ଲଣ୍ଡନ: ସ୍ପେନ୍‌ ଟେନିସ୍‌ ତାରକା କାର୍ଲୋସ ଅଲ୍‌କାରାଜ ଲଗାତାର ଦ୍ବିତୀୟ ଥର ଲାଗି ୱିମ୍ବଲଡନ୍‌ ମୁକୁଟ କରାୟତ୍ତ କରିଛନ୍ତି। ରବିବାର ଫାଇନାଲ୍‌ରେ ଏହି ତୃତୀୟ ମାନ୍ୟତାପ୍ରାପ୍ତ ଯୁବ ତାରକା ୬-୨, ୬-୪, ୭-୬ ସେଟ୍‌ରେ ୨୪ ଗ୍ରାଣ୍ଡସ୍ଲାମ୍‌ ବିଜେତା ସର୍ବିୟ‌ାର ନୋଭାକ ଜୋକୋଭିକ୍‌କୁ ମାତ୍‌ ଦେଇଛନ୍ତି। ଏହି ବିଜୟ ସହ ଫ୍ରେଞ୍ଚ୍‌ ଓପନ୍‌ ବିଜେତା ଅଲ୍‌କାରାଜ ନିଜ ଗ୍ରାଣ୍ଡସ୍ଲାମ୍‌ ସଂଖ୍ୟାକୁ ୪ରେ ପହଞ୍ଚାଇଛନ୍ତି। ଗତ ଥର ଭଳି ଏଥର ଫାଇନାଲ୍‌ରେ ହାରିଥିବା ବିଶ୍ବର ୨ ନମ୍ବର ଜୋକୋଭିକ୍‌ଙ୍କ ୨୫ ଗ୍ରାଣ୍ଡସ୍ଲାମ୍ ସ୍ବପ୍ନ ପୁଣି ଥରେ ଘୁଞ୍ଚିଛି।

Advertisment

ଅଣମାନ୍ୟତାପ୍ରାପ୍ତ ଯୋଡ଼ି ବ୍ରିଟେନ୍‌ର ହେନରି ପାଟେନ ଓ ଫିନ୍‌ଲାଣ୍ଡର ହାରି ହେଲିଓଭାରା ୱିମ୍ବଲଡନ୍‌ ଟେନିସ୍‌ ପ୍ରତିଯୋଗିତାର ପୁରୁଷ ଯୁଗଳ ଟ୍ରଫି କରାୟତ୍ତ କରିଛନ୍ତି। କଡ଼ା ସଂଘର୍ଷପୂର୍ଣ୍ଣ ଫାଇନାଲ୍‌ରେ ଏହି ବ୍ରିଟେନ୍‌-ଫିନ୍‌ଲାଣ୍ଡ ଯୋଡ଼ି ୬-୭, ୭-୬, ୭-୬ ସେଟ୍‌ରେ ଅଷ୍ଟ୍ରେଲିଆର ମ୍ୟାକ୍ସ ପୁର୍ସେଲ ଓ ଜୋର୍ଡାନ ଥମ୍ପସନ୍‌ଙ୍କୁ ହରାଇଥିଲେ। ପାଟେନ ଓ ହେଲିଓଭାରା ମାତ୍ର ୩ ମାସ ହେବ ଏକାଠି ଖେଳୁଛନ୍ତି। ହେଲେ ସେମିଫାଇନାଲ୍‌ରେ ଏହି ଯୋଡ଼ି ସିଡେଡ୍‌ ଖେଳାଳିଙ୍କୁ ପରାସ୍ତ କରି ଫାଇନାଲ୍‌ରେ ଅଷ୍ଟ୍ରେଲୀୟ ଯୋଡ଼ିଙ୍କୁ ଭେଟିଥିଲେ। ଅଷ୍ଟ୍ରେଲୀୟ ଯୋଡ଼ି ସେମିଫାଇନାଲ୍‌ରେ ଶୀର୍ଷ ମାନ୍ୟତା ଯୋଡ଼ି ମାର୍ସିଲ ଗ୍ରାନୋଲରର୍ସ ଓ ହୋରାସିଓ ଜେବାଲୋସଙ୍କୁ ମାତ୍‌ ଦେଇଥିଲେ।

ଆମେରିକାର ଟେଲର ଟାଉନସେଣ୍ଡ ପ୍ରଥମ ଗ୍ରାଣ୍ଡ ସ୍ଲାମ୍‌ ଟ୍ରଫି ଜିତିବାର ଗୌରବ ପାଇଛନ୍ତି। ସେ ଓ ତାଙ୍କ ଚେକ୍‌ଗଣରାଜ୍ୟ ସାଥୀ କାଟେରିନା ସିନିଆକୋଭା ୱିମ୍ବଲଡନ୍‌ ‌ଟେନିସ୍‌ ପ୍ରତିଯୋଗିତାର ମହିଳା ଯୁଗଳ ଟ୍ରଫି କରାୟତ୍ତ କରିଛନ୍ତି। ଫାଇନାଲ୍‌ରେ ଏହି ଯୋଡ଼ି ୭-୬, ୭-୬ ସେଟ୍‌ରେ କାନାଡ଼ାର ଗାବ୍ରିଏଲା ଡାବ୍ରୋସ୍କି ଓ ନ୍ୟୁଜିଲାଣ୍ଡର ଏରିନ୍‌ ରୁଟ୍‌ଲିଫ୍‌ଙ୍କୁ ପରାସ୍ତ କରିଥିଲେ। ଟାଉନସେଣ୍ଡ ୨୦୨୨ ୟୁଏସ୍‌ ଓପନ୍‌ ଏବଂ ଗତ ବର୍ଷ ଫ୍ରେଞ୍ଚ ଓପନ୍‌ ଯୁଗଳ ଫାଇନାଲ୍‌ରେ ହାରିଯାଇଥିଲେ। କିନ୍ତୁ ନିଜର ତୃତୀୟ ଫାଇନାଲ୍‌ ତାଙ୍କ ପାଇଁ ଭାଗ୍ୟଶାଳୀ ହୋଇଛି। ୯ ଯୁଗଳ ଗ୍ରାଣ୍ଡ ସ୍ଲାମ୍‌ ବି‌ଜୟିନୀ ସିନିଆକୋଭାଙ୍କୁ ସାଥୀ କରି ଟ୍ରଫି ଜିତିବାରେ ସକ୍ଷମ ହୋଇଛନ୍ତି।