ମାଞ୍ଚେଷ୍ଟର: ଏଠାରେ ବୁଧବାର ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍ର ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିବସରେ ମାତ୍ର ୩୯ ଓଭର ଖେଳ ସମ୍ଭବ ହୋଇଥିଲା। ପାକିସ୍ତାନ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ବାବର ଆଜମ୍ ୬୯ ରନ୍ରେ ଅପରାଜିତ ଥିଲେ। ଘରୋଇ ଦଳର ୪ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍, ଷ୍ଟୁଆର୍ଟ ବ୍ରଡ୍, ଜୋଫ୍ରା ଆର୍ଚର ଏବଂ କ୍ରିସ୍ ୱକ୍ସଙ୍କ ବିପକ୍ଷରେ ତାଙ୍କର ଏହି ସାହସିକ ପାଳି କିନ୍ତୁ ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର୍ ହୁସେନ୍ଙ୍କୁ ପ୍ରଭାବିତ କରିଥିଲା।
ଏହା ଥିଲା ତାଙ୍କର କ୍ରମାଗତ ପଞ୍ଚମ ୫୦+ ସ୍କୋର୍। ପୁଣି ନିଜର ଶେଷ ୫ ମ୍ୟାଚ୍ରେ ମଧ୍ୟ ବାବର ୩ ଶତକ ଜମାଇଛନ୍ତି। ମୋଟ ଉପରେ ୨୬ ଟେଷ୍ଟ୍ ଖେଳି ୫ ଶତକ ଓ ୧୩ ଅର୍ଧଶତକ ଜରିଆରେ ୧୮୫୦ ରନ୍ କରିଛନ୍ତି। ନାସିର୍ ହୁସେନ୍ ଏପରିସ୍ଥଳେ ବିରାଟ କୋହଲି, ଷ୍ଟିଭ୍ ସ୍ମିଥ୍, କେନ୍ ୱିଲିୟମ୍ସନ୍ ଏବଂ ଜୋ ରୁଟ୍ଙ୍କ ସ୍ତରର ଜଣେ ଖେଳାଳି ଭାବେ ବାବରଙ୍କୁ ତୁଳନା କରିଛନ୍ତି। ଇଂଲଣ୍ଡ ବୋଲରଙ୍କ ବିପକ୍ଷରେ ସେ ଯେପରି ଡ୍ରାଇଭ୍ କରୁଥିଲେ ତାହା ଦେଖିବାର କଥା। ଭାରତୀୟ ଅଧିନାୟକ ବିରାଟ କୋହଲି ଯଦି ସେହି ସ୍ଥିତିରେ ଥାଆନ୍ତେ ତାହାଲେ ପ୍ରତ୍ୟେକ ତାଙ୍କ ପ୍ରଦର୍ଶନକୁ ନେଇ ଚର୍ଚ୍ଚା କରିଥା'ନ୍ତେ। ମାତ୍ର ସେ ବାବର ଆଜମ୍ ହୋଇଥିବାରୁ କେହି ବି ଆଲୋଚନା କରୁନାହାନ୍ତି ବୋଲି କହିଛନ୍ତି ସାରା ବିଶ୍ବରେ ଜଣେ ଅନ୍ୟତମ ଶ୍ରେଷ୍ଠ ଭାଷ୍ୟକାର ଭାବେ ବିବେଚିତ ନାସିର୍ ହୁସେନ୍। ହେଲେ ବାବର ଯେ ବିଶ୍ବର ଶୀର୍ଷ-୫ ଖେଳାଳିଙ୍କ ମଧ୍ୟରେ ସାମିଲ ହୋଇଛନ୍ତି ତାହା ତାଙ୍କ ପ୍ରଦର୍ଶନର ପ୍ରମାଣ ଦିଏ। ଆନ୍ତର୍ଜାତିକ କ୍ରିକେଟ୍କୁ ତାଙ୍କ ପ୍ରବେଶ ପୂର୍ବରୁ ଯେଉଁ ଫାବ୍ ଫୋର୍ (କୋହଲି, ସ୍ମିଥ୍, ୱିଲିୟମ୍ସନ୍ ଓ ରୁଟ୍)ଙ୍କ ରାଜୁତି ଥିଲା ତାହା ଏବେ ଫାବ୍ ଫାଇଭ୍ରେ ପରିଣତ ହୋଇଯାଇଛି ବୋଲି କହିଛନ୍ତି ନାସିର୍ ହୁସେନ୍। ଫାବ୍ ଫାଇଭ୍ରେ ବାବର ଆଜମ୍ ନିଜ ନାମକୁ ଯୋଡ଼ିପାରିଛନ୍ତି ବୋଲି ହୁସେନ୍ କହିଛନ୍ତି।
ମହାନ୍ ପାଇଁ ବାବରଙ୍କୁ ତାଙ୍କ ଖେଳର, ବୈଷୟିକ ତ୍ରୁଟି ସୁଧାରିବା ଦରକାର: ରମିଜ୍ ରାଜା
ମାଞ୍ଚେଷ୍ଟର: ବାବର ଆଜମ୍ ଜଣେ ଚମତ୍କାର ରନ୍ ସ୍କୋରର୍। ହେଲେ ତାଙ୍କର କେତେକ ବୈଷୟିକ ତ୍ରୁଟି ରହୁଛି। ତେଣୁ ଜଣେ ମହାନ୍ ଖେଳାଳି ହେବାକୁ ହେଲେ ତାଙ୍କ ଖେଳର ସେହିସବୁ ତ୍ରୁଟିକୁ ସୁଧାରିବାକୁ ପଡ଼ିବ ବୋଲି କହିଛନ୍ତି ପୂର୍ବତନ ପାକିସ୍ତାନ ର୍ଅଧିନାୟକ ତଥା ଏବର ଭାଷ୍ୟକାର ରମିଜ ରାଜା। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍ର ପ୍ରଥମ ଦିନ ସେ ୬୯ ରନ୍ରେ ଅପରାଜିତ ଥିଲେ ବି ଖୋଲା କାନ୍ଧ ସହ ବଲ୍କୁ ସମ୍ମୁଖୀନ ହେଉଥିବା ଦେଖାଯାଇଥିଲା। ଯାହାକି ତାଙ୍କୁ ନିଜସ୍ବ ଶୈଳୀରେ ଡ୍ରାଇଭ୍ କରିବାରୁ ବଞ୍ଚିତ କରୁଥିଲା। ଯେତେବେଳେ ଏପରି ଦେଖାଯାଏ ତା'ର ଅର୍ଥ ତୁମ ମୁଣ୍ଡର ପୋଜିସନ୍ ଠିକ୍ ନଥାଏ। ମୁଣ୍ଡ ଓ କାନ୍ଧର ସମନ୍ବୟ ନରହିଲେ ସଟ୍ ଖେଳିବା ସମ୍ଭବ ହୋଇନଥାଏ। ବିଶେଷକରି ଆଉଟ୍ ସୁଇଙ୍ଗର ବଲ୍କୁ ଖେଳିବା କଷ୍ଟକର ହୋଇଥାଏ ବୋଲି ୟୁଟ୍ୟୁବ୍ ଚ୍ୟାନେଲକୁ କହିଛନ୍ତି ରମିଜ୍। ଅ୍ୟପକ୍ଷରେ ବାବର ଜଣେ ଦ୍ବିଧାବୋଧ କରୁଥିବା ଖେଳାଳି ଏବଂ ନର୍ଭସ ଯୋଗୁଁ ହିଁ ଅଧିକାଂଶ ସମୟ ସଂଘର୍ଷ କରିଥା'ନ୍ତି ବୋଲି ରମିଜ୍ କହିଛନ୍ତି।