କୋହଲିଙ୍କ ଆଉ ଏକ ରେକର୍ଡ ଭାଙ୍ଗିଲେ ବାବର

ଗଲ୍‌ : ଏଠାରେ ଚାଲିଥବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ୍‌ର ଦ୍ବିତୀୟ ଦିବସରେ ପାକିସ୍ତାନ ଅଧିନାୟକ ବାବର ଆଜମ୍‌ ଭାରତର ପୂର୍ବ ଅଧିନାୟକ ବିରାଟ କୋହଲିଙ୍କ ଆଉ ଏକ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଏହି ଟେଷ୍ଟ୍‌ର ପ୍ରଥମ ପାଳିରେ ଶତକ ଜମାଇଥିବା ବାବର ସମସ୍ତ ଆନ୍ତର୍ଜାତିକ କ୍ରିକେଟ୍‌ ଫର୍ମାଟ୍‌ରେ ୧୦,୦୦୦ ରନ୍‌ ପୂରଣ କରିଥିଲେ। ଫଳରେ ପାଳି ଭିତ୍ତରେ ଏହି ରନ୍‌ କରିବାରେ ସେ କୋହଲିଙ୍କୁ ପଛରେ ପକାଇ ଦ୍ରୁତତମ ଏସୀୟ ବ୍ୟାଟର୍‌ ହେବାର କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ। ଆନ୍ତର୍ଜାତିକ କ୍ରିକେଟ୍‌ରେ ୧୦,୦୦୦ ରନ୍‌ ପୂଣ କରିବା ପାଇଁ ବାବର ୨୨୮ ପାଳି ଖେଳିଥିଲା ବେଳେ କୋହଲି ଏହି କୀର୍ତ୍ତିମାନ ପାଇଁ ୨୩୨ ପାଳି ଖେଳିଥି‌ଲେ। ବାବର ମଧ୍ୟ ପାଳି ଭିତ୍ତିରେ ଦ୍ରୁତତମ ୧୦,୦୦୦ ରନ୍‌ କରିବାରେ ପଞ୍ଚମ ବ୍ୟାଟର୍‌ ହୋଇଛନ୍ତି। ତାଙ୍କ ଉପରକୁ ୱେଷ୍ଟଇଣ୍ଡିଜ୍‌ର ଭିଭିଆନ୍‌ ରିଚାର୍ଡସ (୨୦୬), ଦକ୍ଷିଣ ଆଫ୍ରିକାର ହାସିମ ଆମ୍‌ଲା (୨୧୭), ୱେଷ୍ଟଇଣ୍ଡିଜ୍‌ର ବ୍ରାଏନ୍‌ ଲାରା (୨୨୦) ଏବଂ ଇଂଲଣ୍ଡର ଜୋ ରୁଟ୍‌ (୨୨୨) ରହିଛନ୍ତି।

ଏହା ବ୍ୟତୀତ ବାବର ମଧ୍ୟ ୧୦,୦୦୦ ଆନ୍ତର୍ଜାତିକ ରନ୍‌ କରିବାରେ ଦ୍ରୁତତମ ପାକିସ୍ତାନୀ ବ୍ୟାଟର୍‌ ମଧ୍ୟ ହୋଇଛନ୍ତି। ଏକ୍ଷେତ୍ରରେ ସେ କିଂବଦନ୍ତି ଜ‌ାଭେଦ ମିଆଦାଦ୍‌ (୨୪୮ ପାଳି)ଙ୍କୁ ପଛରେ ପକାଇ ଦେଇଛନ୍ତି। ଅନ୍ୟ ପାକିସ୍ତାନୀ ବ୍ୟାଟର୍‌ ଭାବେ ସଇଦ୍‌ ଅନ୍‌ୱର (୨୫୫), ମହମ୍ମଦ ୟୁସୁଫ୍‌ (୨୬୧) ଏବଂ ଇଞ୍ଜାମମ୍‌ ଉଲ୍‌ ହକ୍‌ (୨୮୧) ପାଳି ଭିତ୍ତିରେ ବାବରଙ୍କଠୁ ବହୁ ପଛରେ ରହିଛନ୍ତି। ମୋଟ ଉପରେ ୧୧ ଜଣ ପାକିସ୍ତାନୀ ବ୍ୟାଟର୍‌ ଆନ୍ତର୍ଜାତିକ କ୍ରିକେଟ୍‌ରେ ୧୦,୦୦୦ ରନ୍‌ର ମାଇଲଖୁଣ୍ଟ ଛୁଇଁଥିଲେ।

ସମ୍ବନ୍ଧିତ ଖବର