ମେଲ୍ବର୍ଣ୍ଣ: ଏଠାରେ ପୂର୍ବରୁ ଦୁଇ ଥର ବିଜୟିନୀ ବେଲାରୁଷ ଲଳନା ଭିକ୍ଟୋରିଆ ଆଜେରେଙ୍କା ଏବଂ କାଜାକସ୍ତାନର ଏଲିନା ରିବାକିନା ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍ସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନ୍ ମହିଳା ଏକକ ସେମିଫାଇନାଲ୍ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ଏଥି ସହିତ ଆମେରିକାର ଜେସିକା ପେଗୁଲା ଏବଂ ଲାଟିଭିଆର ଜେଲେନା ଓସ୍ତାପେଙ୍କୋଙ୍କ ଅଭିଯାନ କ୍ବାର୍ଟର ଫାଇନାଲ୍ରୁ ହିଁ ଶେଷ ହୋଇଯାଇଛି। ମଙ୍ଗଳବାର ମହିଳା ଏକକ କ୍ବାର୍ଟର ଫାଇନାଲ୍ରେ ପୂର୍ବତନ ବିଶ୍ବ ମାନ୍ୟତାର ଏକ ନମ୍ବର ତଥା ଏବର ୨୪ତମ ମାନ୍ୟତାପ୍ରାପ୍ତ ଆଜାରେଙ୍କା ସିଧାସଳଖ ୬-୪ ଓ ୬-୧ ସେଟ୍ରେ ତୃତୀୟ ମାନ୍ୟତାପ୍ରାପ୍ତ ପେଗୁଲାଙ୍କୁ ପରାସ୍ତ କରି ବିଦାୟ ରାସ୍ତା ଦେଖାଇ ଦେଇଛନ୍ତି।
ଏଥି ସହିତ ଶେଷ ମହିଳା ଖେଳାଳି ଭାବେ ୨୦୧୩ରେ ଅଷ୍ଟ୍ରେଲିଆନ୍ ଓପନ୍ ଟ୍ରଫି ବଜାୟ ରଖିବାର ଗୌରବ ବହନ କରିଥିବା ଆଜାରେଙ୍କା ୨୦୨୦ ୟୁଏସ୍ ଓପନ୍ ପରଠାରୁ ପ୍ରଥମ ଥର ଲାଗି ଗ୍ରାଣ୍ଡ୍ ସ୍ଲାମ୍ ସେମିଫାଇନାଲ୍ ପ୍ରବେଶ କରିଛନ୍ତି। ଏପରିକି ଏହି ୩୩ ବର୍ଷ ବୟସ୍କା ମଧ୍ୟ ଗୋଟିଏ ଦଶନ୍ଧୀ ପରେ ମେଲ୍ବର୍ଣ୍ଣ ପାର୍କରେ ସେମିଫାଇନାଲ୍କୁ ଉନ୍ନୀତ ହୋଇ କ୍ୟାରିୟରର ତୃତୀୟ ଗ୍ରାଣ୍ଡ୍ ସ୍ଲାମ୍ ଟ୍ରଫି ହାସଲ ଦିଗରେ ଅଗ୍ରସର ହୋଇଛନ୍ତି। ଏହି ବିଜୟ ପରେ ସେମିଫାଇନାଲ୍ରେ ଆଜାରେଙ୍କାଙ୍କ ମୁବାବିଲା ୨୨ତମ ମାନ୍ୟତାପ୍ରାପ୍ତ ରିବାକିନାଙ୍କ ସହ ହେବ। ମଙ୍ଗଳବାର ଅନ୍ୟ ଏକ କ୍ବାର୍ଟର ଫାଇନାଲ୍ରେ ୱିମ୍ବିଲଡନ୍ ବିଜୟିନୀ ରିବାକିନା ମଧ୍ୟ ସିଧାସଳଖ ୬-୨ ଓ ୬-୪ ସେଟ୍ରେ ପୂର୍ବତନ ଫ୍ରେଞ୍ଚ୍ ଓପନ୍ ବିଜୟିନୀ ତଥା ସପ୍ତଦଶ ମାନ୍ୟତାପ୍ରାପ୍ତ ଜେଲେନା ଓସ୍ତାପେଙ୍କୋଙ୍କୁ ପରାସ୍ତ କରି ସେମିଫାଇନାଲ୍ ସ୍ଥାନ ପକ୍କା କରିଛନ୍ତି। ଏହା ମଧ୍ୟ ରିବାକିନାଙ୍କ ଦ୍ବିତୀୟ ଗ୍ରାଣ୍ଡ୍ସ୍ଲାମ୍ ସେମିଫାଇନାଲ୍ ପ୍ରବେଶ।
ପୁରୁଷ ଏକକରେ ରୁଷିଆର କାରେନ କାଚାନୋଭ୍ ଏବଂ ଗ୍ରିକ୍ ତାରକା ଷ୍ଟିଫାନସ୍ ସିସିପାସ୍ ସେମିଫାଇନାଲ୍ରେ ପହଞ୍ଚି ଯାଇଛନ୍ତି। ମଙ୍ଗଳବାରର ପ୍ରଥମ ମୁକାବିଲା ବେଳେ ୨୯ତମ ମାନ୍ୟତାପ୍ରାପ୍ତ ଆମେରିକାର ସେବାସ୍ତିଆନ୍ କୋର୍ଡା ଆହତ ଯୋଗୁଁ ଓହରିଯିବାରୁ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଅଷ୍ଟାଦଶ ମାନ୍ୟତାପ୍ରାପ୍ତ କାଚାନୋଭ ବିଜୟ ହାସଲ କରିଥିଲେ। ଏହି ମ୍ୟାଚ୍ ବେଳେ କୋର୍ଡା ଡାହାଣ କଚଟି ସମସ୍ୟାରେ ପଡ଼ି ଯାଇଥିଲେ। ମ୍ୟାଚ୍ ବେଳେ ମଧ୍ୟ ତାଙ୍କର ଦୁଇ ଥର ଚିକିତ୍ସା ହୋଇଥିଲା। ହେଲେ ଯନ୍ତ୍ରଣା ନକମିବାରୁ ଓହରିଯିବାକୁ ବାଧ୍ୟ ହୋଇଥିଲେ।
