ଗାବା ଟେଷ୍ଟ୍‌: ଶ୍ରୀଲଙ୍କା ୧୪୪: ଅଷ୍ଟ୍ରେଲିଆ ୭୨/୨

ବ୍ରିସ୍‌ବନ୍‌: ଭାରତ ବିପକ୍ଷ ବିଫଳତା ପରେ ଅଷ୍ଟ୍ରେଲିଆ ଦଳ ଗୁରୁବାରଠାରୁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍ ଶୃଙ୍ଖଳାକୁ ଚମତ୍କାର ଢଙ୍ଗରେ ଆରମ୍ଭ କରିଛି। ଘରୋଇ ଦଳର ଦ୍ରୁତ ବୋଲରମାନେ ଶ୍ରୀଲଙ୍କାର ପ୍ରଥମ ପାଳିକୁ ୧୪୪ ରନ୍‌ରେ ଶେଷ କରି ଦେଇଛନ୍ତି। ଜବାବରେ ପ୍ରଥମ ଦିନ ଖେଳ ଶେଷ ବେଳକୁ ଅଷ୍ଟ୍ରେଲିଆ ୨ ୱିକେଟ୍‌ ବିନିମୟରେ ୭୨ ରନ୍ କରିଛି। ପ୍ରଥମ ଦିନର ଶେଷ ୩ ଓଭରକୁ ଶ୍ରୀଲଙ୍କା ମେଡେନ୍‌ ଓଭର ସହ ଶେଷ କରିଥିଲେ ମଧ୍ୟ ଅବଶିଷ୍ଟ ୭୯ ଓଭରରେ ଅଷ୍ଟ୍ରେଲିଆ ପ୍ରଧାନ୍ୟ ବିସ୍ତାର କରିଥିଲା। ବ୍ରିସ୍‌ବନ୍‌ର ୱଲୁନଗାବାରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲେ ମଧ୍ୟ ବ୍ୟାଟ୍‌ସମ୍ୟାମାନେ ନିରାଶ କରିଥିଲେ। ୬୬ ରନ୍ ଭିତରେ ଅଧା ଖେଳାଳିଙ୍କୁ ହରାଇ ଦେବା ପରେ ପ୍ରତ୍ୟାବର୍ତନ କରିବାର ବାଟ ପାଇନଥିଲା। ତଥାପି ୱିକେଟ୍‌ରକ୍ଷକ ନିରୋସାନ ଡିକୱାଲା (୬୪, ୭୮ ବଲ୍‌, ୬ ଚୌକା, ୧ ଛକା)ଙ୍କ ଆକର୍ଷଣୀୟ ଅର୍ଧଶତକ ଭ୍ରମଣକାରୀ ଦଳକୁ ୧୦୦ ପାରି କରିବାରେ ସହାୟକ ହୋଇଥିଲା। ଫଳରେ ଶେଷକୁ ଦଳ ୧୪୪ ରନ୍‌ କରିପାରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଅଭିଜ୍ଞ ପ୍ୟାଟ୍ କମିନ୍ସ, ମିଚେଲ୍ ଷ୍ଟାର୍କ ମିଳିତ ଭାବେ ୬ ୱିକେଟ୍‌ ଏବଂ ପ୍ରଥମ ପଦାର୍ପଣ କରିଥିବା ଝାଏ ରିଚାର୍ଡସନ୍‌ ଏକା ୩ ୱିକେଟ୍ ନେଇଥିଲେ। ଅଫସ୍ପିନର ନାଥନ୍ ଲାୟନଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା। ଜବାବରେ ପାଳି ଆରମ୍ଭ କରିବାର ସୁଯୋଗ ପାଇଥିବା ଜୋ ବର୍ନସ (୧୫)ଙ୍କୁ ସୁରଙ୍ଗା ଲକ୍‌ମଲ ସଅଳ ଆଉଟ୍ କରି ଦେଇଥିଲେ। ଉସ୍‌ମାନ ଖୱାଜା (୧୧) ବି କଡ଼ା ସଂଘର୍ଷ କରି ବିଫଳ ହୋଇଥିଲେ। ଦିଲ୍‌ରୁୱାନ ପେରେରା ତାଙ୍କୁ ବୋଲ୍‌ଡ କରି ଦେଇଥିଲେ। ପ୍ରଥମ ଦିନ ଷ୍ଟମ୍ପ୍ସ ଅପସାରଣ ବେଳକୁ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ମାର୍କସ ହାରିସ (୪୦*, ୮୨ ବଲ୍‌, ୫ ଚୌକା) ଏବଂ ନାଇଟ୍‌ ୱାଚ୍‌ମ୍ୟାନ୍‌ ନାଥନ୍ ଲାୟନ (୦*) ବ୍ୟାଟିଂ କରୁଥିଲେ।

ସଂକ୍ଷିପ୍ତ ସ୍କୋର: ଶ୍ରୀଲଙ୍କା ପ୍ରଥମ ପାଳି ୫୬.୪ ଓଭରରେ ୧୪୪ (ନିରୋସନ ଡିକୱାଲା-୬୪, ଦିମୁଥ କରୁଣାରତ୍ନେ-୨୪, ପ୍ୟାଟ୍ କମିନ୍ସ-୪/୩୯, ଝାଏ ରିଚାର୍ଡସନ-୩/୨୬, ମିଚେଲ୍‌ ଷ୍ଟାର୍କ-୨/୪୧, ନାଥନ୍ ଲାୟନ୍‌-୧/୩୮)। ଅଷ୍ଟ୍ରେଲିଆ ପ୍ରଥମ ପାଳି: ୨୫ ଓଭରରେ ୭୨/୨ (ମାର୍କସ ହାରିସ୍‌-୪୦*, ଦିଲ୍‌ରୁୱାନ ପେରେରା-୧/୪, ସୁରଙ୍ଗା ଲକମଲ-୧/୨୭)।

ସମ୍ବନ୍ଧିତ ଖବର