ମେଲ୍ବର୍ଣ୍ଣ: ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ ପ୍ରତିଯୋଗିତାର ମଙ୍ଗଳବାର ଦ୍ବିତୀୟ ଦିନରେ ଦୁଇ ଥରର ମହିଳା ଏକକ ବିଜୟିନୀ ପୂର୍ବତନ ଶୀର୍ଷ ମାନ୍ୟତାପ୍ରାପ୍ତ ଖେଳାଳି ଭିକ୍ଟୋରିଆ ଆଜାରେଙ୍କାଙ୍କ ଅଭିଯାନ ଶେଷ ହୋଇଯାଇଛି। ମହିଳା ଏକକ ପ୍ରଥମ ପର୍ଯ୍ୟାୟ ମୁକାବିଲାରେ ଆଜାରେଙ୍କା (ଦ୍ବାଦଶ) ୫-୭, ୪-୬ ସିଧାସଳଖ ସେଟ୍ରେ ମୁଖ୍ୟ ଡ୍ର’ରେ ପଦାର୍ପଣ କରିଥିବା ଆମେରିକାର ଜେସିକା ପେଗୁଲାଙ୍କଠୁ ହାରି ଯାଇଥିଲେ। ତେବେ ଶୀର୍ଷ ମାନ୍ୟତାପ୍ରାପ୍ତ ମହିଳା ଖେଳାଳି ଆସ୍ଲେ ବାର୍ଟି, ଗତଥରର ବିଜୟିନୀ ସୋଫିଆ କେନିନ (ଚତୁର୍ଥ), ଏଲିନା ସ୍ବିତୋଲିନା (ପଞ୍ଚମ), କାରୋଲିନା ପ୍ଲିସ୍କୋଭା (ଷଷ୍ଠ) ପ୍ରଥମ ପର୍ଯ୍ୟାୟ ବାଧା ଅତିକ୍ରମ କରିଛନ୍ତି। ଅଷ୍ଟ୍ରେଲିଆର ବାର୍ଟି ସିଧାସଳଖ ୬-୦, ୬-୦ ସେଟ୍ରେ ଡାଙ୍କା କୋଭିନିକ୍ଙ୍କୁ, ରୁଷିଆ ଜନ୍ମିତ ଆମେରିକା ଖେଳାଳି କେନିନ ୭-୫, ୬-୪ ସେଟ୍ରେ ସ୍ଥାନୀୟ ୱାଇଲ୍ଡକାର୍ଡ ମାଡିସନ ଇଙ୍ଗିଲ୍ସଙ୍କୁ, ୟୁକ୍ରେନର ସ୍ବିତୋଲିନା ୬-୩, ୭-୬ ସେଟ୍ରେ ଚେକ୍ ଗଣରାଜ୍ୟର ମ୍ୟାରି ବୌଜକୋଭାଙ୍କୁ ଏବଂ ଚେକ୍ ଗଣରାଜ୍ୟର ପ୍ଲିସ୍କୋଭା ୬-୦, ୬-୨ ସେଟ୍ରେ ଇଟାଲିର ଯଶମିନ ପାଓଲିନିଙ୍କୁ ପରାସ୍ତ କରି ଦ୍ବିତୀୟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ଆହତ ଯୋଗୁଁ ତ୍ରୟୋଦଶ ମାନ୍ୟତାପ୍ରାପ୍ତ ବ୍ରିଟେନ୍ର ଜୋହାନା କୋଣ୍ଟା ମ୍ୟାଚ୍ ଅଧାରୁ ଓହରି ଯାଇଛନ୍ତି। ଫଳରେ ତାଙ୍କ ସ୍ଲୋଭନିଆ ପ୍ରତିଦ୍ବନ୍ଦ୍ବୀ କାଜା ଜୁବାନ ସହଜରେ ଦ୍ବିତୀୟ ପର୍ଯ୍ୟାୟରେ ପହଞ୍ଚିଛନ୍ତି।
