ଆଇଆଇଟିଆନ୍‌ରୁ ଏଭେରେଷ୍ଟ୍‍ ବିଜେତା ହେମନ୍ତ

ଭୁବନେଶ୍ୱର(ସୁରେଶ ସ୍ୱାଇଁ): ମାତ୍ର ୭ ବର୍ଷ ବୟସରେ ବାପ ଛେଉଁଣ୍ଡ ହୋଇଥିଲେ। ନବମ ଶ୍ରେଣୀ ପର୍ଯ୍ୟନ୍ତ ଖରାପ ପଢ଼ୁଥିଲେ। କିନ୍ତୁ ଈଚ୍ଛାଶକ୍ତି ଆଗରେ ଯେ ସବୁକିଛି ହାର ମାନେ ଏହାର ଉଦାହରଣ ରଖିଲେ ମେହନ୍ତ ଗୁପ୍ତା। ମୁମ୍ବାଇ ଆଇଆଇଟିରୁ ଉତ୍ତୀର୍ଣ୍ଣ ହେଲେ। ବିଳମ୍ବରେ ଦୁଃସାହସିକ କ୍ରୀଡ଼ା ପ୍ରତି ଆକୃଷ୍ଟ ହୋଇ ୪ ବର୍ଷ ଭିତରେ ଏଭେରେଷ୍ଟ୍‍ ବିଜେତା ପାଲଟି ନୂଆ ଅଧ୍ୟାୟ ସଂଯୋଗ କରିଦେଲେ। ପୂର୍ବରୁ ଅଭିଜ୍ଞତା ନ ଥିବା, ବିଧବା ମା’ଙ୍କୁ ବାରମ୍ବାର ମନାଇବା, ପ୍ରଥମ ପ୍ରୟାସରେ ବିଫଳ ହେବା ଭଳି ବହୁ ପ୍ରତିବଂଧକକୁ ଅତିକ୍ରମ କରି ଏଭେରେଷ୍ଟ ଚଢ଼ିଥିବା ହେମନ୍ତ ଚଳିତ ବର୍ଷ ଦୁଃସାହସିକ କ୍ରୀଡ଼ା ଦୁନିଆରେ ଚର୍ଚିତ ଚେହେରା ପାଲଟିଯାଇଛନ୍ତି। ଟାଟା ଷ୍ଟିଲ୍‌ର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଭୁବନେଶ୍ୱର ଆସିଥିବାବେଳେ ଏହି ୨୭ ବର୍ଷୀୟ ଯୁବ ଷ୍ଟିଲ୍‌ ତାରକା ‘ସମ୍ବାଦ’କୁ କହିଥିଲେ ନିଜ ଦୁଃସାହସିକ ଜୀବନ ଯାତ୍ରାର ଅନେକ ଅକୁହା କଥା।

ପିଲାଦିନୁ ବାପଛେଉଁଣ୍ଡ

ରାଜସ୍ଥାନ କୋଟାର ମୂଳଅଧିବାସୀ ହେମନ୍ତ ଗୁପ୍ତା ପିଲାଦିନୁ ପିତାଙ୍କୁ ହରାଇଥିଲେ। ଘରେ ମା’ଙ୍କ ସହ ଥିଲେ ଦୁଇ ଭଉଣୀ। ମା’ ଏକ ପଲିଟେକନିକ୍‌ କଲେଜ୍‌ରେ କିରାଣୀ କାମ କରନ୍ତି। ଅନେକ ପ୍ରତିକୂଳ ପରିସ୍ଥିତିରେ ବିତିଥିଲା ହେମନ୍ତଙ୍କ ପିଲାଦିନ। ୮/୯ ଶ୍ରେଣୀ ପର୍ଯ୍ୟନ୍ତ ଖରାପ ପଢ଼ୁଥିଲି ବୋଲି ନିଜେ ସ୍ୱୀକାର କରନ୍ତି। କିନ୍ତୁ ଦଶମ ଶ୍ରେଣୀ ବେଳକୁ ସେ ଗମ୍ଭୀର ଭାବେ ପାଠପଢ଼ାରେ ମନୋନିବେଶ କରି ସଫଳ ହେଲେ। ୨୦୧୧ ମସିହାରେ ମୁମ୍ବାଇ ଆଇଆଇଟିରୁ ମେଟାଲର୍ଜିକାଲ ଇଂଜିନିୟରିଂ ଆଣ୍ଡ୍‌ ମ୍ୟାଟେରିଆଲ୍‌ ସାଇନ୍‌ସରେ ବି ଟେକ୍‌କୁ ସଫଳତାର ସହ ଶେଷ କରିଥିଲେ। ଟାଟା ଷ୍ଟିଲ୍‌ରେ ଯୋଗଦେଇ ଆଗକୁ ବଢ଼ିଥିଲେ।

