ବାବରଙ୍କ ଲଢ଼ୁଆ ଶତକ ରଖିଲା ପାକିସ୍ତାନ ସମ୍ମାନ

ଗଲ୍‌ : ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଅଧିନାୟକ ବାବର ଆଜମଙ୍କ ଲଢ଼ୁଆ ଶତକ ପାକିସ୍ତାନକୁ ବିପର୍ଯ୍ୟୟରୁ ରକ୍ଷା କରିଛି। ପାକିସ୍ତାନ ଗୋଟିଏ ସମୟରେ ୧୧୨ ରନ୍‌ରେ ୮ ୱିକେଟ୍ ହରାଇଥିଲେ ମଧ୍ୟ ବାବରଙ୍କ ଚମତ୍କାର ତଥା ଦାୟିତ୍ବପୂର୍ଣ୍ଣ ବ୍ୟାଟିଂ କାରଣରୁ ଭ୍ରମଣକାରୀ ଦଳ ପ୍ରଥମ ପାଳିରେ ୨୧୮ ରନ୍‌ କରିନେଇଛି। ଏଥି ସହ ମାତ୍ର ୪ ରନ୍‌ ପଛରେ ରହିଥିଲା। ଅଧିନାୟକ ଆଜମ ଶେଷ ଖେଳାଳି ଭାବେ ଆଉଟ୍ ହୋଇଥିଲେ। ନବମ ୱିକେଟ୍‌ର ପତନ ବେଳକୁ ମାତ୍ର ୫୫ ରନ୍‌ କରିଥିବା ବାବର ଏହାପରେ ଏକାକୀ ୧୩୩ ବଲ୍‌ ଖେଳି ୬୪ ରନ୍‌ ଯୋଡିଥିଲେ। ୧୧ ନମ୍ବର ବ୍ୟାଟର୍‌ ନସିମ୍ ସାହା ୫୨ ବଲ୍‌ ଖେଳି ୫* ରନ୍‌ କରିଥିଲେ। ଆଜମ ୨୪୪ ବଲ୍‌ରୁ ୧୧୯ ରନ୍‌ କରି ନିଜ ସପ୍ତମ ଟେଷ୍ଟ୍‌ ଶତକ ହାସଲ କରିଥିଲେ।

ପାକିସ୍ତାନ ପାଳିର ଦ୍ବିତୀୟ ସର୍ବାଧିକ ୧୯ ରନ୍ କରିଥିଲେ ମହମ୍ମଦ ରିଜୱାନ। ଶ୍ରୀଲଙ୍କା ପକ୍ଷରୁ ବାମହାତୀ ସ୍ପିନର୍‌ ପ୍ରବଧ ଜୟସୁରିଆ ନିଜ ଟେଷ୍ଟ୍ ଜୀବନର ପ୍ରଥମ ୩ ପାଳିରେ ୫ ୱିକେଟ୍ ହାସଲ କରି ବିରଳ ସଫଳତା ମଧ୍ୟ ପାଇଥିଲେ। ପୂର୍ବରୁ ଶ୍ରୀଲଙ୍କା ମଧ୍ୟ ସମାନ ଢଙ୍ଗରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ଶେଷ ଦୁଇ ଭାଗୀଦାରିରେ ୮୯ ରନ୍‌ ଯୋଡ଼ି ପ୍ରଥମ ପାଳିରେ ୨୨୨ ରନ୍‌ କରିପାରିଥିଲା। ରବିବାରର ଦ୍ବିତୀୟ ଦିନ ଖେଳ ଶେଷ ବେଳକୁ ଶ୍ରୀଲଙ୍କା ୧ ୱିକେଟ୍‌ ବିନିମୟରେ ୩୬ ରନ୍‌ ସଂଗ୍ରହ କରି ମୋଟ ଉପରେ ୪୦ ରନ୍‌ରେ ଆଗୁଆ ରହିଛି।
ସଂକ୍ଷିପ୍ତ ସ୍କୋର: ଶ୍ରୀଲଙ୍କା ପ୍ରଥମ ପାଳି: ୨୨୨ (ଦୀନେଶ ଚଣ୍ଡିମାଳ-୭୬, ସାହିନ୍ ସାହା ଆଫ୍ରିଦି-୪/୫୮)। ପାକିସ୍ତାନ ପ୍ରଥମ ପାଳି: ୯୦.୫ ଓଭରରେ ୨୧୮ (ବାବର ଆଜମ-୧୧୯, ପ୍ରଭାତ ଜୟସୁରିଆ-୫/୮୨, ରମେଶ ମେଣ୍ଡିସ୍-୨/୧୮, ମହେଶ ଥିକ୍‌ସାନା-୨/୬୮, କାସୁନ ରଜିଥା-୧/୪୨)। ଶ୍ରୀଲଙ୍କା ଦ୍ବିତୀୟ ପାଳି: ୧୧.୫ ଓଭରରେ ୩୬/୧ (ଓସା‌ଦା ଫର୍ଣ୍ଣାଣ୍ଡୋ-୧୭*, କାସୁନ ରଜିଥା-୩*, ମହମ୍ମଦ ନୱାଜ-୧/୧୨)।

ସମ୍ବନ୍ଧିତ ଖବର