ଅବଶ୍ୟ ମ୍ୟାଚ୍ ଅଧାରୁ ବନ୍ଦ ରହିଲା ବେଳକୁ କାଚାନୋଭ୍ ପ୍ରଥମ ଦୁଇ ସେଟ୍କୁ ୭-୬ ଓ ୬-୩ରେ ଜିତିବା ପରେ ତୃତୀୟ ସେଟ୍ରେ ୩-୦ର ଅଗ୍ରଣୀ ପାଇଥିଲେ। ଫଳରେ ଏହି ବିଜୟ ସହ କାଚାନୋଭ୍ ମଧ୍ୟ ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆନ୍ ଓପନ୍ ସେମିଫାଇନାଲ୍ରେ ପହଞ୍ଚିଛନ୍ତି। ଏହା ପୂର୍ବରୁ କାଚାନୋଭ୍ ୨୦୨୨ ୟୁଏସ୍ ଓପନ୍ ସେମିଫାଇନାଲ୍ରେ ପହଞ୍ଚିଥିଲେ। ଏବେ ମେଲ୍ବର୍ଣ୍ଣ ପାର୍କରେ ପୁରୁଷ ଏକକ ସେମିଫାଇନାଲ୍ରେ ତାଙ୍କର ମୁକାବିଲା ତୃତୀୟ ମାନ୍ୟତାପ୍ରାପ୍ତ ସିସିପାସ୍ଙ୍କ ସହ ହେବ। ମଙ୍ଗଳବାରର ଅନ୍ୟ ଏକ କ୍ବାର୍ଟର ଫାଇନାଲ୍ରେ ସିସିପାସ୍ ୬-୩, ୭-୬ ଓ ୬-୪ ସିଧାସଳଖ ସେଟ୍ରେ ଚେକ୍ ଗଣରାଜ୍ୟର ଜିରି ଲେହେକାଙ୍କୁ ପରାସ୍ତ କରିଛନ୍ତି।
ମେଲ୍ବର୍ଣ୍ଣ: ମହିଳା ଯୁଗଳରୁ ବିଦାୟ ନେଇସାରିଥିବା ଭାରତୀୟ ଟେନିସ୍ ସୁ୍ନ୍ଦରୀ ସାନିଆ ମିର୍ଜା ନିଜର ଅନ୍ତିମ ଗ୍ରାଣ୍ଡ୍ସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନ୍ ମିଶ୍ରିତ ଯୁଗଳରେ ବିଜୟ ଧାରା ଜାରି ରଖି ସେମିଫାଇନାଲ୍ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ନିଜ ଦେଶର ରୋହନ ବୋପାନ୍ନାଙ୍କୁ ସାଥୀ କରି ଖେଳୁଥିବା ସାନିଆ ମଙ୍ଗଳବାର ମିଶ୍ରିତ ଯୁଗଳ କ୍ବାର୍ଟର ଫାଇନାଲ୍ ଖେଳିବାର ଥିଲା। ହେଲେ ସେମାନଙ୍କ ପ୍ରତିଦ୍ବନ୍ଦ୍ବୀ ଲାଟିଭିଆର ଜେଲେନା ଓସ୍ତାପେଙ୍କୋ ଓ ସ୍ପେନ୍ର ଡେଭିଡ୍ ଭେଗା ହର୍ନାଣ୍ଡେଜ୍ ଯୋଡ଼ି ଓହରିଯିବାରୁ ଭାରତୀୟ ଯୋଡ଼ି ୱାକ୍ଓଭର ପାଇ ଅନାୟାସରେ ସେମିଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ସେମିଫାଇନାଲ୍ରେ ସାନିଆ-ବୋପାନ୍ନା ଯୋଡ଼ିଙ୍କ ମୁକାବିଲା ତୃତୀୟ ମାନ୍ୟତାପ୍ରାପ୍ତ ଯୋଡ଼ି ଦେସିରାଇ କ୍ରଜିକ୍ ଓ ନିଲ୍ ସ୍କୁପ୍ସ୍କିଙ୍କ ସହ ହେବ। ଏହି ଆମେରିକା-ବ୍ରିଟେନ୍ ଯୋଡ଼ି ମଙ୍ଗଳବାରର ଅନ୍ୟ ଏକ କ୍ବାର୍ଟର ଫାଇନାଲ୍ରେ ଟେଲର ଟାଉନ୍ସେଣ୍ଡ୍ ଓ ଜାମି ମରେଙ୍କୁ ୪-୬, ୬-୩ ଓ ୧୦-୫ ସେଟ୍ରେ ପରାସ୍ତ କରିଛନ୍ତି।