ରୋହିତ-ଧାୱନ୍ଙ୍କୁ ଟପିଲେ ବାବର-ରିଜ୍ୱାନ: ଟି-୨୦ ଆନ୍ତର୍ଜାତିକରେ ସର୍ବାଧିକ ଶତକୀୟ ଭାଗୀଦାରି
ରିଜ୍ୱାନ୍ଙ୍କ ବ୍ୟକ୍ତିଗତ ମାଇଲଖୁଣ୍ଟ
ଆବୁଧାବି: ଏଠାରେ ମଙ୍ଗଳବାର ନାମିବ୍ୟା ବିପକ୍ଷ ୪୫ ରନ୍ର ବିଜୟ ସହିତ ପାକିସ୍ତାନ ପ୍ରଥମ ଦଳ ଭାବେ ଚଳିତ ଟି-୨୦ ବିଶ୍ବକପ୍ରେ ସେମିଫାଇନାଲ୍ ସ୍ଥାନ ପକ୍କା କରିଥିଲା। ଏହି ଦଳ ମଧ୍ୟ ଲଗାତାର ୪ ବିଜୟ ହାସଲ କରି ଗ୍ରୁପ୍-ବି’ରେ ଅପରାଜେୟ ରହି ପଏଣ୍ଟ୍ ତାଲିକାର ଶୀର୍ଷ ସ୍ଥାନ ସୁଦୃଢ଼ କରିଛି। ପାକିସ୍ତାନର ଦୁଇ ଓପ୍ନର ଅଧିନାୟକ ବାବର ଆଜମ୍ ଓ ରିଜ୍ୱାନ ଅହମ୍ମଦ ଏହି ମ୍ୟାଚ୍ରେ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଆଇସିସି ଇଭେଣ୍ଟରେ ଆଉ ଏକ ଆକର୍ଷଣୀୟ ପ୍ରଦର୍ଶନ ଜରିଆରେ ଦୁହେଁ ପ୍ରଥମ ୱିକେଟ୍ରେ ୧୧୩ ରନ୍ ଯୋଡ଼ିଥିଲେ। ଉଭୟ ବାବର ଓ ରିଜ୍ୱାନ୍ ଯୋଡ଼ି ପଞ୍ଚମ ଥର ପାଇଁ ଶତକୀୟ ଭାଗୀଦାରି ଗଢ଼ିଥିଲେ।
ଆଉ ଏକ୍ଷେତ୍ରରେ ଦୁଇ ପାକିସ୍ତାନୀ ଓପ୍ନର ଏକ ମାଇଲଖୁଣ୍ଟ ଛୁଇଁଥିଲେ। ବାବର ଓ ରିଜ୍ୱାନ୍ ଯୋଡ଼ି ଟି-୨୦ ଆନ୍ତର୍ଜାତିକରେ ପ୍ରଥମ ୱିକେଟ୍ରେ ସର୍ବାଧିକ ଶତକୀୟ ଭାଗୀଦାରୀ କରିବାରେ ଭାରତୀୟ ଓପ୍ନର ରୋହିତ ଶର୍ମା ଏବଂ ଶିଖର ଧାୱନ୍ଙ୍କୁ ଟପି ଯାଇଛନ୍ତି। ରୋହିତ-ଧାୱନ୍ଙ୍କ ନାମରେ ୪ ଶତକୀୟ ଭାଗୀଦାରି ଥିଲା। ପୁଣି ବାବର-ରିଜ୍ୱାନ୍ ଯୋଡ଼ି ମଧ୍ୟ ନ୍ୟୁଜିଲାଣ୍ଡ୍ ଯୋଡ଼ି ମାର୍ଟିନ୍ ଗପ୍ଟିଲ ଓ କେନ୍ ୱିଲିୟମ୍ସନ୍ଙ୍କ କୀର୍ତ୍ତିମାନକୁ ପଛରେ ପକାଇ ଦେଇଛନ୍ତି। ଆଶ୍ଚର୍ଯ୍ୟର କଥା ହେଲା ବାବର-ରିଜ୍ୱାନ୍ଙ୍କ ସମସ୍ତ ୫ ଶତକୀୟ ଭାଗୀଦାରି ହିଁ ଚଳିତ ବର୍ଷ (୨୦୨୧) ଆସିଛି। ପ୍ରଥମ ୱିକେଟ୍ରେ ଶତକୀୟ ଭାଗୀଦାରିରେ ମାଇଲଖୁଣ୍ଟ ଛୁଇଁବା ବ୍ୟତୀତ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ବାବର-ରିଜ୍ୱାନ ସମସ୍ତ ପ୍ରକାର ଟି-୨୦ କ୍ରିକେଟ୍ରେ ସର୍ବାଧିକ ରନ୍ ଭାଗୀଦାରି କରିବାର ସଫଳତା ହାସଲ କରିଛନ୍ତି। ଚଳିତ ୨୦୨୧ରେ ବାବର-ରିଜ୍ୱାନ ୯୬୭ ରନ୍ ଭାଗୀଦାରି ସଂଗ୍ରହ କରିଛନ୍ତି। ଏକ୍ଷେତ୍ରରେ ସେମାନେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଯୋଡ଼ି ଏବି ଡିଭିଲିୟର୍ସ ଓ ବିରାଟ କୋହଲି (୯୧୬ ରନ୍)ଙ୍କୁ ଅତିକ୍ରମ କରିଯାଇଛନ୍ତି। କେବଳ ସେତିକି ନୁହେଁ ବାବର-ରିଜ୍ୱାନ୍ ମଧ୍ୟ ଗୋଟିଏ ବର୍ଷରେ ସର୍ବାଧିକ ୫୦+ ସ୍କୋର୍ ଭାଗୀଦାରୀରେ ସଂପୃକ୍ତ ରହିଛନ୍ତି। ନାମିବ୍ୟା ବିପକ୍ଷ ମ୍ୟାଚ୍ ଅବସରରେ ୨୦୨୧ରେ ସେମାନେ ସପ୍ତମ ଥର ୫୦+ ସ୍କୋର୍ ଭାଗୀଦାରି କରିଥିଲେ। ଯାହାକି ନ୍ୟୁଜିଲାଣ୍ଡ ଯୋଡ଼ି ଗପ୍ଟିଲ-ୱିଲିୟମ୍ସନ୍ଙ୍କଠାରୁ ଗୋଟିଏ ଅଧିକ। ଗପ୍ଟିଲ-ୱିଲିୟମ୍ସନ୍ ୨୦୧୬ ବର୍ଷରେ ୬ ଥର ୫୦+ ସ୍କୋର୍ ଭାଗୀଦାରି ଗଢ଼ିଥିଲେ।
ରିଜ୍ୱାନ୍ଙ୍କ ବ୍ୟକ୍ତିଗତ ମାଇଲଖୁଣ୍ଟ
ନାମିବ୍ୟା ବିପକ୍ଷ ମଙ୍ଗଳବାର ମ୍ୟାଚ୍ ପରେ ରିଜ୍ୱାନ ବ୍ୟକ୍ତିଗତ ଭାବେ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି। ନାମିବ୍ୟା ବିପକ୍ଷରେ ଅପରାଜିତ ୭୯ ରନ୍ କରିଥିବା ରିଜ୍ୱାନ ପୁରୁଷ ଟି-୨୦ ଆନ୍ତର୍ଜାତିକରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ସ୍କୋର୍ର ହେବାର କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ଚଳିତ ବର୍ଷ ସେ ବ୍ୟକ୍ତିଗତ ଭାବେ ୧୬୬୧ ରନ୍ କରିସାରିଲେଣି। ତାଙ୍କ ପାଖରେ ଚଳିତ ବିଶ୍ବକପ୍ରେ ଅତିକମ୍ରେ ଆଉ ଦୁଇଟି ମ୍ୟାଚ୍ ବାକିଥିବାରୁ ସେ ୱେଷ୍ଟଇଣ୍ଡିଜ୍ର କ୍ରିସ୍ ଗେଲ୍ (୧୬୬୫ ରନ୍)ଙ୍କୁ ଟପିଯିବାର ସମ୍ଭାବନା ରହିଛି। ଆଉ ୪ ରନ୍ କରିପାରିଲେ ରିଜ୍ୱାନ୍ ଗୋଟିଏ ବର୍ଷରେ ସର୍ବାଧିକ ସ୍କୋର୍ କରିବାରେ ଗେଲ୍ଙ୍କୁ ପଛରେ ପକାଇଦେବେ। ଏକ୍ଷେତ୍ରରେ ରିଜ୍ୱାନ ମଧ୍ୟ ନିଜ ଦଳର ଅଧିନାୟକ ବାବର ଆଜମ୍ (୧୬୦୭ ରନ୍, ୨୦୧୯) ଏବଂ ଭାରତୀୟ ଅଧିନାୟକ ବିରାଟ କୋହଲି (୧୬୧୪ ରନ୍, ୨୦୧୬)ଙ୍କୁ ଅତିକ୍ରମ କରିଯାଇଛନ୍ତି।