ଆଝାରଙ୍କୁ ଅପମାନ

ହାଇଦ୍ରାବାଦ,: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି। ହାଇଦ୍ରାବାଦ କ୍ରିକେଟ୍‌ ସଂଘ (ଏଚ୍‌ସିଏ)ର ସ୍ୱତନ୍ତ୍ର ସାଧାରଣ ବୈଠକରେ ଯୋଗ ଦେବା ଲାଗି ଯାଇଥିଲା ବେଳେ ଏଥିଲାଗି ତାଙ୍କୁ ଅନୁମତି ନମିଳିବା ଏବେ ଚର୍ଚାରେ ରହିଛି। ଆଝାର ଏକ ଅଣସ୍ୱୀକୃତ ସଂଗଠନ ସହ ସଂପର୍କ ରଖିଥିବାରୁ ତାଙ୍କୁ ବୈଠକରେ ସାମିଲ କରାଯାଇ ନଥିଲା ବୋଲି ଏଚ୍‌ସିଏ ସଭାପତି ଜି ବିବେକ କହିଛନ୍ତି। ଆଝାର କିନ୍ତୁ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ସେମାନେ ମୋତେ ଘଣ୍ଟାଏ ପର୍ଯ୍ୟନ୍ତ ବାହାରେ ଅପେକ୍ଷା କରିବାକୁ ବାଧ୍ୟ କରିଥିଲେ ଏବଂ ଏହା ବେଶ୍‌ ଅପମାନଜନକ ଥିଲା। ମୁଁ ହାଇଦ୍ରାବାଦର ଜଣେ ଖେଳାଳି ଏବଂ ୧୦ ବର୍ଷ ଭାରତୀୟ ଦଳରୁ ଖେଳିଛି। ସଂପ୍ରତି ଏଚସିଏ ପରିଚାଳନା କରୁଥିବା ଲୋକମାନେ କ୍ରିକେଟ୍‌ ବିଷୟରେ କିଛି ଜାଣି ନାହାନ୍ତି। ଜୀବନରେ କେବେ ବି ବ୍ୟାଟ୍‌ କିମ୍ବା ବଲ୍‌ ଧରି ନାହାନ୍ତି। ସୂଚନାଯୋଗ୍ୟ ଯେ ବୈଠକରେ ଯୋଗଦେବା ପାଇଁ ଆଝାର ଏକ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିବା ପରେ କଂଗ୍ରେସ୍‌ ନେତା ଭି ହନୁମନ୍ତ ରାଓଙ୍କ ହସ୍ତକ୍ଷେପ ପରେ ଯାଇ ତାଙ୍କୁ ଏଥିରେ ସାମିଲ ହେବାକୁ ଅନୁମତି ମିଳିଥିଲା।

ସମ୍ବନ୍ଧିତ ଖବର