କୋହଲିଙ୍କ ଆଉ ଏକ କୀର୍ତ୍ତିମାନ ଭାଙ୍ଗିଲେ ବାବର

୪୧୪ ସ୍ଥାନ ଉପରକୁ ଉଠିଲେ ହୁଦା

ଦୁବାଇ: ପାକିସ୍ତାନ ଅଧିନାୟକ ବାବର ଆଜମ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଆଉ ଏକ କୀର୍ତ୍ତିମାନକୁ ଭାଙ୍ଗିଛନ୍ତି। ଗତ ଦଶନ୍ଧିରେ କୋହଲି ଯେତେବେଳେ ନିଜ ଶ୍ରେଷ୍ଠ ଫର୍ମରେ ଥିଲେ ସେତେବେଳେ ଟ୍ବେଣ୍ଟି-୨୦ ବ୍ୟାଟର୍‌ଙ୍କ ମାନ୍ୟତାର ଶୀର୍ଷ ସ୍ଥାନରେ ଦୀର୍ଘ ୧,୦୧୩ ଦିନ ରହିଥିଲେ। ବାବର ଏବେ ତାଙ୍କୁ ଟପି ଟ୍ବେଣ୍ଟି-୨୦ ବ୍ୟାଟର୍‌ ମାନ୍ୟତାର ପ୍ରଥମ ସ୍ଥାନରେ ସର୍ବାଧିକ ଦିନ ରହିବାର କୀର୍ତ୍ତିମାନ କରିଛନ୍ତି। ବାବର ସଂପ୍ରତି ୮୧୮ ରେଟିଂ ପଏଣ୍ଟ୍ ସହ ‌ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାର ପ୍ରଥମ ସ୍ଥାନରେ ଥିଲା ବେଳେ ସେହି ପାକିସ୍ତାନର ମହମ୍ମଦ ରିଜୱାନ୍ (୭୯୪) ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଗତ ୩ ବର୍ଷ ହେବ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଗୋଟିଏ ‌ହେଲେ ବି ଶତକ ଅର୍ଜନ କରିପାରିନଥିବା କୋହଲି ଏବେ ଶ୍ରେଷ୍ଠ ୨୦ ଭିତରେ ବି ନାହାନ୍ତି। ମାତ୍ର ୫୭୧ ରେଟିଂ ପଏଣ୍ଟ୍‌ ସହ କୋହଲି ସଂପ୍ରତି ୨୧ତମ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ଭାରତର ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ଟ୍ବେଣ୍ଟି-୨୦ ବ୍ୟାଟର୍‌ ଭାବେ ଈଶାନ କିଶନ (୬୮୨) ସପ୍ତମ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ରୋହିତ ଶର୍ମା (୫୯୦) ୧୯ ଏବଂ ଶ୍ରେୟସ୍ ଆୟର (୫୮୮) ୨୦ତମ ସ୍ଥାନରେ ଅଛନ୍ତି।

୪୧୪ ସ୍ଥାନ ଉପରକୁ ଉଠିଲେ ହୁଦା
ଆୟର୍ଲାଣ୍ଡ ବିପକ୍ଷ ଶୃଙ୍ଖଳା ପରେ ଈଶାନ ଦୁଇଟି ସ୍ଥାନ ତଳକୁ ଖସି ଯାଇଛନ୍ତି। ଅନ୍ୟପକ୍ଷରେ ଏହି ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ଦୀପକ ହୁଦା ଓ ସଞ୍ଜୁ ସାମସନ୍ ଲମ୍ବା ଲମ୍ଫ ମାରିଛନ୍ତି। ହୁଦା ୪୧୪ ସ୍ଥାନ ଉପରକୁ ଉଠି ୧୦୪ତମ ଏବଂ ସାମସନ୍ ୧୪୪ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଭାରତୀୟ ବୋଲରଙ୍କ ମଧ୍ୟରେ ହର୍ଷଲ ପଟେଲ ୩୭ରୁ ୩୩ ସ୍ଥାନକୁ ଯାଇଛନ୍ତି। ଦିନିକିଆ ମାନ୍ୟତାରେ ମଧ୍ୟ ବାବର (୮୯୨) ପ୍ରଥମ ସ୍ଥାନରେ ରହିଛନ୍ତି। ଏଥିରେ କୋହଲି (୮୧୧) ପାକିସ୍ତାନର ତମିମ-ଉଲ୍‌-ହକ୍‌ଙ୍କ ପଛକୁ ତୃତୀୟ ସ୍ଥାନରେ ଅଛନ୍ତି। ରୋହିତ ଶର୍ମା (୭୯୧) ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ଟେଷ୍ଟ୍ ମାନ୍ୟତାରେ ଇଂଲଣ୍ଡ୍‌ର ଜୋ ରୁଟ୍ (୮୯୯) ପ୍ରଥମ ସ୍ଥାନରେ ରହିଥିଲା ବେଳେ ବାବର ଆଜମ (୮୧୫) ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। କୋହଲି (୭୪୨) ଏଥିରେ ଦଶମ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ରୋହିତ ଶର୍ମା‌ (୭୫୪) ଅଷ୍ଟମ ସ୍ଥାନରେ ସ୍ଥିର ରହିଛନ୍ତି। ଟେଷ୍ଟ୍ ବୋଲରଙ୍କ ମାନ୍ୟତାରେ ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ (୯୦୧), ଟେଷ୍ଟ୍ ଅଲରାଉଣ୍ଡର ମାନ୍ୟତାରେ ଭାରତର ରବୀନ୍ଦ୍ର ଜାଦେଜା (୩୮୫), ଦିନିକିଆ ବୋଲର ମାନ୍ୟତାରେ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ (୭୨୬), ଦିନିକିଆ ଅଲରାଉଣ୍ଡର ମାନ୍ୟତାରେ ବାଂଲାଦେଶର ସକିବ-ଅଲ୍-ହାସନ (୪୧୯), ଟ୍ବେଣ୍ଟି-୨୦ ବୋଲର ମାନ୍ୟତାରେ ଅଷ୍ଟ୍ରେଲିଆର ଜୋସ୍ ହାଜେଲଉଡ୍ (୭୯୨) ଏବଂ ଟ୍ବେଣ୍ଟି-୨୦ ଅଲରାଉଣ୍ଡ୍‌ ମାନ୍ୟତାରେ ଆଫଗାନିସ୍ତାନର ମହମ୍ମଦ ନବି (୨୬୭) ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ସମ୍ବନ୍ଧିତ ଖବର