ଟୋକିଓ : ଜୁଲାଇ ୨୩ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଟୋକିଓ ଅଲିମ୍ପିକ୍ସରୁ ଦୁଇ ପୂର୍ବତନ ପଦକ ବିଜୟିନୀ ଭିକ୍ଟୋରିଆ ଆଜରେଙ୍କା ଏବଂ ଆଞ୍ଜେଲିକ୍ କର୍ବର ଓହରି ଯାଇଛନ୍ତି। ୩୧ ବର୍ଷୀୟା ବେଲାରୁଷର ଆଜରେଙ୍କା ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଏକକରେ କାଂସ୍ୟ ଏବଂ ମିଶ୍ରିତ ଯୁଗଳରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେହିପରି ୩୩ ବର୍ଷୀୟା ଜର୍ମାନିର କର୍ବର ୨୦୧୬ ରିଓ ଅଲିମ୍ପିକ୍ସରେ ଏକକରେ ରୌପ୍ୟ ପଦକ ଜିତିଥିଲେ। ଆଜରେଙ୍କା ମହାମାରୀ କରୋନା ଯୋଗୁଁ ଓହରିବା ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି ବୋଲି ନିଜ ଇନ୍ଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ କର୍ବର କିଛି ଦିନ ବିଶ୍ରାମ ପାଇଁ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ‘‘ଗତ କିଛି ସପ୍ତାହ ହେଲା ଟୁର୍ରେ ରହିଛି। ଏହା ମୋ ଶରୀର ଉପରେ ପ୍ରଭାବ ପକାଇଛି। ମୋ ଶରୀରକୁ ବିଶ୍ରାମ ଆବଶ୍ୟକ। ତେଣୁ ଏଭଳି କଷ୍ଟକର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି। ଏହା ନିଶ୍ଚିତ ଦୁଃଖର ବିଷୟ।
ଜର୍ମାନି ପକ୍ଷରୁ ୨୦୧୨ ଲଣ୍ଡନ ଓ ରିଓ ୨୦୧୬ରେ ଭାଗ ନେବା ମୋ କ୍ୟାରିୟରରେ ଏପର୍ଯ୍ୟନ୍ତ ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ। ଟୋକିଓ ଲାଗି ଜର୍ମାନି ଖେଳାଳିମାନଙ୍କୁ ଶୁଭକାମନା ଜଣାଉଛି ବୋଲି ପୂର୍ବତନ ଶୀର୍ଷ ମାନ୍ୟତାପ୍ରାପ୍ତ ତଥା ୩ ଥରର ଗ୍ରାଣ୍ଡ ସ୍ଲାମ୍ ବିଜୟିନୀ କର୍ବର କହିଛନ୍ତି। ଏହି ଦୁଇ ଜଣଙ୍କ ପୂର୍ବରୁ ଏହି ବହୁଦେଶୀୟ ପ୍ରତିଯୋଗିତାରୁ ଓହରିଥିବା ପ୍ରମୁଖ ଟେନିସ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ରୋଜର ଫେଡେରର୍, ରାଫେଲ ନାଦାଲ, ଡୋମିନିକ ଥିମ, ଷ୍ଟାନ୍ ୱାରିଙ୍କା, ନିକ କର୍ଗିସ, ସେରେନା ୱିଲିୟମ୍ସ, ସିମୋନା ହାଲେପ ଓ ବିଆଙ୍କା ଆନ୍ଦ୍ରେସ୍କୁ। ବ୍ରିଟେନ୍ର ଶୀର୍ଷମାନ୍ୟତା ଖେଳାଳି ଡାନ୍ ଏଭାନ୍ସ ଏବଂ ଜୋହାନ୍ନା କୋଣ୍ଟାଙ୍କ କରୋନା ରିପୋର୍ଟ ପଜିଟିଭ୍ ଥିବାରୁ ସେମାନେ ଅଲିମ୍ପିକ୍ସରେ ଭାଗ ନେଇପାରିବେନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/uc_1616786056.jpg)