ଅଷ୍ଟ୍ରେଲିଆ‌ ବିପକ୍ଷ ପ୍ରଥମ ଟେ‌ଷ୍ଟ୍‌ରୁ ଆୟର ବାଦ୍‌; ଜାଦେଜା ଫିଟ୍‌

ଭିସା ବିଳମ୍ବ ପାଇଁ ଆସିପାରିଲେନି ଖୱାଜା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଟେଷ୍ଟ୍‌ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରୁ ‌ଭାରତୀୟ ବ୍ୟାଟର୍‌ ଶ୍ରେୟସ ଆୟର ବାଦ୍‌ ପଡ଼ିବା ନିଶ୍ଚିତ ହୋଇଛି। ପିଠି ଯନ୍ତ୍ରଣା ଯୋଗୁଁ ‌ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାରୁ ଓହରି ଯାଇଥିବା ଆୟର ସଂପ୍ରତି ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍‌ ଏକାଡେମି (ଏନ୍‌ସିଏ)ରେ ପୁନଃଥଇଥାନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଏବେ ସେ ସମ୍ପୂର୍ଣ୍ଣ ଫିଟ୍‌ ‌‌ହୋଇନଥିବାରୁ ନାଗପୁରରେ ଚଳିତ ମାସ ୯ ତାରିଖରୁ ଆରମ୍ଭ ହେବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍‌ ଖେଳିପାରିବେନି। ଯଦି ଏନ୍‌ସିଏ ଦ୍ବାରା ଫିଟ୍‌ ଘୋଷିତ ହୁଅନ୍ତି ତେବେ ଦ୍ବିତୀୟ ଟେଷ୍ଟ ବେଳକୁ ଦଳକୁ ଫେରିବେ।

ଦ୍ବିତୀୟ ଟେ‌ଷ୍ଟ ୧୭ରୁ ଦିଲ୍ଲୀରେ ଖେଳାଯିବ। ଗୋଟିଏ ସପ୍ତାହରୁ ଅଧିକ ଦିନ ହେବ ଏନ୍‌ସିଏରେ ରହିଥିବା ‌ଆୟର ଗୁରୁବାରଠୁ ନାଗପୁରରେ ଆରମ୍ଭ ହେବାକୁଥିବା ପ୍ରସ୍ତୁତି ଶିବିରରେ ଯୋଗଦେବାର ସମ୍ଭାବନା ରହିଛି। ତେଣୁ ସେ ବେଙ୍ଗାଲୁରୁରୁ ନାଗପୁର ଗସ୍ତ କରିପାରନ୍ତି ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଆହତ ‌ଯୋଗୁଁ ଦଳଠୁ ଦୂରେଇ ରହିଥିବା ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଦେଜା ଦଳକୁ ଫେରିଛନ୍ତି। ଫିଟ୍‌ନେସ୍‌ ସର୍ତ୍ତରେ ଜାଦେଜା ପ୍ରଥମ ଦୁଇ ଟେଷ୍ଟ ଲାଗି ଦଳରେ ସ୍ଥାନ ପାଇଥିଲେ। ସଂପ୍ରତି ‌ସେ ‌ସୌରାଷ୍ଟ୍ର ପକ୍ଷରୁ ତାମିଲନାଡ଼ୁ ବିପକ୍ଷରେ ରଣଜୀ ମ୍ୟାଚ୍‌ ଖେଳି ଫିଟ୍‌ନେସ୍‌ର ପ୍ରମାଣ ଦେଇଛନ୍ତି। ‌ସେ ରଣଜୀ ମ୍ୟାଚ୍‌ର ଦ୍ବିତୀୟ ପାଳିରେ ୭ ୱିକେଟ୍‌‌ ନେଇ ଫର୍ମରେ ଥିବ‌ା ପ୍ରମାଣ କରିଛନ୍ତି। ଏହି ମ୍ୟାଚ୍‌ରେ ସେ ୪୧.୧ ଓଭର ବୋଲିଂ କରିଥିଲା ବେଳେ ଦୁଇ ପାଳିରେ ଯଥାକ୍ରମେ ୧୫ ଓ ୨୫ ରନ୍‌ କରିଥିଲେ।

ଭିସା ବିଳମ୍ବ ପାଇଁ ଆସିପାରିଲେନି ଖୱାଜା
ମେଲ୍‌ବର୍ଣ୍ଣ: ଅଷ୍ଟ୍ରେଲିଆ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳିବା ଲାଗି ଭାରତ ଗସ୍ତରେ ଆସିଛି। ହେଲେ ଭିସା ବିଳମ୍ବ ଲାଗି ଓପନର୍‌ ଉସ୍‌ମାନ ଖୱାଜା ଦଳ ସହ ଭାରତ ଗସ୍ତ କରିପାରିନାହାନ୍ତି ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ) କହିଛି। ପାକିସ୍ତାନ ଜନ୍ମିତ ଖୱାଜା ଏକମାତ୍ର ଖେଳାଳି ଭାବେ ଅଷ୍ଟ୍ରେଲିଆ ଦଳ ସହ ଭାରତ ଯାଇପାରିନାହାନ୍ତି। କାରଣ ତାଙ୍କ ଭିସା ବିଳମ୍ବ ହେବାରୁ ଏଭଳି ହୋଇଛି। ତାଙ୍କ ଭିସା ବୁଧବାର ରାତି ଭିତରେ ମିଳିବାର ସମ୍ଭାବନା ରହିଛି। ଭିସା ଆସିବା ପରେ ‌ଗୁରୁବାର ସେ ଭାରତ ଯିବେ। ଭିସା ଯୋଗୁଁ ଭାରତ ଗସ୍ତରେ ଯାଇପାରିନଥିବା ଖୱାଜା ବଗିଚାରେ ବସିଥିବାର ଏକ ଫଟୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ମଜାଦାର ଶିରୋନାମା ଲେଖିଛନ୍ତି। ‘‘ମୁଁ ଭାରତୀୟ ଭିସା ଅପେକ୍ଷାରେ, ମୋତେ ଛାଡ଼ ନାହିଁ, ଯେକୗଣସି ସମୟରେ ଯିବି’’

ସମ୍ବନ୍ଧିତ ଖବର