ଖଇରା : ଏଠାରେ ଚାଲିଥିବା ୩୭ତମ ବାବା ଲଙ୍କେଶ୍ବର ଅନ୍ତଃରାଜ୍ୟ କ୍ରିକେଟ୍‌ ପ୍ରତିଯୋଗିତା ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ୍‌ ମ୍ୟାଚ୍‌ରେ ବାରିପଦା ଡିଆର୍‌କେ ଦଳକୁ ୭ ୱିକେଟ୍‌ରେ ପରାସ୍ତ କରି କଟକର ନିମପୁର ସ୍ପୋର୍ଟିଂ ବିଜେତା ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ବାରିପଦା ଦଳ ୨୪ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୩୦ ରନ୍‌ କରିଥିଲା। ଜବାବରେ ନିମପୁର ସ୍ପୋର୍ଟିଂ ୧୯.୪ ଓଭରରେ ୩ ୱିକେଟ‌୍ ହରାଇ ବିଜୟ ଲାଭ କରିଥିଲା। ବିଜେତା ଦଳକୁ ୨୦ ହଜାର ଓ ଉପବିଜେତା ଦଳକୁ ୧୫ ହଜାର ଟଙ୍କା ପୁରସ୍କାର ରାଶି ସହିତ ଟ୍ରଫି ପ୍ରଦାନ କରାଯାଇଥିଲା। ଅଭି‌ଷେକ ନାୟକ ଫାଇନାଲ୍‌ର ଶ୍ରେଷ୍ଠ, ବିକ୍ରମ ସାମଲ ଶ୍ରେଷ୍ଠ ୱିକେଟ୍‌ରକ୍ଷକ ସାଙ୍ଗକୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦେବାଶିଷ ମହନ୍ତ ଶ୍ରେଷ୍ଠ ବ୍ୟାଟସ୍‌ମ୍ୟାନ, ପ୍ରୀତପାଲ୍ ସିଂ ଶ୍ରେଷ୍ଠ କ୍ଷେତ୍ରରକ୍ଷକ ଏବଂ ଏମ୍‌ଡି ଦାନିସ୍‌ ଶ୍ରେଷ୍ଠ ବୋଲର ପୁରସ୍କାର ପାଇଥିଲେ। ଶାନ୍ତନୁ ରାଉତ ଓ ସଞ୍ଜୀବ ବେହେରା ମ୍ୟାଚ୍ ପରିଚାଳନା କରିଥିଲେ। ବିଜେତା ଦଳର ଅଧିନାୟକଙ୍କୁ ବାଞ୍ଛାନିଧି ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ପରିବାର ପକ୍ଷରୁ ଶ୍ରୀମଦ୍‌ ଭାଗବତ ଗୀତା ପ୍ରଦାନ କରାଯାଇଥିଲା। ଏହି ମ୍ୟାଚ୍‌କୁ ରାଧାଗୋବିନ୍ଦ ମେଡିସିନ ଷ୍ଟୋର ଓ ରାଧିକା କାର୍ଗୋ ସର୍ଭିସ୍‌ ପ୍ରଯୋଜନା କରିଥିଲେ।

Advertisment

ଖେଳ ସଭିଙ୍କୁ ଏକାଠି କରିଥାଏ: ସୌମ୍ୟରଞ୍ଜନ
ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଖେଳ ସମସ୍ତଙ୍କୁ ଏକାଠି କରିଥାଏ। ଆମଦେଶର ତରୁଣ ପିଢ଼ି କ୍ରିକେଟ୍ ପଛରେ ବାୟା ହେଉଥିବା ବେଳେ ଅନ୍ୟ ଖେଳକୁ ମଧ୍ୟ ଯଥାଯୋଗ୍ୟ ସମ୍ମାନ ଓ ସୁଯୋଗ ମିଳିବା ଆବଶ୍ୟକ। କେବଳ କ୍ରିକେଟ୍‌ ନୁହେଁ, ଗ୍ରାମାଞ୍ଚଳରେ ଅନ୍ୟ ଖେଳଗୁଡ଼ିକୁ ଗୁରୁତ୍ବ ଦିଆଗଲେ ସେଠାରୁ ପ୍ରତିଭାବାନ୍ ଖେଳାଳି ଲୋକଲୋଚନକୁ ଆସିପାରନ୍ତେ ବୋଲି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ୍‌ ଗଣ୍ତିବେଡ଼ ହାଇସ୍କୁଲ ପଡ଼ିଆରେ ଚାଲିଥିବା ୩୭ତମ ବାବା ଲଙ୍କେଶ୍ବର ଅନ୍ତଃରାଜ୍ୟ କ୍ରିକେଟ୍‌ ପ୍ରତିଯୋଗିତାର ଉଦ୍‌ଯାପନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଛନ୍ତି ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ। ସମ୍ମାନିତ ଅତିଥି ଭାବେ ବ୍ଲକ୍‌ ଅଧ୍ୟକ୍ଷା ଅଭିଲିପ୍‌ସା ସାହୁ, ସ୍ଥାନୀୟ ସରପ‌ଞ୍ଚ ସୁଶାନ୍ତ ମହାକୁଡ଼, ଏସ୍‌ଆର ଗ୍ରୁପ୍‌ର ଅଧ୍ୟକ୍ଷ ରାଜେଶ ମହାକୁଡ଼, ଅଧ୍ୟାପକ ଅଭୟ କୁମାର ସୂତାର, ସମାଜସେବୀ ଗିରିଜା ଶଙ୍କର ଦାସ, ରାଧାକାନ୍ତ ରାଉଳ ପ୍ରମୁଖ ଯୋଗଦେଇଥିଲେ। କମିଟିର ସଭାପତି ଅଭିମନ୍ୟୁ ରାଉଳ ଅତିଥି ପରିଚୟ ଓ ସମ୍ପାଦକ ସୁଶାନ୍ତ କୁମାର ମହାପାତ୍ର ବିବରଣୀ ପାଠ କରିଥିଲେ। ଖେଳର ପ୍ରଥମାର୍ଧରେ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।