ଭୁବନେଶ୍ବର: ଇଣ୍ଡୋନେସିଆର ଇଷ୍ଟ ଜାଭା ଗ୍ରେସିକ୍ରେ ଜୁନ୍ ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଚତୁର୍ଥ ଏଭିସି ମହିଳା ଚ୍ୟାଲେଞ୍ଜର୍ କପ୍ ମହିଳା ଭଲିବଲ୍ ପ୍ରତିଯୋଗିତା ଲାଗି ଭାରତୀୟ ଦଳ ଘୋଷିତ ହୋଇଛି। ଏହି ଦଳରେ ଓଡ଼ିଶାରୁ ଅନନ୍ୟା ଦାସ (ଲିବେରୋ) ଓ ଭାଲା ଚେତନା ସ୍ଥାନ ପାଇଛନ୍ତି। ଗତ ମାସରେ ଭାରତୀୟ ମହିଳା ଦଳ କାଠମଣ୍ଡୁଠାରେ କାଭା ଚାଲେଞ୍ଜ୍ କପ୍ ଜିତିବା ପରେ ଏହି ସୁଯୋଗ ପାଇଛି।
ସମାନ ଦଳ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ମଧ୍ୟ ଥାଇଲାଣ୍ଡ ଗସ୍ତ କରି ଏସୀୟ ବରିଷ୍ଠ ମହିଳା ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରିବ। କିଟ୍ ବିଶ୍ବବିଦ୍ୟାଳୟ ପରିସରରେ ଚାଲିଥିବା ଅଢ଼େଇ ସପ୍ତାହର ପ୍ରଶିକ୍ଷଣ ଶିବିର ଶେଷରେ ଭାରତୀୟ ଦଳ ଚୟନ କରାଯାଇଛି। ଦୁଇ ଓଡ଼ିଆ ଖେଳାଳିଙ୍କ ସହିତ ସମ୍ପୂର୍ଣ୍ଣ ଦଳକୁ ଭାରତୀୟ ଭଲିବଲ୍ ସଂଘ (ଭିଏଫଆଇ)ର ସଭାପତି ସାଂସଦ ଅଚ୍ୟୁତ ସାମନ୍ତ ଅଭିନନ୍ଦନ ସହ ଶୁଭକାମନା ଜଣାଇଛନ୍ତି।