ପର୍ବତାରୋହଣ ପ୍ରବେଶ

ଖେଳ ପ୍ରତି ମୋର ଆଗ୍ରହ ଥିଲା। ମୁଁ କଲେଜ ଜୀବନରେ ବହୁ ଖେଳ ଖେଳିଛି-କ୍ରସ୍‌କଣ୍ଟି୍ର, ବ୍ୟାଡ୍‌ମିଣ୍ଟନ, ଫୁଟ୍‌ବଲ୍‌, ହକି ଏବଂ ସ୍କ୍ଵାଶ୍‌। କିନ୍ତୁ କୌଣସିଟିରେ କଲେଜର ପ୍ରତିନିଧିତ୍ୱ କରିନଥିଲି। କେବଳ ଆଗ୍ରହ ପାଇଁ ସବୁଥିରେ ଖେଳୁଥିଲି। ବି ଟେକ୍‌ର ଦ୍ୱିତୀୟ ବର୍ଷ ପର୍ବତାରୋହଣ ମୌଳିକ ପାଠ୍ୟକ୍ରମ କରିବାକୁ ମନାଲି ଯାଇଥିଲି। ଏହା ମୋ ପାଇଁ ପ୍ରଥମ ଅଭିଜ୍ଞତା ଥିଲା। ବି ଟେକ୍‌ ପରେ କିନ୍ତୁ ପର୍ବାରୋହଣ କରିବି ବୋଲି କେବେ ଭାବି ନ ଥିଲି। ଟାଟା ଷ୍ଟିଲ୍‌ର ଉତ୍ତରକାଶୀ ଦୁଃସାହସିକ ଅଭିଯାନ ବେଳେ ଦେଶର ପ୍ରଥମ ମହିଳା ଏଭେରେଷ୍ଟ୍‍ ବିଜୟିନୀ ବଚେନ୍ଦ୍ରୀ ପାଲଙ୍କ ସଂସ୍ପର୍ଶରେ ଆସିବାରୁ ପୁଣି ଆଗ୍ରହ ବଢ଼ିଥିଲା। କିନ୍ତୁ ୨୦୧୨ ମସିହାରେ ଲେହରେ ଥିବା ୬,୬୨୨ ମିଟର୍‌ ଉଚ୍ଚତା ବିଶିଷ୍ଟ ଚାମସେର୍‌ କାଙ୍ଗ୍ରୀ ପର୍ବତାରୋହଣ ଅଭିଯାନରେ ପାଗ ଖରାପ କାରଣରୁ ଚଢ଼ି ନ ପାରି ଫେରିବାରୁ ମୋତେ ଫେଲ୍‌ ହୋଇଯିବା ଭଳି ଲାଗିଥିଲା। କାରଣ ଖୋଜିଥିଲି। ଶାରୀରିକ ସକ୍ଷମତା ଓ ମାନସିକ ଦୃଢ଼ତା ବଢ଼ାଇଥିଲି। ପରବର୍ତୀ ସମୟରେ ମୁଁ ଆମେରିକା, ନେପାଳ, ଗଙ୍ଗୋତ୍ରୀ, ସ୍ପିତି ଭ୍ୟାଲି, ଆର୍ଜେଣ୍ଟିନାର ଆକୋନକାଗୁଆ ଆଦି ସଫଳତାର ସହ ଆରୋହଣ କରି ସେହି ଦୁଃଖକୁ ଭୁଲିଥିଲି।

ବଚେନ୍ଦ୍ରୀ ହୋଇଥିଲେ ଆଶ୍ଚର୍ଯ୍ୟ

ଏଭେରେଷ୍ଟ୍‍ ଆରୋହଣ କଥା ମୋ ମନରେ ପ୍ରଥମେ ଆସି ନ ଥିଲା। ମୁଁ କିନ୍ତୁ ଜାମସେଦପୁର ଟାଟା ଷ୍ଟିଲ୍‌ ଆଡଭେଞ୍ଚର୍‌ ଫାଉଣ୍ଡେସନ୍‌ (ଟିଏସ୍‌ଏଏଫ୍‌)ରେ ଯୋଗଦେବା ଲାଗି ମୁଁ ଯେତେବେଳେ ବଚେନ୍ଦ୍ରୀ ପାଲଙ୍କୁ ପ୍ରସ୍ତାବ ଦେଇଥିଲି ସେ ଆଶ୍ଚର୍ଯ୍ୟ ହୋଇଥିଲେ। ଇଂଜିନିୟରିଂ ପିଲା କହି ଆଶ୍ଚର୍ଯ୍ୟ ବି ହୋଇଥିଲେ। ସଂଯୋଗବଶତଃ ଦେଶର ଅନ୍ୟତମ ପ୍ରକୃତିକ ଦୁର୍ବିପାକ ଉତ୍ତରାଖଣ୍ଡ ବନ୍ୟା ବେଳେ ମୋ ସାହସିକ ଉଦ୍ଧାରକାର୍ଯ୍ୟ ତାଙ୍କୁ ମୋତେ ଏତେ ପ୍ରଭାବିତ କରିଥିଲା ଯେ, ସେହିବର୍ଷ ସେପ୍ଟେମ୍ବରରେ ଟିଏସ୍‌ଏଏଫ୍‌ରେ ସାମିଲ କରିଥିଲେ। ସେବେଠାରୁ ଏଭେରେଷ୍ଟ ମୋ ଲକ୍ଷ୍ୟ ପାଲଟିଗଲା।

