କରାଚି: ପ୍ରଥମ ତିନି ଦିନ ଭ୍ରମଣକାରୀ ଅଷ୍ଟ୍ରେଲିଆ ନିୟନ୍ତ୍ରଣରେ ରହିଥିବା କରାଚି ଟେଷ୍ଟ୍ର ଶେଷ ଦୁଇ ଦିନରେ ଭ୍ରମଣକାରୀ ବୋଲରମାନେ ଘରୋଇ ପାକିସ୍ତାନର ୧୦ ୱିକେଟ୍ ଦଖଲ କରିବାରେ ବିଫଳ ହେଲେ। ଅନ୍ୟପକ୍ଷରେ ଅଧିନାୟକ ବାବର ଆଜମ୍ (୧୯୬), ୱିକେଟ୍ରକ୍ଷକ ମହମ୍ମଦ ରିଜ୍ୱାନ (୧୦୪*) ଏବଂ ଓପ୍ନର ଅବ୍ଦୁଲ୍ଲା ସଫିକ୍ (୯୬) ହିଁ ମ୍ୟାଚ୍କୁ ବଞ୍ଚାଇବାରେ ସମର୍ଥ ହେଲେ। ପ୍ରାୟ ଶେଷ ଦୁଇ ଦିନ ମଧ୍ୟରେ ୫୦୬ ରନ୍ର କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟର ପିଛା କରିଥିବା ପାକିସ୍ତାନ ଶେଷରେ ୪୪୩/୭ କରି ଅଷ୍ଟ୍ରେଲିଆକୁ ବିଜୟରୁ ବଞ୍ଚିତ କରିଥିଲା। ଫଳରେ ବୁଧବାର ପଞ୍ଚମ ତଥା ଶେଷ ଦିନରେ ଏହି ଟେଷ୍ଟ ଅମୀମାଂସିତ ରହିଲା। ଉସ୍ମାନ ଖୱାଜାଙ୍କ ୧୬୦, ଆଲେକ୍ସ କାରେଙ୍କ ୯୩, ଷ୍ଟିଭ୍ ସ୍ମିଥ୍ଙ୍କ ୭୨ ରନ୍ ବଳରେ ଅଷ୍ଟ୍ରେଲିଆ ପ୍ରଥମ ପାଳିକୁ ୫୫୬/୯ ଏବଂ ଦ୍ବିତୀୟ ପାଳିକୁ ୯୭/୨ରେ ଘୋଷଣା କରିବା ସହିତ ପାକିସ୍ତାନ ସମ୍ମୁଖରେ ୫୦୬ ରନ୍ର ଲକ୍ଷ୍ୟ ଛାଡ଼ିଥିଲା। ଜବାବରେ ପ୍ରଥମ ପାଳିରେ ଦୟନୀୟ ଭାବେ ୧୪୮ ରନ୍ କରିଥିବା ପାକିସ୍ତାନ କିନ୍ତୁ ଦ୍ବିତୀୟ ପାଳିରେ ଦମ୍ଦାର ପ୍ରତ୍ୟାବର୍ତନ କରିଥିଲା। ଦ୍ବିଶତକରୁ ମାତ୍ର ୪ ରନ୍ ପାଇଁ ବଞ୍ଚିତ ହୋଇଥିବା ବାବର ଆଜମ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏଥି ସହିତ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଶେଷ ମୁକାବିଲା ପୂର୍ବରୁ ୦-୦ ସ୍ଥିତିରେ ରହିଛି।
ଚତୁର୍ଥ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହାର ବେଳକୁ ୧୯୨/୨ କରିଥିବା ପାକିସ୍ତାନ ବୁଧବାର ବାବର ଆଜମ୍, ମହମ୍ମଦ ରିଜ୍ୱାନ ଏବଂ ଅବ୍ଦୁଲ୍ଲା ସଫିକ୍ଙ୍କ ବଳରେ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲା। ଏହି ଦଳ ୮୯.