ଆୟର-ତ୍ରିପାଠୀ ଘାଇଲା କଲେ: ମୁମ୍ବାଇ ପୁଣି ହାରିଲା

ଆବୁଧାବି: ଆଇପିଏଲ୍‌-୨୦୨୧ର ଦ୍ବିତୀୟ ଚରଣରେ ଗତଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ ଲାଗାତାର ପରାଜୟ ବରଣ କରିଛି। ପ୍ରଥମ ମ୍ୟାଚ୍‌ରେ ପୁରୁଣା ପ୍ରତିଦ୍ବନ୍ଦ୍ବୀ ଚେନ୍ନାଇ ସୁପରକିଙ୍ଗ୍ସଠାରୁ ୨୦ ରନ୍‌ରେ ପରାଜିତ ହୋଇଥିବା ମୁମ୍ବାଇ ଗୁରୁବାର ନିଜ ଦ୍ବିତୀୟ ମୁକାବିଲାରେ କୋଲକାତା ନାଇଟ୍ ରାଇଡର୍ସଠାରୁ ୭ ୱିକେଟ୍‌ରେ ହାରି ଯାଇଛି। ଫଳରେ ଦ୍ବିତୀୟ ଚରଣର ଉଭୟ ମ୍ୟାଚ୍‌କୁ ହାରି ପଏଣ୍ଟ୍‌ ତାଲିକାର ଚତୁର୍ଥରୁ ଷଷ୍ଠ ସ୍ଥାନକୁ ଖସି ଯାଇଛି। ଅନ୍ୟପକ୍ଷରେ କେକେଆର୍‌ ଦ୍ବିତୀୟ ଚରଣରେ ଖେଳିଥିବା ଦୁଇଟି ଯାକ ମ୍ୟାଚ୍ ଜିତି ଷଷ୍ଠରୁ ଚତୁର୍ଥ ସ୍ଥାନକୁ ଉଠିଛି। ଏହି ଦୁଇ ଦଳ ସ୍ଥାନ ଅଦଳବଦଳ କରିବା ପରେ ଚତୁର୍ଥ ବିଜୟ ପାଇଥିବା କେକେଆର୍‌ ନିଜ ପ୍ଲେ ଅଫ୍ ଆଶାକୁ ଉଜ୍ଜୀବିତ ରଖିଛି।

ଆଇପିଏଲ୍‌ର ଏହି ୩୪ତମ ମ୍ୟାଚ୍‌ରେ ମୁମ୍ବାଇ ଧାର୍ଯ୍ୟ କରିଥିବା ୧୫୬ ରନ୍‌ର ଲକ୍ଷ୍ୟକୁ କେକେଆର୍‌ ୪.୫ ଓଭର ପୂର୍ବରୁ ମାତ୍ର ୩ ୱିକେଟ୍ ହରାଇ ହାସଲ କରି ନେଇଥିଲା। କେକେଆର୍‌ ବ୍ୟାଟ୍ସମ୍ୟାନ୍ ଆରମ୍ଭରୁ ନିଜ ଆକ୍ରମଣାତ୍ମକ ଆଭିମୁଖ୍ୟ ସ୍ପଷ୍ଟ କରି ଦେଇଥିଲେ। ବିଶେଷ କରି ମଧ୍ୟପ୍ରଦେଶର ୨୬ ବର୍ଷୀୟ ତାରକା ଭେଙ୍କଟେଶ ଆୟର ବିସ୍ଫୋରକ ବ୍ୟାଟିଂ କରି ଦୁର୍ଦ୍ଧର୍ଷ ମୁମ୍ବାଇ ବୋଲିଂ ବାହିନୀର ମନୋବଳ ଏକପ୍ରକାର ଦୋହଲାଇ ଦେଇଥିଲେ। ସେହିଭଳି ରାହୁଲ ତ୍ରିପାଠୀ ମଧ୍ୟ ଧମାକାଦାର ବ୍ୟାଟିଂ କରିଥିଲେ। ଭେଙ୍କଟେଶ ଗୁରୁବାର ନିଜ ପ୍ରଥମ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଅନ୍ୟପକ୍ଷରେ ତ୍ରିପାଠୀ ୭୪* ରନ୍‌ର ସ୍ମରଣୀୟ ପାଳି ଖେଳିଥିଲେ। ଉଭୟ ଦ୍ବିତୀୟ ୱିକେଟ୍‌ରେ ୮୮ ରନ୍ ଯୋଡ଼ି ‌କେକେଆର୍ ବିଜୟକୁ ପକ୍କ‌ା କରି ଦେଇଥିଲେ। ପ୍ରତିପକ୍ଷ ଅଧିନାୟକ ରୋହିତ ଶର୍ମାଙ୍କୁ ଚୌକା ମାରି ନୀତୀଶ ରାଣା କିନ୍ତୁ କେକେଆର୍‌ ସହଜ ବିଜୟରେ ମୁଣ୍ଡି ମାରିଥିଲେ। ଶାଣିତ ବୋଲିଂ ପାଇଁ ସ୍ପିନର ସୁନିଲ ନାରାୟଣ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥି‌ଲେ।

କୋଲ୍‌କାତା ବୋଲରଙ୍କ ଆଧିପତ୍ୟ
ଦ୍ବିତୀୟ ଚରଣର ପ୍ରଥମ ମ୍ୟାଚ୍ ଖେଳି ନଥିବା ଅଧିନାୟକ ରୋହିତ ଶର୍ମା ଗୁରୁବାର ଦ୍ବିତୀୟ ମ୍ୟାଚ୍‌କୁ ଫେରିଥିବାରୁ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଶଂସକ ବେଶ୍ ଉଲ୍ଲସିତ ଥିଲେ। ରୋହିତ କିନ୍ତୁ ଟସ୍‌ ହାରି ଯାଇଥିଲେ। ଫଳରେ ପାଗ ଓ ପରିବେଶର ଫାଇଦା ନେବା ଲାଗି କେକେଆର୍‌ ଅଧିନାୟକ ଇଅନ ମୋର୍ଗାନ୍ ତୁରନ୍ତ ମୁମ୍ବାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ରୋହିତ ଓ କ୍ବିଣ୍ଟନ୍ ଡି’କକ୍ ପ୍ରଥମ ୱିକେଟ୍‌ରେ ୭୮ ରନ୍ ଯୋଡ଼ି ମୁମ୍ବାଇ ପାଇଁ ଅବଶ୍ୟ ଦୃଢ଼ ମୂଳଦୁଆ ପକାଇଥିଲେ। ରୋହିତଙ୍କୁ ଆଇପିଏଲ୍‌ରେ ନବମ ଥର ପାଇଁ ଆଉଟ୍ କରି ସ୍ପିନର ସୁନିଲ ନାରାୟଣ ଯୋଡ଼ି ଭାଙ୍ଗିଥିଲେ। ଏହା ପୂର୍ବରୁ ସେ କିନ୍ତୁ ପ୍ରଥମ ଖେଳାଳି ଭାବେ କୌଣସି ଗୋଟିଏ ଆଇପିଏଲ୍ ଦଳ ବିପକ୍ଷରେ ୧,୦୦୦ ରନ୍ ପୂରଣ କରିନେଇଥିଲେ। ଅନ୍ୟପକ୍ଷରେ ଡି’କକ୍‌ ମାତ୍ର ୩୭ ବଲ୍‌ରୁ ଦ୍ବିତୀୟ ଚରଣରେ ବ୍ୟକ୍ତିଗତ ଭାବେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ସତ୍ତ୍ବେ ରୋହିତଙ୍କ ଆଉଟ୍ ପରେ ମୁମ୍ବାଇ ରନ୍ ହାରକୁ ଆଶାଜନକ ଭାବେ ବଢ଼ାଇ ପାରିନଥିଲା। ଚର୍ତୁଦଶ ଓଭରରେ ହିଁ ୧୦୦ ରନ୍ ପୂରଣ କରିପାରିଥିଲା ଏହି ଦଳ। ଫଳରେ ବଳକା ୬ ଓଭରରେ ବଡ଼ ସଟ୍ ଖେଳିବା ଲୋଭରେ ଏକାଧିକ ଖେଳାଳି ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। କୋଲ୍‌କାତାର ଦୁଇ ସ୍ପିନର ସୁନିଲ ନାରାୟଣ ଓ ବରୁଣ ଚକ୍ରବର୍ତ୍ତୀ ମିଳିତ ଭାବେ ୮ ଓଭରରେ ମାତ୍ର ୪୨ ରନ୍ ବ୍ୟୟ କରି ଗୋଟିଏ ୱିକେଟ୍ କରାୟତ୍ତ କରିଥିଲେ। ଦୁଇ ଦ୍ରୁତ ଲୋକି ଫର୍ଗୁସନ୍ ମଧ୍ୟ ନିଜ ୪ ଓଭରରେ ମାତ୍ର ୨୭ ରନ୍ ବ୍ୟୟ କରି ୨ ୱିକେଟ୍ ଅକ୍ତିଆର କରିଥିଲେ। ଫଳରେ ଶେଷ ୬ ଓଭରରୁ ୫୫ ଏବଂ ଶେଷ ୧୦ ଓଭରରୁ ୭୫ ରନ୍ ଯୋଡ଼ି ୧୫୫/୬ରେ ଅଟକି ଯାଇଥିଲା ମୁମ୍ବାଇ।

ସମ୍ବନ୍ଧିତ ଖବର