ଭୂକମ୍ପ ରୋକିଥିଲା ପ୍ରଥମ ପ୍ରୟାସ

୨୦୧୫ ମସିହାରେ ହେମନ୍ତ ନିଜର ପ୍ରଥମ ଏଭେରେଷ୍ଟ୍‍ ଆରୋହଣ ପ୍ରୟାସରେ ବାହାରିଥିଲେ। କିନ୍ତୁ ନେପାଳରେ ଭୂକମ୍ପ କାରଣରୁ ଅଭିଯାନ ଅଧାରେ ଅଟକିଥିଲା। ଭୂକମ୍ପ ପାଇଁ ‘ଦିଲ୍‌ କି ଧଡ୍‌କନ୍‌ ବନ୍ଦ’ ହୋଇଯିବା ଅନୁଭବ ହୋଇଥିଲା। ବହୁ ନିରାଶ ହୋଇଥିଲି। କିନ୍ତୁ ମନକୁ ବୁଝାଇଥିଲି ‘ଜୀବନ ତ ଅଛି, ଇଚ୍ଛା ବି ଅଛି, ପାହାଡ଼ ତ ସେଇଠି ଅଛି। ପୁଣି ଥରେ ଦେଖିବା କହିଥିଲି।

ଏଭେରେଷ୍ଟ୍‍ ରାତିରେ ନିଦ ନଥିଲା

ଏଭେରେଷ୍ଟ୍‍ ନିଶା କିନ୍ତ ଛାଡ଼ିନଥିଲା ମେହନ୍ତଙ୍କୁ। ଦୁଇ ବର୍ଷ ପରେ ୨୦୧୭ରେ ପୁଣି ବାହାରିଥିଲେ। ଏଭେରେଷ୍ଟ ଆରୋହଣ ଏକ ଆହ୍ଵାନ ଭଳି। ମାସକର ପ୍ରସ୍ତୁତି ପରେ ପ୍ରତିକୂଳ ପାଗ ପାଇଁ ଲାଗି ରହିଥିବା ଅନିଶ୍ଚିତତା ଭିତରେ ଆଗକୁ ବଢ଼ିବାକୁ ପଡ଼ିଥିଲା। ପ୍ରଥମେ ପାଦେ ପାଦେ, ପରେ ୫/୫ ଓ ୧୦/୧୦ ପାଦ କରି ଆଗକୁ ବଢ଼ିଥିଲି। ୨୦୧୭ ମେ’ ୨୪ ତାରିଖ ରାତିରେ ଶେଷ ଶିବିରରୁ ବାହାରିଥିଲୁ। ରାତିରେ ନିଦ ହେଉ ନ ଥିଲା। ମାୟା ନଗରିରେ ଥିବା ଭଳି ଅନୁଭବ ଆସିଥିଲା। କିନ୍ତୁ ସୁଯୋଗ ଛାଡ଼ିବାର ନ ଥିଲା। ଏଭେରେଷ୍ଟ୍‍ ଶିଖରରେ ପହଞ୍ଚିବା ପରେ ଖୁସିର ସୀମା ନ ଥିଲା। ତଥାପି ପ୍ରକୃତିସ୍ଥ ହୋଇ ଫେରିଥିଲି। ଯିବା ଯେତିକି ଆହ୍ଵାନ ଭରା ଫେରିବା ମଧ୍ୟ ସେତିକି ବିପଜ୍ଜନକ ଥିଲା। ଜଣେ ଆଇଆଇଟିଆରୁ ଏଭେରେଷ୍ଟ୍‍ ବିଜେତା ହେବା ଏକ ନିଆରା ଅନୁଭବ ଥିଲା ବୋଲି କହିଥିଲେ ୨୭ ବର୍ଷୀୟ ହେମନ୍ତ।