୪ ଓଭର ଖେଳି ୪୪୩/୭ କରିଥିଲା ବେଳେ ମ୍ୟାଚ୍ ଅମୀମାଂସିତ ଘୋଷଣା ହୋଇଥିଲା। ବାବର ପୂର୍ବଦିନ ସ୍କୋର୍ ୧୦୨*ରେ ଆଉ ୯୪ ରନ୍ ଯୋଡ଼ି ଆଉଟ୍ ହେବା ପୂର୍ବରୁ ସଫିକ୍ ପୂର୍ବଦିନ ସ୍କୋର୍ (୭୧*)ରେ ୨୫ ରନ୍ ଯୋଡ଼ିପାରିଥିଲେ। ଫଳରେ ଉଭୟେ ୪ ରନ୍ ଲେଖାଏଁ ପାଇଁ ଯଥାକ୍ରମେ ଦ୍ବିଶତକ ଓ ଶତକରୁ ବଞ୍ଚିତ ରହିଥିଲେ। ବାବରଙ୍କର ଏହା କ୍ୟାରିୟର ଶ୍ରେଷ୍ଠ ସ୍କୋର୍ ଥିଲାବେଳେ ପ୍ରଥମ ଥର ୧୫୦+ ସ୍କୋର୍ କରିଥିଲେ। ବାବର ତୃତୀୟ ୱିକେଟ୍ରେ ସଫିକ୍ଙ୍କ ସହ ୨୨୮ ରନ୍ ଯୋଡ଼ିବା ପରେ ପଞ୍ଚମ ୱିକେଟ୍ରେ ରିଜ୍ୱାନଙ୍କ ସହ ୧୧୫ ରନ୍ ଯୋଡ଼ି ମ୍ୟାଚ୍ ବଞ୍ଚାଇବାର ଆଶା ଦେଇଥିଲେ। ଅବଶ୍ୟ ଶେଷ ୧୨ ଓଭରରେ ଅଷ୍ଟ୍ରେଲୀୟ ବୋଲର ୫୧ ରନ୍ ବିନିମୟରେ ୩ ୱିକେଟ୍ ଝଡ଼ାଇ ଦେଇଥିଲେ ମଧ୍ୟ ରିଜ୍ୱାନ ହିଁ କଣ୍ଟା ସାଜିଥିଲେ। ସେ ଅପରାଜିତ ଶତକୀୟ ପାଳି ଖେଳିବା ସାଙ୍ଗକୁ ଅଷ୍ଟମ ୱିକେଟ୍ରେ ନୌମନ ଅଲ୍ଲୀ (୦*, ୧୮ ବଲ୍)ଙ୍କୁ ସାଥୀ କରି ପୂରା ୭ ଓଭର କ୍ରିଜ୍ରେ ଜମି ରହି ଅବିଭାଜିତ ୨୯ ରନ୍ କରିବା ସହ ଅଷ୍ଟ୍ରେଲିଆ ବୋଲରଙ୍କୁ ନିରାଶ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ସଫଳ ବୋଲର ଭାବେ ସ୍ପିନର ନାଥନ୍ ଲାୟନ ୪ ଓ ଅଧିନାୟକ ପ୍ୟାଟ୍ କମିନ୍ସ ୨ ୱିକେଟ୍ ପାଇଥିଲେ।
ଅଧିନାୟକ ଭାବେ ଚତୁର୍ଥ ପାଳିରେ ସର୍ବୋଚ୍ଚ ସ୍କୋର୍: କୋହଲି, ବ୍ରାଡ୍ମ୍ୟାନ୍, ପଣ୍ଟିଂ, ଲାରାଙ୍କୁ ଟପିଲେ ବାବର
ନିଜର ଷଷ୍ଠ ଟେଷ୍ଟ୍ ଶତକ ହାସଲ କରିବାର ଦିନକ ପରେ ପାକିସ୍ତାନ ଅଧିନାୟକ ବାବର ଆଜମ୍ ନିଜର ବ୍ୟକ୍ତିଗତ ସର୍ବୋଚ୍ଚ ସ୍କୋର୍ ଜମାଇଛନ୍ତି। ସେ ବୁଧବାର ଅଷ୍ଟ୍ରେଲିଆ ବିପକ୍ଷ କରାଚି ଟେଷ୍ଟ୍ର ଦ୍ବିତୀୟ ପାଳିରେ ୧୯୬ ରନ୍ କରି ଆଉଟ୍ ହେବା ପୂର୍ବରୁ ଭାରତର ବିରାଟ କୋହଲି, ଅଷ୍ଟ୍ରେଲୀୟ କିଂବଦନ୍ତି ଡନ୍ ବ୍ରାଡ୍ମ୍ୟାନ୍ ଓ ରିକି ପଣ୍ଟିଂଙ୍କ ସହିତ ୱେଷ୍ଟ୍ଇଣ୍ଡିଜ୍ର ବ୍ରାଏନ୍ ଲାରାଙ୍କ କୀତ୍ତିମାନକୁ ଟପି ଯାଇଥିଲେ। ବାବର ଦ୍ବିଶତକରୁ ଅଳ୍ପକେ ବଞ୍ଚିତ ରହିଥିଲେ ମଧ୍ୟ କୌଣସି ଟେଷ୍ଟ୍ର ଚତୁର୍ଥ ପାଳିରେ ଜଣେ ଅଧିନାୟକ ଭାବେ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍ କରିବାରେ ନୂଆ ମାଇଲଖୁଣ୍ଟ ପ୍ରତିଷ୍ଠା କରିଥିଲେ। ଏକ୍ଷେତ୍ରରେ ସେ କୋହଲି (୧୫୬), ବ୍ରାଡ୍ମ୍ୟାନ୍ (୧୭୩*), ପଣ୍ଟିଂ (୧୪୧) ଏବଂ ଲାରା (୧୫୩*)ଙ୍କୁ ପଛରେ ପକାଇ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/6da54g654g65dg456gdgdaagd.jpg)