ନୂଆଦିଲ୍ଲୀ: ଟେବୁଲ ଟେନିସ କିଂବଦନ୍ତି ଅଚନ୍ତ ଶରତ କମଲଙ୍କ ନାମ ପୂର୍ବରୁ ବୁଧବାର ଆନୁଷ୍ଠାନିକ ଭାବେ ଖେଳରତ୍ନ ଯୋଡ଼ି ହୋଇଯାଇଛି। ଗତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଚମତ୍କାର ପ୍ରଦର୍ଶନ (୩ ସ୍ବର୍ଣ୍ଣ, ୧ ରୌପ୍ୟ) କରିଥିବା ଏହି ଟିଟି ତାରକା ଏଥରର ଏକମାତ୍ର କ୍ରୀଡ଼ାବିତ୍ ଭାବେ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ’ ପୁରସ୍କାର ଆଜି ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁଙ୍କଠାରୁ ଗ୍ରହଣ କରିଛନ୍ତି। ଏଥି ସହିତ ବୁଧବାର ରାଷ୍ଟ୍ରପତି ଭବନରେ ଆୟୋଜିତ ସରକାରୀ ଉତ୍ସବରେ ରାଷ୍ଟ୍ରପତି ମଧ୍ୟ ସମସ୍ତ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଓଡ଼ିଆ ଝିଅ ତଥା ଭାରତୀୟ ମହିଳା ହକି ଦଳର ଉପଅଧିନାୟିକା ଦିପଗ୍ରେସ୍ ଏକ୍କା ଏହି ଅବସରରେ ରାଷ୍ଟ୍ରପତିଙ୍କ ହାତରୁ ଅର୍ଜୁନ ପୁରସ୍କାର ଗ୍ରହଣ କରିଥିଲା ବେଳେ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (କିଟ୍)କୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର’ ମିଳିଛି। ମାତ୍ର ଜଣଙ୍କୁ ଖେଳରତ୍ନ ସମ୍ମାନ ମିଳିଥିଲା ବେଳେ ଏଥର ୨୫ ଜଣଙ୍କୁ ଅର୍ଜୁନ ପୁରସ୍କାର ଦିଆଯାଇଛି। ଅର୍ଜୁନ ପୁରସ୍କାର ପାଇବାରେ ଦୀପଗ୍ରେସ୍ ଦ୍ବାଦଶ ଓଡ଼ିଆ ଓ ରାଜ୍ୟର ଷଷ୍ଠ ହକି ଖେଳାଳି ହୋଇଛନ୍ତି। ପୂର୍ବରୁ ହକିରୁ ଦିଲୀପ ତିର୍କି, ଜ୍ୟୋତି ସୁନୀତା କୁଲୁ, ଇଗ୍ନେସ ତିର୍କି, ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ ଅର୍ଜୁନ ପୁରସ୍କାର ଲାଭ କରିସାରିଥିଲା ବେଳେ ଅନ୍ୟ କ୍ରୀଡ଼ାରୁ ମିନତି ମହାପାତ୍ର (ସାଇକ୍ଲିଷ୍ଟ), ବିଜୟ ଶତପଥୀ, କେ ରବିକୁମାର (ଉଭୟ ଭାରୋତ୍ତୋଳନ), ରଚିତା ପଣ୍ଡା, ଦୂତି ଚାନ୍ଦ (ଉଭୟ ଦୌଡ଼କୁଦ) ଏବଂ ପ୍ରମୋଦ ଭଗତ (ପାରା ବ୍ୟାଡମିଣ୍ଟନ୍) ୬୨ ବର୍ଷର ଅର୍ଜୁନ ପୁରସ୍କାର ଇତିହାସରେ ଏହି ଗୌରବ ପ୍ରାପ୍ତ ହୋଇଛନ୍ତି।
ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର: ଅଚନ୍ତ ଶରତ କମଲ (ଟେବୁଲ ଟେନିସ)। ଅର୍ଜୁନ ପୁରସ୍କାର: ସୀମା ପୁନିଆ, ଅଲ୍ଦୋସ ପଲ, ଅବିନାଶ ମୁକୁନ୍ଦ ସାବ୍ଲେ (ଆଥ୍ଲେଟିକ୍ସ), ଲକ୍ଷ୍ୟ ସେନ୍, ଏଚ୍ଏସ୍ ପ୍ରଣୟ (ବ୍ୟାଡ୍ମିଣ୍ଟନ), ଅମିତ, ନିଖତ ଜାରିନ (ମୁଷ୍ଟିଯୁଦ୍ଧ), ଭକ୍ତି ପ୍ରଦୀପ କୁଲକର୍ଣ୍ଣି, ଆର୍ ପ୍ରଜ୍ଞାନନନ୍ଦ (ଚେସ୍), ଦୀପଗ୍ରେସ୍ ଏକ୍କା (ହକି), ସୁଶୀଳା ଦେବୀ (ଜୁଡ଼ୋ), ସାକ୍ଷୀ କୁମାରୀ (କବାଡ଼ି), ନୟନମଣି ସାଇକିଆ (ଲନ୍ ବଲ୍), ସାଗର କୈଳାଶ ଓଭାଲକର (ମଲଖମ୍ବ), ଏଲାଭେନିଲ ଭାଲାରିଭାନ, ଓଁପ୍ରକାଶ ମିଥାରଭାଲ (ବନ୍ଧୁକଚାଳନା), ଶ୍ରୀଜା ଆକୁଲା (ଟିଟି), ବିକାଶ ଠାକୁର (ଭାରୋତ୍ତୋଳନ), ଅଂଶୁ, ସରିତା (କୁସ୍ତି), ପ୍ରବୀଣ (ଉଷୁ), ମାନସୀ ଯୋଷୀ, ତରୁଣ ଧିଲନ (ପାରା ବ୍ୟାଡ୍ମିଣ୍ଟନ), ସ୍ବପ୍ନୀଲ ସଂଜୟ ପାଟିଲ (ପାରା ସନ୍ତରଣ), ଜେରଲିନ ଅଙ୍କିତା ଜେ (ଡିଫ୍ ବ୍ୟାଡ୍ମିଣ୍ଟନ)। ଦ୍ରୋଣାଚାର୍ଯ୍ୟ ପୁରସ୍କାର: ଜୀବନଜ୍ୟୋତ ସିଂହ ତେଜା (ତୀରନ୍ଦାଜି), ମହମ୍ମଦ ଅଲୀ କାମର (ମୁଷ୍ଟିଯୁଦ୍ଧ), ସୁମା ସିଦ୍ଧାର୍ଥ ଶିରୁର (ପାରା ବନ୍ଧୁକଚାଳନା), ସୁଜିତ ମାନ (କୁସ୍ତି)। ଦ୍ରୋଣାଚାର୍ଯ୍ୟ ପୁରସ୍କାର (ଜୀବନବ୍ୟାପୀ): ଦୀନେଶ ଜବାହର ଲାଡ (କ୍ରିକେଟ୍), ବିମଲ ପ୍ରଫୁଲ ଘୋଷ (ଫୁଟ୍ବଲ୍), ରାଜ ସିଂହ (କୁସ୍ତି)। ଧ୍ୟାନ୍ ଚାନ୍ଦ ପୁରସ୍କାର (ଜୀବନବ୍ୟାପୀ): ଅଶ୍ବିନୀ ଅଙ୍କୁଜି (ଆଥ୍ଲେଟିକ୍ସ), ଧରମବୀର ସିଂହ (ହକି), ବିସି ସୁରେଶ (କବାଡ଼ି), ନିର୍ ବାହାଦୁର ଗୁରୁଙ୍ଗ (ପାରା ଆଥ୍ଲେଟିକ୍ସ)। ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର: ଟ୍ରାନ୍ସଷ୍ଟାଡିଆ ଏଣ୍ଟରପ୍ରାଇଜେସ ପ୍ରାଇଭେଟ୍ ଲିମିଟେଡ୍, କଳିଙ୍ଗ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (କିଟ୍), ଲଦାଖ ସ୍କି ଓ ସ୍ନୋବୋର୍ଡ ସଂଘ। ମୌଲାନା ଅବୁଲ କଲାମ ଆଜାଦ (ମାକା) ଟ୍ରଫି: ଅମୃତସରର ଗୁରୁ ନାନକ ଦେବ ବିଶ୍ବବିଦ୍ୟାଳୟ।