ବିଏଏ ନିର୍ବାଚନ: ହାଇକୋର୍ଟ ନିର୍ଦ୍ଦେଶ କାର୍ଯ୍ୟକାରୀ କେବେ?

କଟକ/ଭୁବନେଶ୍ବର: ଦୀର୍ଘ ୧୪ ବର୍ଷ ଧରି ଭୁବନେଶ୍ବର ଆଥଲେଟିକ୍ ଆସୋସିଏସନ୍‌ (ବିଏଏ)ର ନିର୍ବାଚନ ହେଉନଥିବାରୁ ଅସନ୍ତୋଷ ତେଜୁଥିଲା। ଏଥିରେ ଓଡ଼ିଶା ହାଇକୋର୍ଟ ହସ୍ତକ୍ଷେପ କରିଛନ୍ତି। ଆଗାମୀ ୬ ମାସ ମଧ୍ୟରେ ନିର୍ବାଚନ କରିବାକୁ ଉଚ୍ଚ ଅଦାଲତ ଗତ ମାସରେ ନିର୍ଦେଶ ଦେଇଛନ୍ତି। ରାଜଧାନୀ ଭୁବନେଶ୍ୱର ଓ ଏହାର ଚତୁଃପାର୍ଶ୍ୱରେ ଥିବା ଅଞ୍ଚଳରେ କ୍ରୀଡ଼ାର ବିକାଶ ଓ କ୍ରୀଡ଼ାବିତ୍‌ଙ୍କ ଉନ୍ନତି ପାଇଁ ୧୯୬୮ ମସିହାରେ ଭୁବନେଶ୍ୱର ଆଥଲେଟିକ ଆସୋସିଏସନ ଗଠନ କରାଯାଇଥିଲା I ୧୯୭୫ ମସିହାରେ ଓଡିଶା ଅଲିମ୍ପିକ ଆସୋସିଏସନର ସ୍ୱୀକୃତି ପାଇବା ପରେ ଆରମ୍ଭରୁ ଆଥ୍‌ଲେଟିକ୍ସ, ଫୁଟ୍‌ବଲ୍‌, କ୍ରିକେଟ୍‌, ଭଲିବଲ୍‌ ଆଦି କ୍ରୀଡ଼ାରେ ରାଜ୍ୟ ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଏହି ଆସୋସିଏସନ ନବେ ଦଶକ ପରଠାରୁ ପ୍ରଦର୍ଶନରେ କ୍ରମାଗତ ଶିଥିଳତା ପରେ ଏବେ ସତ୍ତା ହରାଇବା ସ୍ଥିତିରେ ପହଞ୍ଚିଯାଇଛି I ଆସୋସିଏସନର ପୁରୁଖା ସଭ୍ୟଙ୍କ ମତରେ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ସମସ୍ୟାକୁ ଅଣଦେଖା କରି ପଦପଦବିରେ ରହୁଥିବା ବ୍ୟକ୍ତିମାନେ କ୍ଷମତା ହରାଇବା ଆଶଙ୍କାରେ ଆସୋସିଏସନର ସମ୍ବିଧାନକୁ ଅବଜ୍ଞା କରି ଠିକ ସମୟରେ ନିର୍ବାଚନ କରୁ ନ ଥିବା ଏହାର ପ୍ରମୁଖ କାରଣ। ଫଳତଃ ଆସୋସିଏସନର ସଭ୍ୟ ଓ ନିର୍ବାଚିତ କର୍ମକର୍ତ୍ତାଙ୍କ ମଧ୍ୟରେ ବାଦବିବାଦ ତଥା ସମନ୍ଵୟ ଓ ସହଯୋଗ ଅଭାବରୁ କ୍ରୀଡା କାର୍ଯ୍ୟକ୍ରମ ସବୁ ପ୍ରଭାବିତ ହେଉଛି ଯାହାର ସିଧାସଳଖ ପ୍ରଭାବ କ୍ରୀଡ଼ାବିତ୍‌ଙ୍କ ପ୍ରଦର୍ଶନରେ ଦେଖିବାକୁ ମିଳୁଛି। ବିଏଏ ମୁଖିଆମାନେ ମନମୁତାବକ ଢଙ୍ଗରେ ପ୍ରତିଯୋଗୀ ଚୟନ କରି ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ପଠାଇ ଚାଲିଛନ୍ତି। ଯେଉଁଠି କର୍ମକର୍ତ୍ତାଙ୍କ ଆନ୍ତରିକତାର ଅଭାବ ରହୁଛି ସେଠାରେ କ୍ରୀଡ଼ାବିତ୍‌ଙ୍କଠାରୁ ଭଲ ପ୍ରଦର୍ଶନ କିପରି ଆଶା କରାଯିବ ତାହା କାଠିକର ପାଠ ହେଉଛି।

ସୂଚନାଯୋଗ୍ୟ, ଭୁବନେଶ୍ୱର ଆଥଲେଟିକ ଆସୋସିଏସନର ନିର୍ବାଚନ ଶେଷ ଥର ପାଇଁ ୨୦୦୭ ମସିହାରେ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ଜଟଣୀ ବିଧାୟକ ସୁର ରାଉତରାୟ କାର୍ଯ୍ୟକାରୀ ସଭାପତି ଓ ସୌର୍ଯ୍ୟ ରଞ୍ଜନ ପରିଜା ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ। ଆସୋସିଏସନର ସମ୍ବିଧାନ ଅନୁସାରେ ଦୁଇ ବର୍ଷ ପରେ ଅର୍ଥାତ ୨୦୦୯ ମସିହାରେ ନିର୍ବାଚନ ହେବା କଥା। କିନ୍ତୁ ବିଭିନ୍ନ ଆଳରେ ଏହି ନିର୍ବାଚନ ଜାଣିଶୁଣି କରାଯାଉନାହିଁ I ପଦବି ମୋହରେ ସଭାପତି-ସମ୍ପାଦକ ସମ୍ବିଧାନରେ ଥିବା ବ୍ୟବସ୍ଥାର ଊର୍ଧ୍ବରେ ପଦକ୍ଷେପମାନ ନେଇ ନିଜ ସମର୍ଥିତ ସଭ୍ୟଙ୍କ ଦ୍ୱାରା ନିଜ ବିରୁଦ୍ଧରେ କୋର୍ଟରେ ମକଦ୍ଦମା ଦାୟର କରି ବର୍ଷ ବର୍ଷ ଧରି ନିର୍ବାଚନକୁ ବିଳମ୍ବିତ କରିଚାଲିଛନ୍ତି। ବର୍ତ୍ତମାନର ପରିସ୍ଥିତିରେ କେବଳ ସଭାପତି, ସମ୍ପାଦକ ଓ ଜଣେ ଦୁଇଜଣ କାର୍ଯ୍ୟକାରିଣୀ ସଭ୍ୟଙ୍କ ବ୍ୟତୀତ ଉପସଭାପତି, ଯୁଗ୍ମ ସମ୍ପାଦକ, ବିଭିନ୍ନ କ୍ରୀଡା ଶୃଙ୍ଖଳାର ସମ୍ପାଦକ ଓ ସଂଖ୍ୟାଧିକ କାର୍ଯ୍ୟକାରିଣୀ ସଦସ୍ୟ ନିଜ ପଦବିରୁ ଇସ୍ତଫା ଦେଇ ସାରିଥିବା ହେତୁ ଆସୋସିଏସନ ଆପଣା ଛାଁଏ ଅଚଳ ହୋଇଯାଇଛି। ବର୍ଷ ବର୍ଷ ଧରି ଏପରି ଅଚଳାବସ୍ଥା ସତ୍ତ୍ୱେ ସାଧାରଣ ପରିଷଦ ବୈଠକ ଡକା ନଯିବା ଏବଂ ନିର୍ବାଚନ କରିବାକୁ ପଦକ୍ଷେପ ନ ନେବା ହେତୁ ସଦସ୍ୟ, ଅନୁବନ୍ଧିତ ଅନୁଷ୍ଠାନ ଓ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଦୀର୍ଘ ବର୍ଷ ଭୁବନେଶ୍ୱର କୋର୍ଟରୁ ହାଇକୋର୍ଟ ପର୍ଯ୍ୟନ୍ତ ମାମଲା ଗଡ଼ିବା ପରେ ଏବେ ମାନ୍ୟବର ହାଇକୋର୍ଟଙ୍କ ରାୟ ପ୍ରକାଶ ପାଇଛି I ରାୟ ପ୍ରକାଶ ପାଇବାର ଗୋଟିଏ ମାସ ବିତି ସାରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଆସୋସିଏସନର ସମ୍ବିଧାନ ଅନୁଯାୟୀ ସାଧାରଣ ସଭା ଡକାଯାଇନାହିଁ। ଏପରି ସ୍ଥିତିରେ ଆସୋସିଏସନର ନିର୍ବାଚନକୁ ନେଇ ଥିବା ଅଚଳାବସ୍ଥାରେ କେବେ ସୁଧାର ଆସିବ ତାର ସଠିକ ଆକଳନ କରିବା କଷ୍ଟକର ବ୍ୟାପାର। ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗର ନିୟମ ଅନୁଯାୟୀ ସମସ୍ତ ୩୦ ଜିଲ୍ଲାରେ ଜିଲ୍ଲାପାଳ ଓ ରାଉରକେଲା, ଭୁବନେଶ୍ୱରରେ ଅତିରିକ୍ତ ଜିଲ୍ଲାପାଳ ସମ୍ପୃକ୍ତ କ୍ରୀଡା ସଂସଦର ସଭାପତି ଅଟନ୍ତି I ତେବେ ଦେଖିବାକୁ ବାକି ରହିଲା ଭୁବନେଶ୍ୱର ଆଥଲେଟିକ ଆସୋସିଏସନର ନିର୍ବାଚନ କେବେ ହେଉଛି?

ସମ୍ବନ୍ଧିତ ଖବର