ଭୁବନେଶ୍ୱର: ଉତ୍କଳ କରାଟେ ସ୍କୁଲ ପରିସରରେ ମଙ୍ଗଳବାର ମଧ୍ୟାହ୍ନ ଥିଲା ଜାତୀୟ ପଦକ ବିଜେତାଙ୍କ ସମ୍ବର୍ଧନା ପର୍ବ। କରାଟେ ଏବଂ ଜୁଜୁତ୍ସୁରେ ଜାତୀୟ ପ୍ରତିଯୋଗିତା ପଦକ ଜିତିଥିବା ଖେଳାଳିଙ୍କୁ ଆର୍ଥିକ ପୁରସ୍କାର ସହିତ ରାଜ୍ୟ ସଂଘ ପକ୍ଷରୁ ସମ୍ବର୍ଧିତ କରାଯାଇଥିଲା। କରାଟେରେ ଭାଲିନା ଭାଲେଣ୍ଟିନା, ପାୟଲ ବରାଳ ଏବଂ ଜୁଜୁତ୍ସୁରେ ଅନୁପମା ସ୍ୱାଇଁ, ପ୍ରିୟଦର୍ଶିନୀ ଘଟୁଆରି ପଦକ ଜିତିଥିବାରୁ ସମ୍ବର୍ଧିତ ହୋଇଥିଲେ। ଏହି ଅବସରରେ ଉଭୟ ଖେଳରେ ଚଳିତ ବର୍ଷ ଏସୀୟ ସୁଯୋଗ ମିଳିବ ବୋଲି ଆଶା ପ୍ରକାଶ କରିଥିଲେ କ୍ରୀଡ଼ା ଡକ୍ଟର ଗୁରୁ ହରି ପ୍ରସାଦ ପଟ୍ଟନାୟକ।
କୋଲ୍କାତାର ନେତାଜୀ ଇନଡୋର୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ଜାତୀୟ କରାଟେ ପ୍ରତିଯୋଗିତାରେ ଭାଳଲିନା ଭାଲେଣ୍ଟିନା ମହିଳା ବିଭାଗ କାଟାରେ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ଫାଇଟ୍ରେ ପାୟଲ ବରାଳ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହି ଦୁଇ ଖ୍ୟାତନାମା ଅନ୍ତର୍ଜାତୀୟ କରାଟେକାଙ୍କୁ ରାଜ୍ୟ କରାଟେ ସଂଘ ଓସ୍କା ପକ୍ଷରୁ ୫ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ସହିତ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା। ରାଜ୍ୟ ସଂଘ ପକ୍ଷରୁ ସମ୍ପାଦକ ଡକ୍ଟର ହରି ପ୍ରସାଦ ପଟ୍ଟନାୟକ, ସନତ ମିଶ୍ର, ସଂଜୟ ଦାସ, ଇଂ ଚିତ୍ତରଂଜନ ସ୍ୱାଇଁ, ଗୌରୀ ମହାନ୍ତି, ହିମାଂଶୁ ଶେଖର ଦାସ, ମୀର ଆଜମତ୍ ଅଲୀ, ଖାରବେଳ ସ୍ୱାଇଁ, ଅରବିନ୍ଦ ପଟ୍ଟନାୟକ ଏହି ଅବସରରେ ଉପସ୍ଥିତ ରହି ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲେ।
