆ ଏଥି ସହ ୫ ମ୍ୟାଚ୍ ଆସେସ୍ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ଉସମାନ ଖୱାଜା (୧୪୧ ଓ ୬୫) ଏହି ଟେଷ୍ଟରୁ ୨୦୬ ରନ୍ ସଂଗ୍ରହ କରି ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଜୁନ୍ ୨୮ ତାରିଖରୁ ଐତିହାସିକ ଲର୍ଡସରେ ଦ୍ବିତୀୟ ଟେଷ୍ଟ୍ ଖେଳାଯିବ।
ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୩୯୩/୮, ଘୋଷିତ (ଜୋ ରୁଟ୍-୧୧୮, ନାଥନ୍ ଲାୟନ-୪/୧୪୯)। ଅଷ୍ଟ୍ରେଲିଆ ପ୍ରଥମ ପାଳି: ୩୮୬ (ଉସମାନ ଖୱାଜା-୧୪୧, ଓଲି ରବିନସନ୍-୩/୫୫, ଷ୍ଟୁଆର୍ଟ ବ୍ରଡ୍-୩/୬୮)। ଇଂଲଣ୍ଡ ଦ୍ବିତୀୟ ପାଳି: ୨୭୩ (ଜୋ ରୁଟ୍-୪୬, ହ୍ୟାରି ବ୍ରୁକ୍-୪୬, ପ୍ୟାଟ୍ କମିନ୍ସ-୪/୬୩, ନାଥନ୍ ଲାୟନ-୪/୮୦)। ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି: ୯୨.୩ ଓଭରରେ ୨୮୨/୮ (ଉସମାନ ଖୱାଜା-୬୫, ଡେଭିଡ୍ ୱାର୍ଣ୍ଣର-୩୬, କାମେରନ୍ ଗ୍ରିନ୍-୨୮, ପ୍ୟାଟ୍ କମିନ୍ସ-୪୪*, ନାଥନ୍ ଲାୟନ-୧୬*, ଷ୍ଟୁଆର୍ଟ ବ୍ରଡ୍-୩/୬୪, ଓଲି ରବିନସନ୍-୨/୪୩, ବେନ୍ ଷ୍ଟୋକ୍ସ-୧/୯, ଜୋ ରୁଟ୍-୧/୪୩, ମୋଇନ୍ ଅଲୀ-୧/୫୭)।