ଗୌହାଟୀ: ରାଞ୍ଚିରେ ରଡ଼ିଥିବା ଭାରତୀୟ ଦଳ ଗୌହାଟୀରେ ଗଡ଼ିଗଲା। ମଙ୍ଗଳବାର ଏଠାରେ ଖେଳାଯାଇଥିବା ଦ୍ୱିତୀୟ ଟେ୍ଵଣ୍ଟି-୨୦ରେ ଭାରତକୁ ୮ ଓ୍ଵିକେଟ୍ରେ ହରାଇ ଅଷ୍ଟ୍ରେଲିଆ ଶୃଙ୍ଖଳାକୁ ୧-୧ ସ୍ତରକୁ ଆଣିବା ସହିତ ସୁଯୋଗ ବଳବତ୍ତର ରଖିଲା। ଭାରତ ମାତ୍ର ୧୧୮ ରନ୍ କରିବା ପରେ ଅଷ୍ଟ୍ରେଲିଆ ୨୭ ବଲ୍ ପୂର୍ବରୁ ୮ ଓ୍ଵିକେଟ୍ର ସହଜ ବିୟଜ ହାସଲ କରିନେଇଥିଲା।
ଗୌହାଟୀର ବର୍ଷାପଡ଼ା କ୍ରିକେଟ୍ ଷ୍ଟାଡିୟମ୍ରେ ଅଷ୍ଟ୍ରେଲିଆ ଅଧିନାୟକ ଡେଭିଡ୍ ଓ୍ଵାର୍ନର ଟସ୍ ଜିତି କ୍ଷେତ୍ରରକ୍ଷଣ କରିବାକୁ ପସନ୍ଦ କରିଥିଲେ। ଏହି ନିଷ୍ପତ୍ତିକୁ ଯଥାର୍ଥ ସାବ୍ୟସ୍ତ କରିଥିଲେ ଦଳର ବୋଲରମାନେ। ବିଶେଷ କରି ଆଦ୍ର ପିଚ୍ରୁ ସମ୍ପୂର୍ଣ୍ଣ ଫାଇଦା ଉଠାଇଥିଲେ ଭ୍ରମଣକାରୀ ଦଳର ଦ୍ରୁତ ବୋଲରମାନେ। ବାମହାତୀ ଦ୍ରୁତ ବୋଲର ଜାସନ୍ ବେହେରନଡର୍ଫ ପ୍ରଥମ ଓଭରରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ପ୍ୟାଭିଲିଅନ୍ ପଠାଇ ଦେଇଥିଲେ। ରୋହିତ (୮, ୪ ବଲ୍) ଲେଗ୍ ବିଫୋର୍ ଓ୍ଵିକେଟ୍ ହୋଇଥିବାବେଳେ କୋହଲି ଖାତା ଖୋଲି ନ ପାରି ଉପରକୁ ଉଠୁଥିବା ବଲ୍କୁ ବୋଲରଙ୍କୁ ଲେଉଟାଣୀ କ୍ୟାଚ୍ ଦେଇ ଫେରିଥିଲେ। ବେହରନଡର୍ଫଙ୍କ ଲଗାତାର ବୋଲିଂ ଦେଇ ଓ୍ଵାର୍ନର ମଧ୍ୟ ତାଙ୍କଠାରୁ ଶ୍ରେଷ୍ଠ ପ୍ରଦର୍ଶନ ଆଦାୟ କରିଥିଲେ। ରାଞ୍ଚିରେ ପ୍ରଥମ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ଏହି ୨୭ ବର୍ଷୀୟ ନ୍ୟୁ ସାଉଥ୍ େଓ୍ଵଲ୍ସ ଖେଳାଳି ତାଙ୍କ ୪ ଓଭର ସ୍ପେଲ୍ ଶେଷ କରିବା ପୂର୍ବରୁ ମନୀଷ ପାଣ୍ଡେ (୬) ଏବଂ ଶିଖର ଧାଓ୍ଵନ (୨)ଙ୍କୁ ମଧ୍ୟ ନିଜ ଓ୍ଵିକେଟ ମୁଣାରେ ପକାଇଥିଲେ। ଏଥି ସହ ଭାରତ ପାଳିର ପ୍ରଥମ ୪ ଜଣଙ୍କ ଓ୍ଵିକେଟ୍ ନେଇ ସେ ୪-୦-୨୧-୪ ବୋଲିଂ ଚିତ୍ର ପାଇଥିଲେ। ଭାରତ ସାଢ଼େ ୪ ଓଭର ବେଳକୁ ୨୭ ରନ୍ ଭିତରେ ଏହି ୪ ଓ୍ଵିକେଟ୍ ହରାଇ ଗଭୀର ସଙ୍କଟରେ ପଡ଼ିଯାଇଥିଲା। କେଦାର ଯାଦବ (୨୭, ୨୭ ବଲ୍, ୩ ଚୌକା, ୧ ଛକା) ଏବଂ ମହେନ୍ଦ୍ର ସିଂହ ଧୋନି (୧୩, ୧୬ ବଲ୍)ଙ୍କ ମଧ୍ୟରେ ହୋଇଥିବା ୩୩ ରନ ଭାଗୀଦାରି କିଛିଟା ସମ୍ମାନ ରଖିଥିଲା। ଶେଷକୁ ହାର୍ଦିକ ପାଣ୍ଡ୍ୟାଙ୍କ ୨୫ ରନ୍ (୨୩ ବଲ୍, ୧ ଛକା) ଏବଂ କୁଲଦୀପ ଯାଦବ (୧୬, ୧୯ ବଲ, ୧ ଚୌକା) ଦଳକୁ ୧୦୦ ପାର କରିଥିଲା। ପାଣ୍ଡ୍ୟା ଶେଷ ପର୍ଯ୍ୟନ୍ତ ନ ରହିବାରୁ ଭାରତର ସମ୍ଭାବ୍ୟ ୧୩୦/୧୪୦ ସ୍କୋର୍ ହୋଇ ପାରିନଥିଲା।