ସେହିଭଳି କରାଟ ଭଳି ଅନ୍ୟତମ ଉଦିତ ଆତ୍ମରକ୍ଷା ଖେଳ ଜୁଜୁତ୍ସୁର ଜାତୀୟ ପ୍ରତିଯୋଗିତା କେରଳରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶାର ୪ ଜଣ ଜିତିଥିଲେ ୬ ସ୍ୱର୍ଣ୍ଣ ପଦକ। ବିବିଧ କ୍ରୀଡ଼ାରେ ସଫଳତା ଅର୍ଜନ କରିଥିବା ଅନୁପମା ସ୍ୱାଇଁ ୧ ସ୍ୱର୍ଣ୍ଣ ସହ ୨ ରୌପ୍ୟ ପଦକ ଜିତିଥିବାରୁ ୫ ହଜାର ଟଙ୍କା ସହ ପୁଷ୍ପଗୁଚ୍ଛ ସହ ସମ୍ବର୍ଧିତ ହୋଇଥିଲେ। ଓଡ଼ିଶା ପୁଲିସ୍ରେ ନବନିଯୁକ୍ତ ଅନୁପମା ସ୍ୱାଇଁ କଣ୍ଟାକ୍ଟ ଫାଇଟରେ ସ୍ୱର୍ଣ୍ଣ, ଜୁଜୁତ୍ସୁ ପୋଷାକ ଓ ସାଧାରଣ ପୋଷାକରେ ଗୋଟିଏ ଲେଖାଏଁ ରୌପ୍ୟ ପଦକ ଜିତିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଅନୁପମା ଗତ ଏସୀୟ ଶକ୍ତିଉତ୍ତୋଳନରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ। ସେହିଭଳି ପ୍ରିୟଦର୍ଶିନୀ ଘଟୁଆରି ମଧ୍ୟ କେରଳ ଜାତୀୟ ଜୁଜୁତ୍ସୁରେ ପଦକ ଜିତିଥିବାରୁ ସମ୍ବର୍ଧିତ ହୋଇଥିଲେ। ଶ୍ରୀକାନ୍ତ ଶେଖର ଜୁଜୁତ୍ସୁ ପୋଷାକ ସହ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ପ୍ରିୟଦର୍ଶିନୀ ଘଟୁଆରି (ଏମ୍ବିଏସ୍ ପବ୍ଲିକ୍ ସ୍କୁଲ୍) ଓ ସତ୍ୟ ବେଉରିଆ ଜୁୁଜୁତ୍ସୁ ପୋଷାକ ସହ ଫାଇଟିଂରେ ଗୋଟିଏ ଲେଖାଏଁ ରୌପ୍ୟ ପଦକ ଜିତିଥିଲେ। ମଙ୍ଗଳବାର ସମ୍ବର୍ଧନା ସଭାରେ ଅନୁପମା ଓ ପ୍ରିୟଦର୍ଶିନୀ ଉପସ୍ଥିତ ଥିବାବେଳେ ବାଙ୍ଗାଲୋରରେ ଅଭ୍ୟାସ କରୁଥିବାରୁ ଶ୍ରୀକାନ୍ତ ଓ ସତ୍ୟ ସମ୍ବର୍ଧନାରୁ ବଞ୍ଚିତ ହୋଇଥିଲେ। ଦଳର ପ୍ରଶିକ୍ଷକ ବିଶ୍ୱଦେବ ପଟ୍ଟନାୟକ ମଧ୍ୟ ସମ୍ବର୍ଧିତ ହୋଇଥିଲେ। ସ୍ୱର୍ଣ୍ଣ ଓ ରୌପ୍ୟ ବିଜେତା ଆସନ୍ତା ଏସୀୟ କ୍ରୀଡ଼ା ଶିବିର ଲାଗି ଯୋଗ୍ୟତା ଅର୍ଜନ କରିଥିବା ସୂଚନା ମିଳିଛି। ମଙ୍ଗଳବାର ସମ୍ବର୍ଧନା ସଭାରେ ଓଡ଼ିଶା ଜୁଜୁତ୍ସୁ ସଂଘ ପକ୍ଷରୁ ଡକ୍ତରର ହରି ପ୍ରସାଦ ପଟ୍ଟନାୟକ ଏବଂ ସଭାନେତ୍ରୀ ଗୌରୀ ମହାନ୍ତି ଉପସ୍ଥିତ ଥିଲେ।