ଜାତୀୟ କ୍ରୀଡ଼ା ପଦକ ବିଜେତାଙ୍କୁ ପୁରସ୍କୃତ, ସରକାର ଦେଲେ ୩ କୋଟି ୧୬ ଲକ୍ଷ

ଭୁବନେଶ୍ବର: ଗୁଜରାଟରେ ଶେଷ ହୋଇଥିବା ୩୬ତମ ଜାତୀୟ କ୍ରୀଡ଼ାର ପଦକ ବିଜେତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। କଳିଙ୍ଗ ଷ୍ଟାଡିୟମ୍‌ର ବିଜୁ ପଟ୍ଟନାୟକ ଭାରୋତ୍ତୋଳନ ହଲ୍‌‌ରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତୀ ବେହେରା ମୁଖ୍ୟ ଅତିଥି, ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କି ଓ କ୍ରୀଡ଼ା ସଚିବ ଆର୍‌. ଭିନିଲକ୍ରିଷ୍ଣାଙ୍କ ଉପସ୍ଥିତିରେ ସମସ୍ତ ପଦକଧାରୀଙ୍କୁ ଅର୍ଥରାଶି ସହ ପୁରସ୍କୃତ କରାଯାଇଥିଲା। ସ୍ବର୍ଣ୍ଣ ପଦକ ବିଜେତାଙ୍କୁ ୫ ଲକ୍ଷ, ରୌପ୍ୟ ପଦକ ବିଜେତାଙ୍କୁ ୩ ଲକ୍ଷ ଏବଂ କାଂସ୍ୟ ପଦକ ବିଜେତାଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି। ଦଳଗତ ଇଭେଣ୍ଟଗୁଡ଼ିକରେ ମଧ୍ୟ ଖେଳାଳିଙ୍କ ପିଛା ଏହି ଅର୍ଥ ପ୍ରଦାନ କରାଯାଇଛି। ମୋଟ ୩ କୋଟି ୧୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କାଯାଇଛି। ଦଳଗତ ଇଭେଣ୍ଟ ମଧ୍ୟରେ ସ୍ବର୍ଣ୍ଣ ପଦକ ବିଜେତା ମହିଳା ରଗ୍‌ବି ଦଳକୁ ୬୦ ଲକ୍ଷ, ରୌପ୍ୟ ପଦକ ବିଜେତା ଖୋଖୋ ଦଳକୁ ୪୫ ଲକ୍ଷ, ମହିଳା ଫୁଟ୍‌ବଲ ଦଳକୁ ୬୦ ଲକ୍ଷ ଟଙ୍କା ଦିଆଯାଇଛି। ମୋଟ୍‌ ୧୪ ଦଳଗତ ସହ ଓଡ଼ିଶା ୨୬ ପଦକ ସହ ଜାତୀୟ କ୍ରୀଡ଼ାରେ ୧୭ତମ ସ୍ଥାନରେ ରହିଥିଲା। ସେଥିମଧ୍ୟରେ ୪ ସ୍ବର୍ଣ୍ଣ ପଦକ ସାମିଲ ଥିଲା। ଓଡ଼ିଶାକୁ ପ୍ରତିନିଧିତ୍ବ କରିଥିବା ସମସ୍ତ କ୍ରୀଡ଼ାବିତ୍‌ଙ୍କ ସହ ସର୍ଭିସେସ୍‌ ପକ୍ଷରୁ ଖେଳି ପଦକ ଜିତିଥିବା ଦୁଇଜଣଙ୍କୁ ମଧ୍ୟ ଆର୍ଥିକ ପୁରସ୍କାର ଦିଆଯାଇଥିଲା। ସାଇକ୍ଲିଂରେ ଦୀନେଶ କୁମାର ୩ ସ୍ବର୍ଣ୍ଣ ଏବଂ ଭାରୋତ୍ତୋଳନରେ ମୁନା ନାୟକ ରୌପ୍ୟ ପଦକ ଜିତିଥିବାରୁ ଏମାନଙ୍କୁ ଯଥାକ୍ରମେ ୧୫ ଲକ୍ଷ ଓ ୩ ଲକ୍ଷ ଟଙ୍କା ପୁରସ୍କାର ଦିଆଯାଇଥିଲା। ହେଲେ ଉଭୟ ‌ଅନୁପସ୍ଥିତ ଥିବାରୁ ସେମାନଙ୍କ ପରିବାର ଲୋକେ ଏହି ପୁରସ୍କାର ଗ୍ରହଣ କରିଥିଲେ।

ଖେଳାଳିଙ୍କୁ ଅର୍ଥ ପୁରସ୍କାର, ପ୍ରଶିକ୍ଷକଙ୍କୁ ଭୂଲିଗଲେ
ଜାତୀୟ କ୍ରୀଡ଼ାର ପଦକଧାରୀଙ୍କୁ ପୁରସ୍କୃତ କରିବା ପାଇଁ ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମ ପରିସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା। ବିଜେତାଙ୍କୁ ୫ ଲକ୍ଷ, ୩ ଲକ୍ଷ ଓ ୨ ଲକ୍ଷ ଲେଖାଏଁ ବ୍ୟକ୍ତିଗତ ଭାବେ ପୁରସ୍କାର ବ୍ୟବସ୍ଥା ହେଲା। କିନ୍ତୁ ଯେଉଁ ପ୍ରଶିକ୍ଷକମାନେ ଦିନରାତି ଏକକରି ଖେଳାଳିଙ୍କୁ ସଫଳତା ପଥରେ ଆଗେଇ ନେବାକୁ ଉଦ୍ୟମ କରିଥିଲେ, ସେମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରାଗଲା ନାହିଁ। କେବଳ ଖେଳାଳିଙ୍କୁ ପୁରସ୍କାର ଦିଆଯାଉଥିବା ସମୟରେ ପ୍ରଶିକ୍ଷକଙ୍କୁ ଡକାଇ ଏକାଠି ଫଟୋ ଉଠାଯିବା ପରେ ଛାଡ଼ି ଦିଆଯାଉଥିଲା। ଏହି ପୁରସ୍କାର କାର୍ଯ୍ୟକ୍ରମ ବେଳେ ପ୍ରଶିକ୍ଷକମା‌ନେ କିଛି ଆର୍ଥିକ ଲାଭବାନ୍‌ ହେବେ ବୋଲି ଆଶା ରଖିଥିଲେ। ଏପରିକି କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ସେମାନଙ୍କ ପାଇଁ କ’ଣ ବ୍ୟବସ୍ଥା ହୋଇଛି ବୋଲି ପରସ୍ପର ଭିତରେ ଆଲୋଚନା ହୋଇଥିଲା। କିନ୍ତୁ ମଞ୍ଚ ଉପରେ ପୁରସ୍କାର ଘୋଷଣା କରାଯିବା ବେଳକୁ ପ୍ରଶିକ୍ଷକମାନଙ୍କ ପାଇଁ କିଛି ବି ବ୍ୟବସ୍ଥା ହୋଇନଥିବା ଜଣାପଡ଼ିଥିଲା। ହେଲେ କ୍ରୀଡ଼ା ମନ୍ତ୍ରୀ ଓ ସଚିବଙ୍କୁ ଏ ବିଷୟରେ ଅଭିଯୋଗ କରିବାକୁ କେହି ସାହସ ଜୁଟାଇ ପାରୁନଥିଲେ। ତଥାପି ଏସଂପର୍କରେ ମନ୍ତ୍ରୀ ତୁଷାରକାନ୍ତୀ ବେହେରାଙ୍କୁ ପଚରାଯିବାରୁ ସେ ପ୍ରଶିକ୍ଷକଙ୍କ ପାଇଁ ପ୍ରୋତ୍ସାହନ ବ୍ୟବସ୍ଥା କରାଯାଉଥିବା କହି ଏଡ଼ାଇ ଯାଇଥିଲେ। ଖେଳାଳିମାନଙ୍କୁ ପ୍ରଶିକ୍ଷକମାନେ ଯେପରି ଗୁଣାତ୍ମକ ପ୍ରଶିକ୍ଷଣ ଦେବେ ତାହା ଉପରେ ଧ୍ୟାନ ଦିଆଯିବ। ରାଜ୍ୟରେ ବର୍ତ୍ତମାନ ଖେଳାଳିଙ୍କ ସଂଖ୍ୟା ଅଧିକ ହେଲାଣି। କିନ୍ତୁ ସେହି ତୁଳନାରେ ପ୍ରଶିକ୍ଷକଙ୍କ ସଂଖ୍ୟା କମ୍‌। ସେଥିପାଇଁ ଆଗକୁ ଅଧିକ ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ପରବର୍ତ୍ତୀ ସମୟରେ ଯେଉଁ କ୍ରୀଡ଼ାରୁ ସଫଳତା ମିଳିବ, ତାହାର ପ୍ରଶିକ୍ଷକଙ୍କୁ ସରକାରଙ୍କ ପକ୍ଷରୁ ପୁରସ୍କୃତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରତିକ୍ରିୟା ଦେଇଥିଲେ।

ଅନ୍ୟପକ୍ଷରେ ରାଜ୍ୟ କ୍ରୀଡ଼ାରୁ ଅଧିକରୁ ଅଧିକ ପଦକ ଆସିବାକୁ ଆହୁରି ୪ରୁ ୫ ବର୍ଷ ସମୟ ଲାଗିବ ବୋଲି ମନ୍ତ୍ରୀ କହିଛନ୍ତି। ଜାତୀୟ କ୍ରୀଡ଼ାରେ ଯଦିଓ ଓଡ଼ିଶା ପଦକ ସଂଖ୍ୟାରେ ବୃଦ୍ଧି ହୋଇଛି। କିନ୍ତୁ ଅଳ୍ପ କିଛି ଇଭେଣ୍ଟକୁ ଛାଡ଼ିଦେଲେ ଅନ୍ୟମାନଙ୍କ ପ୍ରଦର୍ଶନ ସନ୍ତୋଷଜନକ ହୋଇପାରିନି। ତେବେ ସବୁ ବିଭାଗରୁ ଏକାଥରକେ ପଦକ ଆସିପାରିବନି ବୋଲି ମନ୍ତ୍ରୀ କହିଥିଲେ। ସରକାର କେବଳ ଭିତ୍ତିଭୂମି ଉପରେ ବିନିଯୋଗ କରୁନାହାନ୍ତି। ତୃଣମୂଳସ୍ତରରୁ ପ୍ରତିଭାବାନ୍‌ ଖେଳାଳିଙ୍କୁ ବାଛିବା ଦିଗରେ କାର୍ଯ୍ୟକ୍ରମ କରାଯାଉଛି। ୧୦ରୁ ୧୨ ବର୍ଷ ବୟସରୁ ସେମାନଙ୍କୁ କ୍ରୀଡ଼ା ଛାତ୍ରାବାସକୁ ଅଣାଯାଇ ୮ରୁ ୯ ବର୍ଷ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦିଆଯିବା ପରେ ନିଶ୍ଚୟ ସଫଳତା ମିଳିବ। କଳିଙ୍ଗ ଷ୍ଟାଡିୟମରେ ବର୍ତ୍ତମାନ ୧୧ ହାଇ ପରଫର୍ମାନ୍ସ ସେଣ୍ଟର ଏଦିଗରେ କାର୍ଯ୍ୟ କରୁଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର