ଆଝାରଙ୍କୁ ସଭାପତି ପଦରୁ ନିଲମ୍ବିତ କଲା ହାଇଦ୍ରାବାଦ କ୍ରିକେଟ୍ ସଂଘ

ହାଇଦ୍ରାବାଦ: ହାଇଦ୍ରାବାଦ କ୍ରିକେଟ୍ ସଂଘର ଆପେକ୍ସ କାଉନସିଲ୍ ତା’ର ସଭାପତି ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କୁ ନଲମ୍ବିତ କରିଛି। ସମ୍ବିଧାନର ବିଭିନ୍ନ ଧାରା ଉଲ୍ଲଂଘନ ସହ ଦ୍ବୈତ ସ୍ବାର୍ଥ ନିୟମ ମାନୁନଥିବାରୁ କାଉନସିଲ୍ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିବା ଗୁରୁବାର କହିଛି। ତେବେ ସଭାପତିଙ୍କୁ ନିଲମ୍ବିିତ କରିବାର ଅଧିକାର କେବଳ ସାଧାରଣ ପରିଷଦର ଥିବାରୁ ଏହି ଆଦେଶର ଆଇନଗତ ବୈଧତା ନେଇ ପ୍ରଶ୍ନ ଉଠିଛି। ବିସିସିଆଇ ସ୍ବତନ୍ତ୍ର ସାଧାରଣ ବୈଠକରେ ପ୍ରତିନିଧିତ୍ବ କରିବାକୁ ନେଇ ଗତ କିଛି ମାସ ହେବ ଆଝାର ଏବଂ କାଉନସିଲ୍ ସଦସ୍ୟ ମୁହାଁମୁହିଁ ହୋଇଥିଲେ। ଏହି ବୈଠକରେ ସେମାନଙ୍କ ପ୍ରତିନିଧି ଶିବପାଲ ଯାଦବ ଅଂଶଗ୍ରହଣ କରନ୍ତୁ ବୋଲି କାଉନସିଲ୍ ଚାହୁଥିଲା। ହେଲେ ବିସିସିଆଇର ହସ୍ତକ୍ଷେପ ପରେ ଆଝାର ଏଥିରେ ଯୋଗଦେଇଥିଲେ। ସେବେଠାରୁ ଉଭୟ ପକ୍ଷ ପରସ୍ପର ବିପକ୍ଷରେ କାର୍ଯ୍ୟାନୁ‌ଷ୍ଠାନ ନେବାର ସୁଯୋଗ ଅପେକ୍ଷାରେ ଥିଲେ।

ଆଝାରଙ୍କୁ ପଠାଇଥିବା ନୋଟିସରେ କାଉନସିଲ୍ କହିଛି ଯେ ଏକାଧିକ ସଦସ୍ୟ କରିଥିବା ଅଭିଯୋଗକୁ ଆଖି ଆଗରେ ରଖି ଅପେକ୍ସ କାଉନସିଲ୍‌ର ଚଳିତ ମାସ ୧୦ ତାରିଖ ବୈଠକର ନିଷ୍ପତ୍ତି ଅନୁଯାୟୀ ଆପଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଗଲା। ଅଭିଯୋଗର ତଦନ୍ତ ‌ଶେଷ ନହେବା ପର୍ଯ୍ୟନ୍ତ ଆପଣଙ୍କୁ ମଧ୍ୟ ସମସ୍ତ ପଦପଦବିରୁ ନିଲମ୍ବିତ କରାଗଲା। କାଉନସିଲ୍ ମଧ୍ୟ ଆଝାରଙ୍କ ବିରୋଧରେ ଅଶୋଭନୀୟ ବ୍ୟବହାରର ଅଭିଯୋଗ ନିଜ ଆଡ଼ୁ ଆଣିଛି। ଦୁବାଇର ଏକ ଘରୋଇ କ୍ଲବ୍‌ର ସଦସ୍ୟ ଥାଇ ମଧ୍ୟ ଆପଣ ବିସିସିଆଇର ବିଭିନ୍ନ କାର୍ଯ୍ୟରେ ଯୋଗଦେବା ଦ୍ବୈତ ସ୍ବାର୍ଥ ନିୟମର ଖୋଲା ଉଲ୍ଲଂଘନ ବୋଲି ମଧ୍ୟ କାଉନସିଲ୍ ଲେଖିଛି।

ସମ୍ବନ୍ଧିତ ଖବର