ଲାହୋର: ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ସର୍ବୋଚ୍ଚ ବ୍ୟକ୍ତିଗତ, ସର୍ବୋଚ୍ଚ ଦଳଗତ ସ୍କୋର୍ ଓ ସଫଳ ପଶ୍ଚାତ୍ଧାବନ ଦେଖିବାକୁ ମିଳିଛି ଗୋଟିଏ ମ୍ୟାଚ୍ରେ। ଶନିବାର ବେନ୍ ଡକେଟଙ୍କ ୧୬୫ ରନ୍ ପାଳିକୁ ପଛରେ ପକାଇ ଜୋସ୍ ଲଙ୍ଗଲିସ୍ (୮୬ ବଲ୍ରୁ ୧୨୦* ରନ୍, ୮ ଚୌକା, ୬ ଛକା) ଅଷ୍ଟ୍ରେଲିଆକୁ ୧୫ ବଲ୍ ପୂର୍ବରୁ ଜିତାଇଛନ୍ତି। ଇଙ୍ଗଲିସ୍ଙ୍କୁ ମାଥ୍ୟୁ ସର୍ଟ (୬୩), ଆଲେକ୍ସ କ୍ୟାରି (୬୯), ଗ୍ଲେନ୍ ମ୍ୟାକ୍ସୱେଲ୍ (୩୨*) ବି ଭଲ ସହଯୋଗ କରିବାରୁ ଅଷ୍ଟ୍ରେଲିଆ ୩୫୬ ରନ୍ ସଂଗ୍ରହ କରି ନେଇଥିଲା। ମାର୍କ ଉଡ୍ଙ୍କୁ ଛକା ମାରି ଇଙ୍ଗଲିସ୍ ମଧ୍ୟ ମ୍ୟାଚ୍ ଶେଷ କରିଥିଲେ।
ବେନ୍ ଡକେଟ୍ (୧୪୩ ବଲ୍ରୁ ୧୬୫ ରନ୍, ୧୭ ଚୌକା, ୩ ଛକା) ଏବଂ ଜୋ ରୁଟ୍ (୭୮ ବଲ୍ରୁ ୬୮ ରନ୍) ବଳରେ ଇଂଲଣ୍ଡ ୫୦ ଓଭରରେ ୮ ୱିକେଟ୍ ବିନିମୟରେ ୩୫୧ ରନ୍ କରିଥିଲା। ଅଷ୍ଟ୍ରେଲିଆ ପାଇଁ ବେନ୍ ଡ୍ବାରସୁଇସ୍ ସର୍ବାଧିକ ୩ ୱିକେଟ୍ ଅକ୍ତିଆର କରିଥିବାବେଳେ ଆଦାମ ଜାମ୍ପା ଓ ମାର୍ନସ ଲାବୁସାନ୍ ୨-୨ ୱିକେଟ୍ ଅକ୍ତିଆର କରିଥିଲେ। ପୂର୍ବରୁ ଚାମ୍ପିଅନ୍ସ ଟ୍ରଫିରେ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍ ଥିଲା ନାଥନ୍ ଆସଲେ୍ ଓ ଆଣ୍ଡି ଫ୍ଲାୱାରଙ୍କ ନାମରେ। ଆସ୍ଲେ ୨୦୦୪ ସଂସ୍କରଣରେ ଆମେରିକା ବିପକ୍ଷରେ ୧୪୫ ରନ୍ କରିଥିଲେ। ଫ୍ଲାୱାର ମଧ୍ୟ ସମାନ ୧୪୫ ରନ୍ ଭାରତ ବିପକ୍ଷରେ ୨୦୦୨ ସଂସ୍କରଣରେ କରିଥିଲେ। ଏଥି ସହିତ ଇଂଲଣ୍ଡ ମଧ୍ୟ ୩୫୧ ରନ୍ କରିବା ସହିତ ନ୍ୟୁଜିଲାଣ୍ଡ୍ର ୩୪୭/୪ (ବନାମ ଆମେରିକା, ୨୦୦୪)କୁ ପଛରେ ପକାଇଥିଲା। ଏହି ରେକର୍ଡ କିନ୍ତୁ ଅଷ୍ଟ୍ରେଲିଆ ପାଳି (୩୫୬/୫)ର ପଛରେ ପଡ଼ିଯାଇଥିଲା। ଏଥି ସହିତ ଆଇସିସି ଚାମ୍ପିଅନ୍ସ ଟ୍ରଫି ଇତିହାସରେ ମଧ୍ୟ ସର୍ବୋଚ୍ଚ ସଫଳ ପଶ୍ଚାତଧାବନ ହୋଇଥିଲା।
ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ୫୦ ଓଭରରେ ୩୫୧/୮ (ବେନ୍ ଡକେଟ୍-୧୬୫, ଜୋ ରୁଟ୍-୬୮, ଜୋସ ବଟଲର୍-୨୩, ଜୋଫ୍ରା ଆର୍ଚର-୨୧*, ବେନ୍ ଡ୍ବାରସୁଇସ୍-୩/୩୩, ମାନର୍ସ ଲାବୁସାନ୍-୨/୪୧, ଆଜାମ ଜାମ୍ପା-୨/୬୪)। ଅଷ୍ଟ୍ରେଲିଆ ୪୭.୩ ଓଭରରେ ୩୫୬/୫ (ଜୋସ୍ ଇଙ୍ଗଲିସ୍-୧୨୦*, ଆଲେକ୍ସ କ୍ୟାରି-୬୯, ମାଥ୍ୟୁ ସର୍ଟ-୬୩, ଗ୍ଲେନ୍ ମ୍ୟାକ୍ସୱେଲ-୩୨*)।