ଦୁବାଇ: ଆଇସିସି ଦିନିକିଆ ମାନ୍ୟତାରେ ୧୨୫୮ (୪୧ ମାସ) ଦିନ ଧରି ଶୀର୍ଷରେ ରହିଥିବା ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ରାଜୁତି ଶେଷ ହୋଇଛି। ତାଙ୍କୁ ପାକିସ୍ତାନ ଅଧିନାୟକ ବାବର ଆଜମ ଗାଦିଚ୍ୟୁତ କରି ଏହି ସ୍ଥାନ ଦଖଲ କରିଛନ୍ତି। କୋହଲି ଅକ୍ଟୋବର ୨୦୧୭ରେ ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲିୟର୍ସଙ୍କୁ ହଟାଇ ଶୀର୍ଷ ସ୍ଥାନ ଦଖଲ କରିଥିଲେ। ଏହା ପରଠୁ ସେ ଏହି ସ୍ଥାନରେ ରହି ଅସୁଥିଲେ। ହେଲେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଦିନିକିଆରେ ୮୨ ବଲ୍ରୁ ୯୪ କରିଥିବା ବାବର ୧୩ ମାନ୍ୟତା ପଏଣ୍ଟ୍ ହାସଲ କରି ମୋଟ ୮୬୫ ପଏଣ୍ଟ୍ରେ ପହଞ୍ଚିଥିଲେ। ଯାହା କୋହଲିଙ୍କ ପଏଣ୍ଟ୍ଠାରୁ ୮ ଅଧିକ ହୋଇଥିଲା। ଫଳରେ ୨୬ ବର୍ଷୀୟ ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ବୁଧବାର ପ୍ରକାଶିତ ଆଇସିସି ଦିନିକିଆ ମାନ୍ୟତାରେ କୋହଲିଙ୍କୁ ହଟାଇ ଚତୁର୍ଥ ପାକିସ୍ତାନୀ ଭାବେ ଶୀର୍ଷ ସ୍ଥାନ ଦଖଲ କରିବାର ଗୌରବ ଅର୍ଜନ କରିଛନ୍ତି। ତାଙ୍କ ପୂର୍ବରୁ ପାକିସ୍ତାନର ଜାହିର ଆବାସ (୧୯୮୩-୮୪), ଜାଭେଦ ମିଆଁଦାଦ୍ (୧୯୮୮-୮୯) ଓ ମହମ୍ମଦ ୟୁସୁଫ (୨୦୦୩) ଶୀର୍ଷ ସ୍ଥାନ ଦଖଲ କରିବାର ସୌଭାଗ୍ୟ ପାଇଥିଲେ। ୨୦୧୦ ଓ ୨୦୧୨ ୧୯ ବର୍ଷରୁ କମ୍ ବିଶ୍ବକପ୍ର ତାରକା ଖେଳାଳି ଏବଂ ୨୦୧୫ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ବାବର ସଂପ୍ରତି ଟେଷ୍ଟ୍ ମାନ୍ୟତାରେ ଷଷ୍ଠ ଏବଂ ଟ୍ବେଣ୍ଟି-୨୦ରେ ତୃତୀୟ ସ୍ଥାନରେ ରହି ତିନିଟି ଯାକ ଫର୍ମାଟ୍ରେ ଶୀର୍ଷ ୧୦ରେ ରହିଛନ୍ତି। ମୁଁ ପୂର୍ବରୁ ଟି-୨୦ ମାନ୍ୟତାର ଶୀର୍ଷରେ ରହିସାରିଛି। ତେବେ ଦିନିକିଆ ପରେ ଏବେ ଟେଷ୍ଟ୍ ମାନ୍ୟତାରେ ଶୀର୍ଷ ସ୍ଥାନ ଦଖଲ କରିବା ମୋର ପରବର୍ତୀ ଲକ୍ଷ୍ୟ ରହିବ ବୋଲି କହିଛନ୍ତି ବାବର ଆଜମ୍। ଏକ ନମ୍ବର ଟେଷ୍ଟ୍ ବ୍ୟାଟ୍ସମ୍ୟାନ୍ ହେବା ମୋର ବଡ଼ ସ୍ବପ୍ନ ରହିଛି। ତାକୁ ସାକାର କରିବାକୁ କଠୋର ପରିଶ୍ରମ କରିବି ବୋଲି କହିଛନ୍ତି।
