କରାଚୀ : ଭାରତରେ ଚାଲିଥିବା ଆଇସିସି ବିଶ୍ବକପରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ବାବର ଆଜମ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ କ୍ରିକେଟର ସବୁ ଫର୍ମାଟରୁ ପାକିସ୍ତାନ ଦଳର ନେତୃତ୍ବ ଛାଡ଼ିଛନ୍ତି । ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ସେ ନିଜର ନିଷ୍ପତ୍ତି ସଂପର୍କରେ ଘୋଷଣା କରିଛନ୍ତି ।
ବିଶ୍ବକପରେ ପାକିସ୍ତାନ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ଲଗାତାର ୪ଟି ମ୍ୟାଚ ହାରିବା ପରେ ଦଳ ଶେଷ ପର୍ଯ୍ୟନ୍ତ ଉଠିପାରିନଥିଲା । ବିଶେଷକରି ଆଫଗାନିସ୍ତାନ ଓ ଭାରତ ବିପକ୍ଷରେ ହାରିବା ଦଳ ପାଇଁ ବେଶ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଏହି ପ୍ରଦର୍ଶନ ପରେ ପାକିସ୍ତାନର ମୁଖ୍ୟ ଚୟନକର୍ତ୍ତା ଇଞ୍ଜାମାମ-ଉଲ୍-ହକ୍ ଇସ୍ତଫା ଦେଇଥିଲେ। ସେହିପରି ବୋଲିଂ କୋଚ୍ ମର୍ନେ ମୋର୍କେଲ ମଧ୍ୟ ନିଜ ପଦ ଛାଡ଼ିଛନ୍ତି। ଏହାପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ସମଗ୍ର ଚୟନ କମିଟିକୁ ବହିଷ୍କାର କରିଥିଲା।
— Babar Azam (@babarazam258) November 15, 2023
ଏକ୍ସରେ ବାବର ରେଖିଛନ୍ତି, “ମୋର ଏବେ ବି ମନେ ଅଛି ଯେତେବେଳେ ୨୦୧୯ରେ ମୋତେ ପିସିବି ଫୋନ୍ ଆସିଲା ଯେ ଆପଣ ପାକିସ୍ତାନ କ୍ରିକେଟ୍ ଦଳର ନେତୃତ୍ୱ ନେବାକୁ ଯାଉଛନ୍ତି। ଗତ ୪ ବର୍ଷ ମଧ୍ୟରେ ମୁଁ ଅନେକ ଉତ୍ଥାନ-ପତନ ଦେଖିଛି। ଦଳ ପାଇଁ ସବୁବେଳେ ଭଲ ପ୍ରଦର୍ଶନ କରିବା ଏବଂ ଏହାକୁ ଅଧିକ ଉଚ୍ଚତାରେ ପହଞ୍ଚାଇବା ଉଦ୍ଦେଶ୍ୟ ଥିଲା। ଦିନିକିଆ କ୍ରିକେଟରେ ଏକ ନମ୍ବର ସ୍ଥାନରେ ପହଞ୍ଚିବା ସମଗ୍ର ଦଳର ଏକ ବଡ଼ ପ୍ରୟାସ ଥିଲା। ଏହା ପଛରେ ଟିମ୍ ମ୍ୟାନେଜମେଣ୍ଟର ପୂରା ପରିଶ୍ରମ ଖେଳାଳି, କୋଚିଂ ଷ୍ଟାଫ୍ ଙ୍କ ନିଷ୍ଠା ଜଡ଼ିତ ଥିଲା। ଆଜି ମୁଁ ସବୁ ଫର୍ମାଟରେ ପାକିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ପଦରୁ ଇସ୍ତଫା ଦେବାକୁ ଯାଉଛି। ଏହା ମୋ ପାଇଁ ନେବା ଏକ ଅତ୍ୟନ୍ତ କଷ୍ଟକର ନିଷ୍ପତ୍ତି ଥିଲା କିନ୍ତୁ ମୁଁ ଭାବୁଛି ଏହା ସଠିକ୍ ସମୟ ତେଣୁ ମୁଁ ଏହି ବଡ ପଦକ୍ଷେପ ନେଉଛି ।