ବାବରଙ୍କ ବିଶ୍ବ କୀର୍ତ୍ତିମାନର ସମକକ୍ଷ ହେଲେ ଗିଲ୍‌: ପଣ୍ଟିଂଙ୍କ ସମକକ୍ଷ ହେଲେ ରୋହିତ

ଇନ୍ଦୋର: ତିନି ବର୍ଷ ଧରି ଶତକ ମରୁଡ଼ିର ଅନ୍ତ ଘଟାଇଛନ୍ତି ରୋହିତ ଶର୍ମା। ୧୧୦୧ ଦିନ ପରେ ହୋଲକର ଷ୍ଟାଡିୟମ୍‌ରେ ମଙ୍ଗଳବାର ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ୧୦୧ ରନ୍‌ର ପାଳି ଖେଳିଥିଲେ। ଶେଷଥର ପାଇଁ ୨୦୨୦ ଜାନୁଆରି ୧୯ରେ ଅଷ୍ଟ୍ରେଲିଆ ବିପକ୍ଷରେ ଏମ୍‌.ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ସେ ଶତକ ମାରିଥିଲେ। ମଙ୍ଗଳବାର ନ୍ୟୁଜିଲାଣ୍ଡ ବିପକ୍ଷରେ ମାରିଥିବା କ୍ୟା‌ରିୟରର ୩୦ତମ ଶତକ ବଳରେ ରୋହିତ ତୃତୀୟ ସର୍ବାଧିକ ଶତକ ଅର୍ଜନକାରୀଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ସମକକ୍ଷ ହୋଇଛନ୍ତି।

ଏବେ ଉଭୟ ରୋହିିତ ଓ ପଣ୍ଟିଂଙ୍କ ଉପରକୁ ଏହି ତାଲିକାରେ ସଚିନ ତେନ୍ଦୁଲକର (୪୯) ଏବଂ ବିରାଟ କୋହଲି (୪୬) ରହିଛନ୍ତି। ସବୁଠୁ ବଡ଼ କଥା ହେଲା ମୋଟ ୩୦ ମଧ୍ୟରୁ କେବଳ ୨୮ ଶତକ ରୋହିତ ଓପ୍‌ନର ଭାବେ ମାରିଛନ୍ତି। ଏକ୍ଷେତ୍ରରେ କେବଳ ତେନ୍ଦୁଲକର (୪୫) ସବୁଠୁ ଆଗରେ ରହିଥିଲା ବେଳେ ଶ୍ରୀଲଙ୍କାର ସତନ ଜୟସୂରିଆ ମଧ୍ୟ ୨୮ ଶତକ ଓପ୍‌ନର ଭାବେ ମାରିଥିଲେ। ସେହିପରି ୮୩ ବଲ୍‌ରୁ ଶତକ ମାରିବା ପରେ ଏହା ତାଙ୍କର ଦିନିକିଆରେ ଦ୍ବିତୀୟ ଦ୍ରୁତତମ ଶତକ ହୋଇଛି। ୨୦୧୭ରେ ରୋହିତ ତାଙ୍କର ଦ୍ରୁତତମ ଟ୍ବେଣ୍ଟି-୨୦ ଶତକ ଏହି ପଡ଼ିଆରେ ମାରିଥିଲେ। ଶ୍ରୀଲଙ୍କା ବିପକ୍ଷରେ ଖେଳିଥିବା ଉକ୍ତ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ସେ ୩୫ ବଲ୍‌ରୁ ଶତକ ଅର୍ଜନ କରିଥିଲେ।

ରୋହିତ ଓ ଶୁବମନ ଗିଲ୍‌ଙ୍କ ୨୧୨ ରନ୍‌ର ପ୍ରଥମ ୱିକେଟ୍‌ ଭାଗୀଦାରି ଭାରତ ପାଇଁ ଦିନିକିଆରେ ପଞ୍ଚମ ସର୍ବାଧିକ ରହିଛି। ତେବେ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ଦିନିକିଆ ଆନ୍ତର୍ଜାତିକରେ ଏହା ଭାରତର ସର୍ବୋଚ୍ଚ ପ୍ରଥମ ୱିକେଟ୍‌ ଭାଗୀଦାରି। ଏହା ପୂର୍ବରୁ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଏହି କୀର୍ତ୍ତି ଗୌତମ ଗମ୍ଭୀର ଓ ବୀରେନ୍ଦ୍ର ସେହବାଗ୍‌ (ଅବିଭାଜିତ ୨୦୧ ରନ୍, ୨୦୦୯, ହାମିଲଟନ୍‌)ଙ୍କ ନାମରେ ଥିଲା।

