ମେଲବଣ୍ଣ ଦିନିକିଆ: ଅଷ୍ଟ୍ରେଲିଆର ଦ୍ୱିତୀୟ ଓ୍ଵିକେଟ୍‌ ପତନ

ମେଲବର୍ଣ୍ଣ: ମେଲବର୍ଣ୍ଣ ଟିକେଟ ଗ୍ରାଉଣ୍ଡରେ ଭାରତ -ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଅନୁଷ୍ଠିତ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆରେ ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଅଧିନାୟକ କୋହଲିଙ୍କ ନିଷ୍ପତ୍ତିକୁ ଠିକ୍‌ ବୋଲି ପ୍ରମାଣିତ କରି ଭାରତର ଓପନର ବୋଲର ଭୁବନେଶ୍ୱର କୁମାର ପ୍ରଥମ ୧୦ ଓଭର ଭିତରେ ଅଷ୍ଟ୍ରେଲିଆର ଦୁଇ ଓ୍ଵିକେଟ ଅକ୍ତିଆର କରି ଅଷ୍ଟ୍ରେଲିଆ ପାଇଁ ଅଡ଼ୁଆ ପରିସ୍ଥିତି ସଷ୍ଟି କରିଛନ୍ତି।
ଭାରତୀୟ ଦଳରେ ତିନୋଟି ପରିବର୍ତ୍ତନ କରାଯାଇଥିବା ବେଳେ ଏକମାତ୍ର ନୂଆ ମୁହଁ ଭାବେ ବିଜୟ ଶଙ୍କର ତାଙ୍କ ଜୀବନର ପ୍ରଥମ ଦିନିକିଆ ଖେଳିବାର ସୁଯୋଗ ପାଇଛନ୍ତି।ସେହିପରି ଯୁଜବେନ୍ଦ୍ର ଚହଲ ଓ କେଦାର ଯାଦବଙ୍କୁ ମଧ୍ୟ ତୃତୀୟ ଦିନିକିଆରେ ସୁଯୋଗ ମିଳିଛି।
ଭାରତ ପକ୍ଷରୁ ବୋଲିଂ ଆରମ୍ଭ କରିଥିବା ଭୁବନେଶ୍ୱର କୁମାରଙ୍କ ପ୍ରଥମ ଓଭରର ୨ଟି ବଲ୍‌ ପରେ ବର୍ଷା ଯୋଗୁଁ ଖେଳାଳିମାନେ ପାଭିଲିୟନକୁ ଫେରିଆସିଥିବା ବେଳେ ପିଚ୍‌କୁ କଭର କରି ଦିଆଯାଇଥିଲା। ତେବେ ଭାରତୀୟ ସମୟ ସକାଳ ୮ଟା ୨୫ରେ ପୁଣି ଖେଳ ଆରମ୍ଭ ହୋଇଛି। ଖେଳର ତୃତୀୟ ଓଭରରେ ଭୁବନେଶ୍ୱର କୁମାର ଓପନର କେରୀଙ୍କୁ କୋହଲିଙ୍କ ଦ୍ୱାରା କାଚ୍‌ କରି ପାଭିଲିୟନ ଫେରାଇ ଦେଇଛନ୍ତି। ତେବେ ଖଓ୍ଵାଜା ଓ ଅଧିନାୟକ ଫିଞ୍ଚ ଅଷ୍ଟ୍ରେଲିଆ ଦଳର ସ୍କୋର ଆଗକୁ ବଢ଼ାଉଥିବା ବେଳେ ଫିଞ୍ଚ ପୁଣି ଥରେ ଭୁବନେଶ୍ୱର କୁମାରଙ୍କ ଶିକାର ହୋଇଛନ୍ତି। ଭୁବନେଶ୍ୱର କୁମାରଙ୍କ ଏକ ସିଧା ବଲକୁ ବୁଝି ନ ପାରି ଫିଞ୍ଚ ଏଲବିଡବ୍ଲ୍ୟୁ ହୋଇ ପାଭିଲିୟନ ଫେରିଯାଇଛନ୍ତି। ଅଷ୍ଟ୍ରେଲିଆ ୧୦ ଓଭରରେ ୨ ଓ୍ଵିକେଟ ହରାଇ କରିଛି ୩୦ ରନ୍‌।
ଭାରତୀୟ ଦଳ: ରୋହିତ ଶର୍ମା, ଶିଖର ଧାଓ୍ଵନ, ବିରାଟ କୋହଲି, ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ, ଦୀନେଶ କାର୍ତ୍ତିକ, ବିଜୟ ଶଙ୍କର, ରବୀନ୍ଦ୍ର ଜାଦେଜା, ଭୁବନେଶ୍ୱର କୁମାର, ମହମ୍ମଦ ସାମି, ୟୁଜବେନ୍ଦ୍ର ଚହଲ।

ସମ୍ବନ୍ଧିତ ଖବର