ନୂଆଦିଲ୍ଲୀ: ଶନିବାର ୨୮ ବର୍ଷ ବୟସରେ ପାଦ ରଖିଛନ୍ତି ପାକିସ୍ତାନ କ୍ୟାପ୍‌ଟେନ୍‌ ବାବର୍‌ ଆଜାମ୍‌। ସେ ତାଙ୍କର କ୍ରିକେଟର୍‌ ସାଥୀମାନଙ୍କ ସହ ମିଶି ନିଜ ଜନ୍ମଦିନ ପାଳନ କରିଛନ୍ତି। ଆଇସିସି ମିଡିଆ ଇଭେଣ୍ଟ୍‌ରେ ପାଳନ ହୋଇଥିବା ଆଜାମ୍‌ଙ୍କ ଜନ୍ମଦିନ ଉତ୍ସବରେ ୧୬ଟି ଟିମ୍‌ର କ୍ୟାପ୍‌ଟେନ୍‌ଙ୍କୁ ଦେଖିବାକୁ ମିଳିଥିଲା। ଏହି ଅବସରରେ ବାବର୍‌ ଆଜାମ୍‌ଙ୍କ ଜନ୍ମଦିନ ପାର୍ଟିରେ ଭାରତୀୟ କ୍ୟାପ୍‌ଟେନ୍‌ ରୋହିତ ଶର୍ମା ବି ନଜର ଆସିଥିଲେ।

Advertisment

ଆଜାମ୍‌ଙ୍କ ଜନ୍ମଦିନ ଅବସରରେ ସମସ୍ତ କ୍ୟାପ୍‌ଟେନ୍‌ ଗଣମାଧ୍ୟମରେ ସେମାନଙ୍କ ଶୁଭେଚ୍ଛା ଜଣାଇଥିଲେ।  ଗଣମାଧ୍ୟମ ସହିତ ଉପସ୍ଥିତ ସବୁ ଦଳର କ୍ୟାପଟେନ୍ କଥା ହେଉଥିବା ବେଳେ ଅଷ୍ଟ୍ରେଲୀୟ କ୍ୟାପ୍‌ଟେନ୍‌ ଆରନ୍‌ ଫିଞ୍ଚ ଏକ କେକ୍ ନେଇ ସେଠାରେ ପହଞ୍ଚିଥିଲେ ଆଉ ପାକିସ୍ତାନ କ୍ୟାପ୍‌ଟେନ୍‌ ବାବର୍‌ ଆଜାମ୍‌ଙ୍କ ଜନ୍ମଦିନ ପାଇଁ ଏହା ଅଣାଯାଇଛି ବୋଲି କହିଥିଲେ।

ଆଜାମ୍‌ ଷ୍ଟେଜ୍‌ ଉପରେ ଚଢ଼ି କେକ୍‌ କାଟିଥିବା ବେଳେ ତାଙ୍କୁ ପାକିସ୍ତାନ କ୍ରିକେଟ୍‌ ଦଳର ଡିଜିଟାଲ୍‌ ଟିମ୍‌ ଅନ୍ୟ ଏକ କେକ୍‌ ଦେଇ ସର୍‌ପ୍ରାଇଜ୍‌ କରିଥିଲେ। ସେ କେକ୍‌ କାଟିବା ସହ ନିଜର ମନ୍ତବ୍ୟ ବି ଦେଇଥିଲେ। ସମସ୍ତଙ୍କୁ ନିଜର କୃତଜ୍ଞତା ଜଣାଇବା ସହ ଭାରତ ସହ ଖେଳିବା ତାଙ୍କ ପାଇଁ କାହିଁକି ସବୁବେଳେ ସ୍ବତନ୍ତ୍ର ହୋଇଥାଏ କହିଛନ୍ତି। ଆଜାମ୍ କହିଥିଲେ ଯେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ ସହ ଖେଳିବାର ଆହ୍ବାନ ଭିନ୍ନ ଧରଣର। ଆଉ ଏହି ମ୍ୟାଚ୍ ଖୁବ୍ ଲଢ଼ୁଆ ଓ ଆହ୍ବାନମୂଳକ ହୋଇଥାଏ।

ରୋହିତ ଶର୍ମାଙ୍କଠାରୁ ଓ ତାଙ୍କ ଅଭିଜ୍ଞତାରୁ ସେ ଖେଳ ଶିଖିବାକୁ ଚାହାନ୍ତି ବୋଲି ବାବର୍‌ ଆଜାମ୍‌ କହିଛନ୍ତି। ତାଙ୍କର ଏହି କଥା ଶୁଣିବା ପରେ ରୋହିତ ବି ସ୍ମିତହାସ୍ୟ ଦେଉଥିବାର ଦେଖିବାକୁ ମିଳିଛି।