ସେହିପରି ପୁରୁଷ ଏକକରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ରାଫେଲ ନାଦାଲଙ୍କ ସହ ଡାନିଲ ମେଦଭେଦେବ (ଚତୁର୍ଥ), ଷ୍ଟିଫାନସ ସିସିପାସ (ପଞ୍ଚମ), ଆନ୍ଦ୍ରେ ରୁବଲେଭ (ସପ୍ତମ) ଏବଂ ମାତିଓ ବରେତିନି (ନବମ) ଦ୍ବିତୀୟ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଛନ୍ତି। ସ୍ପେନ୍ ତାରକା ନାଦାଲ ୬-୪, ୬-୧ ସେଟ୍ରେ ସର୍ବିଆର ଲାସ୍ଲୋ ଜେରେଙ୍କୁ, ରୁଷିଆର ମେଦଭେଦେବ ୬-୨, ୬-୨, ୬-୪ ସେଟ୍ରେ କାନାଡ଼ାର ଭାସେକ ପୋସ୍ପିସିଲଙ୍କୁ, ଗ୍ରିକ୍ର ସିସିପାସ ୬-୧, ୬-୨, ୬-୧ ସେଟ୍ରେ ଫ୍ରାନ୍ସର ଗାଇଲ୍ସ ସିମନଙ୍କୁ, ରୁଷିଆର ରୁବଲେଭ ୬-୩, ୬-୩, ୬-୪ ସେଟ୍ରେ ଜର୍ମାନିର ୟାନିକ ହାନମ୍ୟାନ୍ଙ୍କୁ ଏବଂ ଇଟାଲିର ବରେତିନି ୭-୬, ୭-୫, ୬-୩ ସେଟ୍ରେ ଦକ୍ଷିଣ ଆଫ୍ରିକାର କେଭିନ ଆଣ୍ଡରସନ୍ଙ୍କୁ ହରାଇଛନ୍ତି। ତେବେ ଦ୍ବାଦଶ ମାନ୍ୟତାପ୍ରାପ୍ତ ରର୍ବଟ ବୌତିସା ଅଗୁଟ ଏବଂ ତ୍ରୟୋଦଶ ମାନ୍ୟତାପ୍ରାପ୍ତ ଡେଭିଡ ଗଫିନଙ୍କ ଅଭିଯାନ ପ୍ରଥମ ପର୍ଯ୍ୟାୟରୁ ଶେଷ ହୋଇଯାଇଛି। ସ୍ପେନ୍ର ଅଗୁଟ ୭-୬, ୦-୬, ୪-୬, ୬-୭ ସେଟ୍ରେ ମୋଲଦୋଭାର ରାଡୁ ଆଲବର୍ଟଙ୍କଠୁ ଏବଂ ବେଲ୍ଜିୟମର ଗଫିନ ୬-୩, ୪-୬, ୭-୬, ୬-୭, ୩-୬ ସେଟ୍ରେ ଅଷ୍ଟ୍ରେଲିଆର ଆଲେକଜାଣ୍ଡର ପପିରିନ୍ଙ୍କଠୁ ହାରି ବିଦାୟ ନେଇଛନ୍ତି।
ମେଲ୍ବର୍ଣ୍ଣ: ଭାରତୀୟ ତାରକା ସୁମିତ ନଗଲ ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ମଙ୍ଗଳବାର ପୁରୁଷ ଏକକ ମ୍ୟାଚ୍ରେ ସୁମିତ ୨ ଘଣ୍ଟା ୧୦ ମିନିଟ୍ ସଂଘର୍ଷ କରିବା ସତ୍ତ୍ବେ ୨-୬, ୫-୭, ୩-୬ ସେଟ୍ରେ ଲିଥୁନିଆର ରିକାର୍ଡ୍ସ ବେରାଙ୍କିସଙ୍କଠୁ ହାରି ଯାଇଥିଲେ। ଗତ ସପ୍ତାହରେ ୨୩ ବର୍ଷୀୟ ସୁମିତ ଅଷ୍ଟ୍ରେଲିଆନ୍ ଓପନ୍ ପୂର୍ବରୁ ଖେଳାଯାଇଥିବା ଏକ ପ୍ରତିଯୋଗିତାରେ ୭୨ ମାନ୍ୟତାପ୍ରାପ୍ତ ବେରାଙ୍କିସଙ୍କଠୁ ପରାଜିତ ହୋଇଥିଲେ।