ମା’ଙ୍କୁ ବୁଝାଇବା କଷ୍ଟକର ଥିଲା

ଆଇଆଇଟିଆନ୍‌ ହେବା ପରେ ଦୁଃସାହସିକ କ୍ରୀଡ଼ାରେ ପ୍ରବେଶକୁ ଘରେ ପ୍ରଥମେ ଗ୍ରହଣ କରିନଥିଲେ। ବିଭିନ୍ନ ପର୍ବତାରୋହଣ ପୂର୍ବରୁ ମା’ଙ୍କୁ ବୁଝାଇବା ବଡ଼ କଷ୍ଟକର ଥିଲା। କିନ୍ତୁ ଆସୁଥିବା ଆହ୍ଵାନକୁ ମୁକାବିଲା କରିବା ମୁଁ ମୋ ମା’ଠୁ ଶିଖିଥିଲି। ପିତା ଚାଲିଯିବା ପରେ ମା’ ଆମକୁ କେତେ କଷ୍ଟରେ ବଢ଼ାଇଥିଲେ ଓ ପଢ଼ାଇଥିଲେ ସେଥିରୁ ପ୍ରେରଣା ମିଳିଥିଲା। କହିବାକୁ ଗଲେ ମା’ଙ୍କ ଲଢ଼ୁଆ ଚରିତ୍ର ହିଁ ମୋ ରକ୍ତରେ ଥିଲା, ଯାହା ମୋତେ ସଫଳ ବ୍ୟକ୍ତିତ୍ୱ ଓ ଏଭେରେଷ୍ଟର୍‌ କରିବାରେ ବି ଯୋଗଦାନ ରଖିଛି।

ପେସାଦାର ପ୍ରସଙ୍ଗ ଓ ଅଲିମ୍ପିକ୍‌ ସ୍ୱପ୍ନ

ପର୍ବତାରୋହଣକୁ ପେସାଦାର କ୍ରୀଡ଼ା କରାଯିବା କଷ୍ଟକର କଥା। ପାଗର ଅନିଶ୍ଚିତତା ଓ ପର୍ବତର ନିର୍ଦ୍ଧିଷ୍ଟତାକୁ ନେଇ ଏହା ଅସମ୍ଭବ ଲାଗୁଥିଲେ ମଧ୍ୟ ଅନେକ ଲୋକ ବିଭିନ୍ନ ଦୃଷ୍ଟିକୋଣରୁ କୀର୍ତିମାନ କରୁଛନ୍ତି। କିନ୍ତୁ ପର୍ବତାରୋହଣର ବିଭିନ୍ନ ଅଂଶଭାବେ ସ୍ପୋର୍ଟସ କ୍ଲାଇମ୍ବିଂ, ରାଫଟିଂ ଏବଂ ସ୍କିଙ୍ଗ୍‌ ଅଲିମ୍ପିକ୍ସ/ଶୀତକାଳୀନ ଅଲିମ୍ପିକ୍ସରେ ସାମିଲ ହୋଇଥିବାରୁ ଏଥିରେ ଅନ୍ୟକୁ ପ୍ରଶିକ୍ଷିତ କରି ଦେଶ ପାଇଁ ପଦକ ଜିତିବା ମୋ ପରବର୍ତୀ ସ୍ୱପ୍ନ ହେବେ। ପର୍ବତାରୋହଣକୁ ବି ଜଣେ ଖେଳ ଜୀବନ ଭାବେ ଗଢ଼ି ପାରିବ। ପର୍ବତାରୋହଣ ଜଣଙ୍କ ପାଇଁ ବହୁ ଶିକ୍ଷଣୀୟ ହୋଇଥାଏ। ସଫଳତା ପାଇଁ ସମସ୍ତଙ୍କୁ ପାହାଡ଼ ଚଢ଼ିବାର ଆବଶ୍ୟକତା ନାହିଁ। କିନ୍ତୁ ଜୀବନରେ ଆସୁଥିବା ବହୁ ପ୍ରତିବଂଧକକୁ କିଭଳି ମୁକାବିଲା କରାଯିବ ତାହା ଏଥିରୁ ୧୦୦ ପ୍ରତିଶିତ ଶିକ୍ଷା ମିଳିଥାଏ। ସ୍ପୋର୍ଟସ କ୍ଲାଇମ୍ବିଂ ଏବେ ମୋ ପ୍ରଥମ ପସନ୍ଦ ପାଲଟିଛି। ଏହାର ବିକାଶ, ପ୍ରଚାର ଓ ପ୍ରସାରରେ ମୁଁ ପାଠ୍ୟକ୍ରମ କରୁଛି।

ସମ୍ବନ୍ଧିତ ଖବର