ଚେନ୍ନାଇ: ରବିବାର ରାତିରେ ଖେଳାଯାଇଥିବା ଚେନ୍ନାଇ ସୁପର୍ କିଙ୍ଗ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ ମୁକାବିଲାରେ ମୋଟ ୪ ଜଣ ଖେଳାଳି ପଦାର୍ପଣ କରିଥ‌ିଲେ। କିନ୍ତୁ ଅଜଣା ଅଶୁଣା ବିଘ୍ନେଶ ପୁଥୁର ସମସ୍ତଙ୍କ ମନ ଜିତି ନେଇଛନ୍ତି। ଆଇପିଏଲ୍‌ ପାଇଁ ଖେଳିବାର ସ୍ବପ୍ନକୁ ସାକାର କରିଥିବା ୨୪ ବର୍ଷୀୟ ଏହି ଚାଇନାମ୍ୟାନ୍‌ ବୋଲର୍‌ ତାରକା ଖଚିତ ସିଏସ୍‌କେ ବିପକ୍ଷରେ ୩/୩୨ ବୋଲିଂ ଚିତ୍ର ପାଇ ମୁମ୍ବାଇ ଇଣ୍ଡିଆନ୍ସକୁ ସାନ୍ତ୍ବନା ଦେଇଛନ୍ତି। ମୁମ୍ବାଇ ଜିତିପାରି ନଥିଲେ ମଧ୍ୟ ବିଘ୍ନେଶଙ୍କ ସ୍ବପ୍ନିଲ ଆଗମନ ଏବେ ଚର୍ଚ୍ଚାରେ ରହିଛି। ମୁମ୍ବାଇ ଇଣ୍ଡିଆନ୍ସ ଏହାର ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଜରିଆରେ ତାଙ୍କୁ ଚିହ୍ନଟ କରିବା ସହ ଗଢ଼ିତୋଳିଛି। ଟ୍ରାଏଲ୍‌ରେ ଭଲ କରିବା ପରେ କେରଳର ମାଲାପୁରମ୍‌ ନିବାସୀ ଜଣେ ଅଟୋ ଚାଳକର ପୁଅ ବିଘ୍ନେଶଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୩୦ ଲକ୍ଷରେ କିଣିଥିଲା। ଗତ ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ବେଳେ ସେ ମୁମ୍ବାଇର ନେଟ୍ ବୋଲର ଥିଲେ। ମୁମ୍ବାଇରେ ଡିୱାଇ ପାଟିଲ୍‌ ଟି-୨୦ରେ ବି ୩ଟି ମ୍ୟାଚ୍‌ ଖେଳି ପ୍ରଭାବ ଛାଡ଼ିଥିଲେ।

Advertisment

ନେଟ୍‌ସରେ କିନ୍ତୁ ରୋହିତ ଶର୍ମା, ସୂର୍ଯ୍ୟକୁମାର ୟାଦବ, ତିଳକ ବର୍ମାଙ୍କୁ ବୋଲିଂ କରିବା ପରେ ସେମାନେ ତାଙ୍କୁ ସହଜରେ ଖେଳିପାରୁ ନଥିବା ଜଣାଇଥିଲେ। ରସିଦ୍ ଖାନ୍‌ଙ୍କ ବୋଲିଂ ଷ୍ଟାଇଲ୍‌ରେ ପକାଉଥିବା ବିଘ୍ନେଶଙ୍କୁ ଚଳିତ ଆଇପିଏଲ୍‌ରେ ପ୍ରଥମ ଭାଗରୁ ନେବାକୁ ବି ପ୍ରଶିକ୍ଷକ ମାହେଲା ଜୟବର୍ଦ୍ଧନେଙ୍କୁ ରୋହିତ ଓ ସୂର୍ଯ୍ୟ ସୁପାରିସ୍ କରିଥିଲେ। ଏବେ ଏ ନିଷ୍ପତ୍ତିର ସୁଫଳ ମିଳିଛି ବୋଲି କହିଛନ୍ତି, ଏମ୍‌ଆଇର ବୋଲିଂ ପ୍ରଶିକ୍ଷକ ପରାସ ମହାମ୍ବ୍ରେ। ରବିବାର ରାତିରେ ଋତୁରାଜ ଗାଏକ୍ବାଡ, ଶିବମ ଦୁବେ ଓ ଦୀପକ ହୁଡାଙ୍କ ୱିକେଟ୍ ନେଇ ବିଘ୍ନେଶ ବି ଅପ୍ରତ୍ୟାଶିତ ଚର୍ଚ୍ଚାରେ ରହିଛନ୍ତି। କେରଳ ଲିଗ୍‌ର ଏହି ସାଧାରଣ ଖେଳାଳି ଏବେ ଜଣେ ବଡ଼ ଖେଳାଳି ହେବାର ଆଭାସ ବି ଦେଇଛନ୍ତି। ଅତୀତରେ ମୁମ୍ବାଇ ଇଣ୍ଡିଆନ୍ସ ଯଶପ୍ରୀତ୍ ବୁମରା, ହାର୍ଦିକ ପାଣ୍ଡ୍ୟା, କ୍ରୁନାଲ୍ ପାଣ୍ଡ୍ୟା ଓ ତିଳକ ବର୍ମାଙ୍କ ଭଳି ବଡ଼ ଖେଳାଳିଙ୍କୁ ଗଢ଼ିବା ଭଳି ବି‌ଘ୍ନେଶ ବି ଦିନେ ଘରେ ଘରେ ପରିଚିତ ହୋଇଯିବେ ଏହି ବିଶ୍ବାସ ଆସିଛି।

ରବିବାର ମ୍ୟାଚ୍‌ ଅବସରରେ ବିଘ୍ନେଶ ବି ମୁମ୍ବାଇ ଇଣ୍ଡିଆନ୍ସ ମାଲିକାଣି ନୀତା ଅମ୍ବାନିଙ୍କ ପାଦ ଛୁଇଁବା ଏବଂ ମ୍ୟାଚ୍‌ ପରେ ମହେନ୍ଦ୍ର ସିଂହ ‌ଧୋନିଙ୍କ ସହ ଆଲୋଚନା କରି ପରାମର୍ଶ ନେବା ଭଳି କାମ କରି ନିଜ ନମନୀୟ ଗୁଣକୁ ପ୍ରସ୍ଫୁଟିତ କରିଛନ୍ତି। ଯାହାକି ତାଙ୍କୁ ଭବିଷ୍ୟତରେ ଆଗକୁ ନେବାକୁ ସହାୟକ ହେବା ନିଶ୍ଚିତ।