ଲାହୋର: ପାକିସ୍ତାନର ପ୍ରତିଭାବାନ ବ୍ୟାଟ୍ସମ୍ୟାନ୍ ବାବର ଆଜମଙ୍କ ନିର୍ବନ୍ଧ ଶେଷ ହୋଇଛି। ଆସନ୍ତାବର୍ଷ ସେ ବିବାହ ବନ୍ଧନରେ ଆବଦ୍ଧ ହେବେ। ପାକିସ୍ତାନ ସୁପର ଲିଗ୍ ଖେଳିବା ଲାଗି ସଂପ୍ରତି ସଙ୍ଗରୋଧରେ ଥିବା ବାବର ତାଙ୍କ ସଂପର୍କୀୟ ଭଉଣୀକୁ ବିବାହ କରିବେ। ଉଭୟ ପରିବାର ଏହି ସଂପର୍କରେ ବହୁତ ଖୁସି ଥିଲା ବେଳେ କରୋନା କଟକଣା ପରେ ଆସନ୍ତାବର୍ଷ ଉଭୟଙ୍କର ବିବାହ କରିବାକୁ ସମ୍ମତି ପ୍ରକାଶ କରିଛନ୍ତି। ବାବରଙ୍କ ପତ୍ନୀ ହେବେ ତାଙ୍କ ଦାଦାଙ୍କ ଝିଅ।
ପାକିସ୍ତାନ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି। ତେବେ ପାକ୍ କ୍ରିକେଟ୍ ଦଳର ଅଧିନାୟକ ଆଝାର ଅଲ୍ଲୀ କିଛି ଦିନ ପୂର୍ବରୁ ଏହାର ସଙ୍କେତ ଦେଇ ସାରିଥିଲେ। ପାକିସ୍ତାନ ସୁପରଲିଗ୍ ଶେଷ ହେବା ପରେ ପାକିସ୍ତାନ କ୍ରିକେଟ୍ ଦଳ ସହ ଇଂଲଣ୍ଡ ଗସ୍ତ କରି ବାବର ତିନିଟି ଲେଖାଏଁ ଦିନିକିଆ ଓ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବେ। ଏହା ପରେ ୱେଷ୍ଟଇଣ୍ଡିଜ୍ ଯାଇ ଶୃଙ୍ଖଳା ଖେଳିବେ। ଏଣୁ ବିବାହ ପାଇଁ ୨୦୨୨ରେ ହିଁ ତାଙ୍କୁ ସମୟ ମିଳିବ। ସୂଚନାଯୋଗ୍ୟ ଯେ ଗତକିଛି ବର୍ଷ ହେବ ପାକିସ୍ତାନ ବ୍ୟାଟିଂର ମେରୁଦଣ୍ଡ ପାଲଟିଥିବା ବାବର ସଂପ୍ରତି ଆଇସିସି ଦିନିକିଆ ମାନ୍ୟତାର ପ୍ରଥମ ସ୍ଥାନରେ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/babar-azam.jpg)