ସଦ୍ୟ ପ୍ରକାଶିତ ଦିନିକିଆ ମାନ୍ୟତାରେ ବାବରଙ୍କ ବ୍ୟତୀତ ଫକର ଜମନ (ସପ୍ତମ) ୫ଟି ସ୍ଥାନ ଲମ୍ଫ ଦେଇ ଶୀର୍ଷ ୧୦ରେ ପହଞ୍ଚିଛନ୍ତି। ବୋଲରଙ୍କ ମାନ୍ୟତାରେ ସାହିନି ଆଫ୍ରିଦି ୪ଟି ସ୍ଥାନ ଉଠି ଜୀବନର ଶ୍ରେଷ୍ଠ ସ୍ଥାନ ଏକାଦଶରେ ପହଞ୍ଚିଥିଲା ବେଳେ ବାମହାତୀ ସ୍ପିନର ମହମ୍ମଦ ନୱାଜ ୨୯ ସ୍ଥାନ ଉଠି ୯୬ରେ ରହିଛନ୍ତି। କୋହଲି ଦ୍ବିତୀୟକୁ ଖସିଥିଲା ବେଳେ ଉପଅଧିନାୟକ ରୋହିତ ଶର୍ମା (୮୨୫ ପଏଣ୍ଟ୍) ତୃତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି। ଏମାନଙ୍କ ଛଡ଼ା ଅନ୍ୟ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ଶୀର୍ଷ ୧୦ରେ ନାହାନ୍ତି। ଭାରତୀୟ ଦ୍ରୁତ ବୋଲର ଯଶ୍ପ୍ରୀତ ବୁମ୍ରା ପୂର୍ବ ପରି ଚତୁର୍ଥ ସ୍ଥାନରେ ଥିଲା ବେଳେ ଶୀର୍ଷରେ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ୍ ବୋଲ୍ଟ, ଆଫ୍ଗାନିସ୍ତାର ମୁଜୀବ ଉର୍ ରହମାନ ଦ୍ବିତୀୟ ଓ କିୱି ପେସର ମ୍ୟାଟ୍ ହେନରି ତୃତୀୟରେ ଅଛନ୍ତି। ଅଲ୍ରାଉଣ୍ଡର୍ ତାଲିକାରେ ଭାରତୀୟ ଭାବେ କେବଳ ରବିଚନ୍ଦ୍ରନ ଅଶ୍ବିନ (ନବମ) ଶୀର୍ଷ ୧୦ରେ ରହିଛନ୍ତି। ବାଂଲାଦେଶର ସକିବ ଅଲ୍ ହାସନ, ଇଂଲଣ୍ଡର ବେନ୍ ଷ୍ଟୋକ୍ସ ଏବଂ ଆଫ୍ଗାନିସ୍ତାନର ମହମ୍ମଦ ନବି ଯଥାକ୍ରମେ ପ୍ରଥମ ୩ ସ୍ଥାନରେ ରହିଛନ୍ତି। ଦଳଗତ ମାନ୍ୟତାରେ ଇଂଲଣ୍ଡ ଶୀର୍ଷରେ ରହିଥିଲା ବେଳେ ଭାରତ ଦ୍ବିତୀୟ, ନ୍ୟୁଜିଲାଣ୍ଡ ତୃତୀୟ, ଅଷ୍ଟ୍ରେଲିଆ ଚତୁର୍ଥ ଓ ଦକ୍ଷିଣ ଆଫ୍ରିକା ପଞ୍ଚମରେ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/f5h45sf4h56fs4h56sf4h56sf456h4sf56h.jpg)