ଜବାବରେ ଅଷ୍ଟ୍ରେଲିଆର ପ୍ରାରମ୍ଭିକ ଯୋଡ଼ି ଡେଭିଡ୍ ଓ୍ଵାର୍ନର (୨) ଏବଂ ଆରୋନ୍ ଫିଞ୍ଚ୍ (୮)ଙ୍କୁ ଭାରତୀୟ ବୋଲର ସଅଳ ବିଦାୟ ରାସ୍ତା ଦେଖାଇଥିଲେ। ଯଶପ୍ରୀତ ବୁମରା ଏବଂ ଭୁବନେଶ୍ୱର କୁମାରଙ୍କ ବୋଲିଂରେ ଅଧିନାୟକ ବିରାଟ କୋହଲି ଯଥାକ୍ରମେ କଭର୍ ଓ ଏକ୍ସଟ୍ରା କଭର ଅଞ୍ଚଳରେ ଏହି ଦୁଇ କ୍ୟାଚ୍ ନେଇଥିଲେ। ୩ ଓଭର ଓ ୧୩ ରନ୍ ଭିତରେ ୨ ଓ୍ଵିକେଟ୍ ଅକ୍ତିଆର କରି ଭାରତ ଆଶାବାଦୀ ହୋଇଉଠିଥିଲା। କିନ୍ତୁ ଏହି ଆଶାରେ ପାଣି ଭରି ଦେଇଥିଲେ ମୋଜେସ୍ ହେନ୍ରିକ୍ସ (୬୨*, ୪୬ ବଲ୍, ୪ ଚୌକା, ୪ ଛକା) ଏବଂ ବାମହାତୀ ଟ୍ରାଭିସ୍ ହେଡ୍ (୪୮*, ୩୪ ବଲ୍, ୫ ଚୌକା, ୧ ଛକା)। ଉଭୟଙ୍କ ଶତକୀୟ ଭାଗୀଦାରି (୧୦୯*, ୧୨.୪ ଓଭର) ମ୍ୟାଚ୍କ ସମ୍ପୂର୍ଣ୍ଣ ଏକପାଖିଆ କରି ଦେଇଥିଲା। ଭାରତର ଶୀର୍ଷକ୍ରମକୁ ବିଗାଡ଼ିଥିବା ଅନଭିଜ୍ଞ ବାମହାତୀ ଦ୍ରୁତ ବୋଲର ବେହରନ୍ଡର୍ଫ ମ୍ୟାଚ୍ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏଥି ସହିତ ସପ୍ତମ ଥର ପାଇଁ ଭାରତ ଅନ୍ତର୍ଜାତୀୟ ଟେ୍ଵଣ୍ଟି-୨୦ରେ ଅଲ୍ ଆଉଟ୍ ହୋଇ ପ୍ରତି ଥର ପରାଜୟର ମୁହଁ ଦେଖିବା ଧାରାକୁ ମଧ୍ୟ ବଳବତ୍ତର ରଖିଲା।
ସଂକ୍ଷିପ୍ତ ସ୍କୋର: ଭାରତ ୨୦ ଓଭରରେ ୧୧୮ (କେଦାର ଯାଦବ-୨୭, ହାର୍ଦିକ ପାଣ୍ଡ୍ୟା-୨୫, କୁଲଦୀପ ଯାଦବ-୧୬, ମହେନ୍ଦ୍ର ସିଂହ ଧୋନି-୧୩, ଜାସନ୍ ବେହେରନ୍ଡର୍ଫ-୪/୨୧, ଆଦାମ ଜାମ୍ପା-୨/୧୯, ମାର୍କେସ ଷ୍ଟୋଇନିସ୍-୧/୨୦, ନାଥନ୍ କୁଲଟର୍ ନାଇଲ୍-୧/୨୩, ଆଣ୍ଡ୍ରିଉ ଟାଇ-୧/୩୦)। ଅଷ୍ଟ୍ରେଲିଆ ୧୫.୩ ଓଭରରେ ୧୨୨/୨ (ମୋଜେସ୍ ହେନରିକ୍ସ-୬୨*, ଟ୍ରାଭିସ୍ ହେଡ୍-୪୮*, ଭୁବନେଶ୍ୱର କୁମାର-୧/୯, ଯଶପ୍ରୀତ ବୁମରା-୧/୨୫)।
ଅଷ୍ଟ୍ରେଲିଆ ୮ ଓ୍ଵିକେଟ୍ରେ ଜିତିଲା: ଶୃଙ୍ଖଳା ୧-୧ ସ୍ଥିତିରେ
/sambad/media/post_attachments/wp-content/uploads/2017/10/crt-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)