ଧୋନିଙ୍କ ୱିକେଟ୍ ଦଖଲ ସ୍ବପ୍ନ ପୂରଣ କଲେ ଆଭେସ୍‌

ମୁମ୍ବାଇ : ଦିଲ୍ଲୀ କ୍ୟାପିଟାଲ୍ସର ଯୁବ ଦ୍ରୁତ‌ ବୋଲର୍‌ ଆଭେସ୍‌ ଖାନ୍‌ ତାଙ୍କ ଦୀର୍ଘଦିନର ସ୍ବପ୍ନକୁ ସାକାର କରିଛନ୍ତି। ଚେନ୍ନାଇ ସୁପର୍‌ କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ କିଂବଦନ୍ତି ଭାରତୀୟ କ୍ରିକେଟର୍‌ ମହେନ୍ଦ୍ର ସିଂହ ଧୋନିଙ୍କୁ ବୋଲ୍ଡ କରିବା ବେଳେ ତାଙ୍କର ଏହି ପ୍ରତୀକ୍ଷିତ ସ୍ବପ୍ନ ସାକାର ରୂପ‌ ନେଇଛି। ୨୪ ବର୍ଷୀୟ ଏହି ଇନ୍ଦୋର ‌କ୍ରିକେଟର୍‌ କେବଳ ‌ଧୋନିଙ୍କୁ ନୁହେଁ ସେହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ପୂର୍ବତନ ଅଧିନାୟକ ଫାପ୍ ଡୁ ପ୍ଲେସିସଙ୍କୁ ମଧ୍ୟ ଆଉଟ୍ କରିଥିଲେ। ‘ତିନି ବର୍ଷ ତଳେ ମାହି ଭାଇଙ୍କ ୱିକେଟ୍ ନେବା ଲାଗି ମୋା ନିକଟରେ ସ‌ୁଯୋଗ ଥିଲା। କିନ୍ତୁ କେହ‌ି ଜଣେ କ୍ୟାଚ୍‌ ଛାଡ଼ି‌ ଦେଇଥିଲେ। ଏବେ ସେହି ସ୍ବପ୍ନ ସାକାର ହୋଇଥିବାରୁ ମୁଁ ଖୁସି’ ବୋଲି ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ ଏହା କୁହାଯାଇଛି।

ମାହି ଭାଇ କିଛି ଦିନ ହେବ ପ୍ରତିଦ୍ବନ୍ଦ୍ବିତାମୂଳକ ମ୍ୟାଚ୍‌ ଖେଳିନଥିବାରୁ ଆମେ ତାଙ୍କ ଉପରେ ଚାପ ପକାଇବାକୁ ଯୋଜନା କରିଥିଲୁ, ଏହି ଚାପ ପାଇଁ ତାଙ୍କ ୱିକେଟ୍ ପାଇବା ସମ୍ଭବ ହୋଇଥିଲା ବୋଲି ଆଭେସ୍ ପ୍ରକାଶ କରିଛନ୍ତି। ଏହି ମ୍ୟାଚ୍‌ ପରେ ମୋ ଆତ୍ମବିଶ୍ବାସ ବି ବଢ଼ିଯାଇଛି। ଋଷବ ପନ୍ତ୍‌ ମୋତେ ମଧ୍ୟ ଢ଼େର ସମର୍ଥନ କରୁଛନ୍ତି। ପ୍ରତିଯୋଗିତା ପୂର୍ବରୁ ‌ଆଭେସ୍‌ ନିଜ ଫିଟନେସ୍‌ ଉପରେ ଢ଼େର କାମ କରିଥିଲେ ଏବଂ ବ୍ୟକ୍ତିଗତ ଡାଏଟିସିଆନ୍‌ ନିଯୁକ୍ତ କରି ୫ କିଲୋଗ୍ରାମ ଓଜନ ହ୍ରାସ କରିଥିଲେ। ୨୫ ଦିନ ପାଇଁ ମୁଁ ମୋ ପ୍ରିୟ ଖାଦ୍ୟକୁ ଛାଡ଼ି ଦେଇଛି। ଏହା ଦ୍ବାରା ମୁଁ ମୋ ବ୍ୟକ୍ତିଗତ ଲକ୍ଷ୍ୟରେ ପହଞ୍ଚି ପାରିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର