ବ୍ୟାଙ୍କକ୍ : ୧୫ ଦିନ ମଧ୍ୟରେ ଡେନ୍ମାର୍କର ଭିକ୍ଟର ଆକ୍ସେଲସେନ୍ ଦ୍ବିତୀୟ ଥର ଲାଗି ଥାଇଲାଣ୍ଡ ଓପନ୍ ବ୍ୟାଡ୍ମିଣ୍ଟନ୍ ମୁକୁଟ କରାୟତ୍ତ କରିଛନ୍ତି। ବ୍ୟାଙ୍କକ୍ରେ ଖେଳାଯାଇଥିବା ଏହି ପ୍ରତିଯୋଗିତାର ରବିବାର ପୁରୁଷ ଏକକ ଫାଇନାଲ୍ରେ ୨୭ ବର୍ଷୀୟ ଆକ୍ସେଲସେନ୍ ୨୧-୧୧, ୨୧-୭ରେ ନିଜ ଦେଶର ହନ୍ସ-କ୍ରିଷ୍ଟିଆ୍ ସୋଲବର୍ଗ ଭିଟ୍ଟିଙ୍ଗହୁସଙ୍କୁ ପରାସ୍ତ କରିଥିଲେ। କରୋନା ଯୋଗୁଁ ଥାଇଲାଣ୍ଡରେ ଜୈବ ସୁରକ୍ଷା ବଳୟ ମଧ୍ୟରେ ଲଗାତାର ୩ ପ୍ରତିଯୋଗିତା ହେବ। ଏହା ମଧ୍ୟରୁ ୨ଟି ସରିଥିଲା ବେଳେ ଆକ୍ସେଲସେନ୍ ଉଭୟର ପୁରୁଷ ଏକକ ଟ୍ରଫି କରାୟତ୍ତ କରିଛନ୍ତି। ମହିଳା ଏକକରେ ସ୍ପେନ୍ର କାରୋଲିନା ମାରିନ ୨୧-୧୯, ୨୧-୧୭ରେ ଚାଇନିଜ୍ ତାଇପେର ଟାଇ ଟିଜୁ ୟିଙ୍ଗ୍ଙ୍କୁ ପରାସ୍ତ କରି ଟ୍ରଫି ଜିତିଛନ୍ତି।
ଅଷ୍ଟ୍ରେଲିଆନ୍ ଓପନ୍ ସଙ୍ଗରୋଧରେ ୯ ଜଣଙ୍କୁ କରୋନା
ମେଲ୍ବର୍ଣ୍ଣ : ଆସନ୍ତା ମାସ ୮ରୁ ୨୪ ତାରିଖ ପର୍ଯ୍ୟନ୍ତ ମେଲ୍ବର୍ଣ୍ଣରେ ଜୈବ ସୁରକ୍ଷିତ ବଳୟ ମଧ୍ୟରେ ଅଷ୍ଟ୍ରେଲିଆ ଓପନ୍ ଟେନିସ ପ୍ରତିଯୋଗିତା ଖେଳାଯିବ। ଏହା ପୂର୍ବରୁ ଖେଳାଳି ଓ ସପୋର୍ଟ ଷ୍ଟାଫ୍ମାନେ ମେଲ୍ବର୍ଣ୍ଣ ପହଞ୍ଚି କରୋନା କଟକଣା ମୁତାବକ ବାଧ୍ୟତାମୂଳକ ସଂଗରୋଧରେ ରହିଛନ୍ତି। ସଂଗରୋଧରେ ଥିବାବେଳେ ଏମାନଙ୍କ ମଧ୍ୟରୁ ୯ ଜଣଙ୍କ ନିକଟରେ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ଏଥିରେ ୪ ଖେଳାଳି ରହିଥିବା ସୂଚନା ମିଳିଛି। କେବଳ ସ୍ପେନ୍ର ପୌଲା ବାଦୋସା କରୋନା ଆକ୍ରନ୍ତ ହୋଇଥିବା ସ୍ପଷ୍ଟ କରିଥିଲା ବେଳେ ଅନ୍ୟମାନଙ୍କ ସଂପର୍କରେ ସୂଚନା ଦିଆଯାଇନି। କିନ୍ତୁ ରବିବାର ଜଣେ ଖେଳାଳିଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି।