ବାବର ଆଜମ୍‌ ପାକିସ୍ତାନ ସୀମିତ ଓଭର ଅଧିନାୟକ

ଲାହୋର : ଉଦୀୟମାନ ଯୁବ ବ୍ୟାଟ୍‌ସମ୍ୟାନ୍‌ ବାବର ଆଜମ୍‌ ପାକିସ୍ତାନ ଦିନିକିଆ ଦଳର ଅଧିନାୟକ ମନୋନୀତ ହୋଇଛନ୍ତି। ସେ ସର୍ଫରାଜ ଅହମ୍ମଦଙ୍କ ବଦଳରେ ଦଳର ନେତୃତ୍ବ ସମ୍ଭାଳିବେ। ଆଝାର ଅଲ୍ଲୀ ପୂର୍ବପରି ଟେଷ୍ଟ ଦଳର ଅଧିନାୟକ ଦାୟିତ୍ବ ବଜାୟ ରଖିଥିଲା ବେଳେ ବାବର ଆଜମ୍‌ଙ୍କୁ ସୀମିତ ଓଭର ଫର୍ମାଟ୍‌ର ନେତୃତ୍ବ ଅର୍ପଣ କରାଯାଇଛି। ଫଳରେ ସେ ଦିନିକିଆ ସହିତ ଟ୍ବେଣ୍ଟି-୨୦ରେ ବି ପାକିସ୍ତାନ ଦଳର ଅଧିନାୟକତ୍ବ କରିବେ ବୋଲି ପାକ୍‌ କ୍ରିକେଟ୍‌ ବୋର୍ଡ (ପିସିବି) ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ଆସନ୍ତା ଜୁଲାଇ ୧ ତାରିଖରୁ ୨୦୨୦-୨୧ ଋତୁ ଆରମ୍ଭ ହେବାକୁ ଯାଉଥିଲା ବେଳେ ବାବର ଧଳା ବଲ୍‌ କ୍ରିକେଟ୍‌ର ନେତୃତ୍ବ ତୁଲାଇବେ। ଏହି ଋତୁରେ ପାକିସ୍ତାନ ୯ ଟେଷ୍ଟ୍‌, ୬ ଦିନିକିଆ ଓ ୨ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବ। ଏହା ବାଦ୍‌ ଏସିଆ କପ୍‌ ଓ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବି ରହିଥିବାରୁ ବାବର ଆଜମ୍‌ଙ୍କ ପାଇଁ ପରୀକ୍ଷାର ବେଳ ରହିବ। ବୁଧବାର ପିସିବି ତା’ର ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ତାଲିକା ଘୋଷଣା କରିବା ବେଳେ ଉଭୟ ଅଧିନାୟକ ଆଝାର ଅଲ୍ଲୀ ଓ ବାବର ଆଜମ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟ ମନୋନୟନକର୍ତା, ମୁଖ୍ୟ ପ୍ରଶିକ୍ଷକ ତଥା ପୂର୍ବତନ ଅଧିନାୟକ ମିସ୍‌ବା ଉଲ୍‌ ହକ୍‌।

ସମ୍ବନ୍ଧିତ ଖବର