ଇନ୍ଦୋରରେ ମଙ୍ଗଳବାର ଉଭୟ ରୋହିତ ଓ ଗିଲ୍‌ ଶତକ ଜମାଇଥିଲେ। ଉଭୟ ପ୍ରାରମ୍ଭିକ ବ୍ୟାଟର ୧୦୦ ରନ୍‌ ଲେଖାଏଁ ସଂଗ୍ରହ କରିବାରେ ଏହା ଦଶମ ଘଟଣା ଥିଲା। ଶେଷଥର ପାଇଁ ୨୦୧୯ରେ ବିଶାଖାପାଟଣାରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ରୋହିତ ଓ କେଏଲ୍‌ ରାହୁଲ ୧୦୦ ରନ୍‌ ଲେଖାଏଁ ସ୍କୋର କରିଥିଲେ।
ଅନ୍ୟପକ୍ଷରେ କୌଣସି ତିନି ମ୍ୟାଚ୍‌ ବିଶିଷ୍ଟ ଦ୍ବିପାକ୍ଷିକ ଦିନିକିଆ ଆନ୍ତର୍ଜାତିକ ଶୃଙ୍ଖଳାରେ ସର୍ବାଧିକ ରନ୍‌ କରିବାର ବିଶ୍ବ କୀର୍ତ୍ତିମାନ ରଖିଥିବା ପାକିସ୍ତାନ ଅଧିନାୟକ ବାବର ଆଜମ୍‌ଙ୍କ ସମକକ୍ଷ ହୋଇଯାଇଛନ୍ତି ଗିଲ୍‌। ଚଳିତ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଶୃଙ୍ଖଳାରେ ଗିଲ୍‌ ମୋଟ ୩୬୦ ରନ୍‌ କରିଥିଲା ବେଳେ ବାବର ଆଜମ୍‌ ୨୦୧୬ରେ ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ଶୃଙ୍ଖଳାରେ ୩୬୦ ରନ୍‌ କରିଥିଲେ। ବାବର ସେହି ଶୃଙ୍ଖଳାର ତିନିଟିଯାକ ମ୍ୟାଚ୍‌ରେ କ୍ରମାଗତ ଶତକ ଜମାଇଥିଲା ବେଳେ ଗିଲ୍‌ ଗୋଟିଏ ଦ୍ବିଶତକ, ଗୋଟିଏ ଶତକ ଏବଂ ଅପରାଜିତ ୪୦ ରନ୍‌ କରିଛନ୍ତି। ୩ ମ୍ୟାଚ୍‌ ବିଶିଷ୍ଟ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଶୃଙ୍ଖଳାରେ ଶୁବମନଙ୍କ ଏହା ଦ୍ବିତୀୟ ଏବଂ କ୍ୟାରିୟରର ଚତୁର୍ଥ ଶତକ ଥିଲା। ଗିଲ୍‌ ମଧ୍ୟ ଭାରତୀୟ ଓପ୍‌ନରଙ୍କ ମଧ୍ୟରେ ଚତୁର୍ଥ ଶତକ (କମ୍ ପାଳି ଭିତ୍ତିରେ) ଅର୍ଜନ କରିବାରେ ଶିଖର ଧାୱନଙ୍କୁ ପଛରେ ପକାଇ ଦେଇଛନ୍ତି। ଶିଖର ୪ ଶତକ ପାଇଁ ୨୪ ପାଳି ଖେଳିଥିଲା ବେଳେ ଶୁବମନ୍‌ ଏହାକୁ ୨୧ ପାଳିରେ ପୂରଣ କରିଥିଲେ।

ସମ୍ବନ୍ଧିତ ଖବର