କୋହଲିଙ୍କ ୩ କୀର୍ତ୍ତିମାନ ଭାଙ୍ଗି ସାରିଲେଣି ଆଜମ

ଲାହୋର : ପାକିସ୍ତାନ ଅଧିନାୟକ ବାବର ଆଜମ ବୁଧବାର ଆଇସିସି ଦିନିକିଆ ମାନ୍ୟତାରେ ୨୦୧୭ରୁ ଶୀ‌ର୍ଷ ସ୍ଥାନ କବ୍‌ଜା କରି ରଖିଥିବା ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଗାଦିଚ୍ୟୁତ କରିଥିଲେ। ଏଥିସହ ସେ ଜାହିର ଆବାସ (୧୯୮୩), ଜାଭେଦ ମିଆଁଦାଦ (୧୯୮୮) ଓ ମହମ୍ମଦ ୟୁସୁଫ (୨୦୦୩)ଙ୍କ ପରେ ଚତୁର୍ଥ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ଭାବେ ଶୀର୍ଷ ସ୍ଥାନ ଦଖଲ କରିବାର ଗୌରବ ଅର୍ଜନ କରିଥିଲେ। କେବଳ କୋହଲିଙ୍କୁ ଦିନିକିଆ ଶୀର୍ଷ ମାନ୍ୟତାରୁ ଗାଦିଚ୍ୟୁତ କରିନାହାନ୍ତି ସେ ତାଙ୍କର ୩ କୀର୍ତ୍ତିମାନ ମଧ୍ୟ ଭାଙ୍ଗି ସାରିଲେଣି। ସେଗୁଡ଼ିକ ହେଲା ଟ୍ବେଣ୍ଟି-୨୦ରେ ଦ୍ରୁତତମ ୧୦୦୦ ରନ୍‌, ଦ୍ରୁତତମ ୧୩ ଦିନିକିଆ ଶତକ ଏବଂ ଦ୍ବିତୀୟ ଦ୍ରୁତତମ ଦିନିକିଆ ୩୦୦୦ ରନ୍‌ ପୂରଣ।

ଟ୍ବେଣ୍ଟି-୨୦ରେ ଦ୍ରୁତତମ ୧୦୦୦ ରନ୍‌
ବାବର ଆଜମ ୨୦୦୮ରେ ଟ୍ବେଣ୍ଟି-୨୦ରେ ଦ୍ରୁତତମ ୧୦୦୦ ରନ୍‌ କରିବାରେ କୋହଲିଙ୍କୁ ଟପିଥିଲେ। କୋହଲି ୨୭ ପାଳି ଖେଳି ୧୦୦୦ ରନ୍‌ ପୂରଣ କରିଥିଲା ବେଳେ ଆଜମ ୨୬ ପାଳିରେ ଏହା ହାସଲ କରିଥିଲେ। ବାବରଙ୍କ ଏହି କୀର୍ତ୍ତିମାନ ଅବଶ୍ୟ ବେଶି ଦିନ ରହିନଥିଲା। ଇଂଲଣ୍ଡର ଦାୱିଦ୍‌ ମଲାନ ୨୪ ପାଳି ଖେଳି ଏହି କୀର୍ତ୍ତିମାନ ଭାଙ୍ଗିଥିଲେ। ଏବେ ମଲାନ ଦ୍ରୁତତମ ୧୦୦୦ ରନ୍‌ ହାସଲକାରୀ ମଧ୍ୟରେ ଶୀର୍ଷରେ ରହିଛନ୍ତି।

ଦ୍ରୁତତମ ୧୩ ଦିନିକିଆ ଶତକ
ଚଳିତ ମାସରେ ସେଞ୍ଚୁରିଆନ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ୧୦୩ ରନ୍‌ କରି ୧୩ ଦିନିକିଆ ଶତକ ହାସଲ କରିବାରେ ଦ୍ରୁତତମ ହୋଇଥିଲେ। ବାବର ୭୬ ପାଳିରେ ଏହି ମାଇଲଖୁଣ୍ଟ ଛୁଇଁଥିଲେ। ତାଙ୍କ ପଛକୁ ହାସିମ ଆମ୍‌ଲା (୮୩ ପାଳି) ଏବଂ ବିରାଟ କୋହଲି (୮୬ ପାଳି) ରହିଛନ୍ତି।

ଦ୍ବିତୀୟ ଦ୍ରୁତତମ ୩୦୦୦ ଦିନିକିଆ ରନ୍‌
ନ୍ୟୁଜିଲାଣ୍ଡ ବିପକ୍ଷ ୨୦୧୯ ବିଶ୍ବକପ୍‌ରେ ବିଜୟୀ ଶତକୀୟ ପାଳି ଖେଳିଥିବ‌ା ଆଜମ ୩୦୦୦ ଦିନିକିଆ ରନ୍‌ ପୂରଣ କରିବାରେ ଦ୍ବିତୀୟ ଦ୍ରୁତତମ ହୋଇଥିଲେ। ବିରାଟ ୭୫ ପାଳିରେ ଏହି ମାଇଲଖୁଣ୍ଟ ଛୁଇଁଥିଲେ। ହେଲେ ବାବର ୬୮ ପାଳିରେ ଏହା ପୂରଣ କରି କୋହଲିଙ୍କୁ ପଛରେ ପକାଇଦେଇଥିଲେ। ତାଙ୍କ ଆଗରେ ଦକ୍ଷିଣ ଆଫ୍ରିକା ‌ତାରକା ବ୍ୟାଟ୍ସମ୍ୟାନ୍‌ ହାସିମ ଆମ୍‌ଲା ରହିଛନ୍ତି। ସେ ୫୭ ପାଳିରେ ୩୦୦୦ ରନ୍‌ ପୂରଣ କରିଥିଲେ।

ସମ୍ବନ୍ଧିତ ଖବର