ପ୍ୟାରିସ : ପୂର୍ବତନ ଏକ ନମ୍ବର ଭିକ୍ଟୋରିଆ ଆଜରେଙ୍କା ୨୦୦୩ ପରେ ପ୍ରଥମ ଥର ଲାଗି ଫ୍ରେଞ୍ଚ ଓପନ୍ର ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଶୁକ୍ରବାର ୧୪ ମାନ୍ୟତାପ୍ରାପ୍ତ ଏହି ବେଲାରୁଷ ଲଳନା ସିଧାସଳଖ ୬-୨, ୬-୨ ସେଟ୍ରେ ୨୩ ମାନ୍ୟତାପ୍ରାପ୍ତ ଆମେରିକାର ମାଡିସନ୍ କିଜ୍ଙ୍କୁ ପରାସ୍ତ କରିଥିଲେ। ଚତୁର୍ଥ ରାଉଣ୍ଡରେ ସେ ୩୧ ମାନ୍ୟତାପ୍ରାପ୍ତ ଆନାସ୍ତାସିଆ ପାଭ୍ଲ୍ୟୁଚେଙ୍କୋଭାଙ୍କୁ ଭେଟିବେ। ରୁଷିଆର ପାଭ୍ଲ୍ୟୁଚେଙ୍କୋଭା ୬-୪, ୨-୬, ୬-୦ ସେଟ୍ରେ ତୃତୀୟ ମାନ୍ୟତାପ୍ରାପ୍ତ ବେଲାରୁଷର ଆରିନା ସାବଲେଙ୍କାଙ୍କୁ ପରାସ୍ତ କରିଥିଲେ। ଆସ୍ଲେ ବାର୍ଟି, ନାଓମି ଓସାକାଙ୍କ ବିଦାୟ ପରେ ସାବଲେଙ୍କା ଶୀର୍ଷ ମାନ୍ୟତା ଖେଳାଳି ରହିଥିଲେ। ୨୩ ଗ୍ରାଣ୍ଡ ସ୍ଲାମ୍ ବିଜୟିନୀ ସପ୍ତମ ମାନ୍ୟତାପ୍ରାପ୍ତ ସେରେନା ୱିଲିୟମ୍ସ ସହଜ ବିଜୟ ସହ ଆଗକୁ ବଢ଼ିଛନ୍ତି। ଆମେରିକାର ସେରେନା ୬-୪, ୬-୪ ସେଟ୍ରେ ନିଜ ଦେଶର ଡାନିଏଲ ରୋଜ କଲିନ୍ସଙ୍କୁ ହରାଇଥିଲେ।
ପୁରୁଷ ଏକକରେ ତାରକା ଖେଳାଳିଙ୍କ ମଧ୍ୟରେ ଡାନିଲ ମେଦଭେଦେଭ (ଦ୍ବିତୀୟ), ଆଲେକ୍ଜାଣ୍ଡର ଭେରଭ (ଷଷ୍ଠ), ଦ୍ବାଦଶ ମାନ୍ୟତାପ୍ରାପ୍ତ ପାବ୍ଲୋ କାରେନୋ ବୁସ୍ତା ଓ କେଇ ନିସିକୋରି ଚତୁର୍ଥ ରାଉଣ୍ଡ ସ୍ଥାନ ପକ୍କା କରିଛନ୍ତି। ରୁଷିଆର ମେଦଭେଦେଭ ୬-୪, ୬-୨, ୬-୪ ସେଟ୍ରେ ଆମେରିକାର ରିଲି ଓପ୍ଲେକାଙ୍କୁ, ଜର୍ମାନୀର ଭେରଭ ୬-୨, ୭-୫, ୬-୨ ସେଟ୍ରେ ସର୍ବିଆର ଲାସ୍ଲୋ ଡେରେଙ୍କୁ, ସ୍ପେନ୍ର ବୁସ୍ତା ୬-୪, ୬-୪, ୬-୨ ସେଟ୍ରେ ଆମେରିକାର ଷ୍ଟିଭ୍ ଜନସନ୍ଙ୍କୁ ପରାସ୍ତ କରିଥିଲେ। ଜାପାନର ନିଶିକୋରି ୱାକ୍ଓଭର ପାଇଥିଲେ। ଗୁରୁବାର ତୃତୀୟ ମାନ୍ୟତାପ୍ରାପ୍ତ ସ୍ପେନ୍ର ରାଫେଲ ନାଦାଲ ଦ୍ବିତୀୟ ପର୍ଯ୍ୟାୟ ବାଧା ଅତିକ୍ରମ କରିଛନ୍ତି। ସେ ୬-୦, ୭-୫, ୬-୨ ସେଟ୍ରେ ଫ୍ରାନ୍ସର ରିଚାର୍ଡ ଗାସକ୍ବେଟ୍ଙ୍କୁ ହରାଇଥିଲେ।