ନୂଆଦିଲ୍ଲୀ: ଜଣକ ପରେ ଜଣକୁ ଛାଡ଼ପତ୍ର ନଦେଇ ସମସ୍ତଙ୍କୁ ସାଙ୍ଗରେ ରଖିପାରିବେ ଶୋଏବ। ତୃତୀୟ ବିବାହକୁ ନେଇ ଏଭଳି କହିଲେ ବାଂଲାଦେଶୀ ଲେଖିକା ତସଲିମା ନସରିନ୍। ପାକିସ୍ତାନୀ ଷ୍ଟାର କ୍ରିକେଟର ଶୋଏବ ମଲିକ ପୁଣି ବିବାହ କରିଛନ୍ତି। ଶୋଏବ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ତାଙ୍କ ଜୀବନସାଥୀ ଭାବେ ବାଛିଛନ୍ତି। ଶୋଏବଙ୍କ ଏହା ତୃତୀୟ ବିବାହ ହୋଇଥିବା ବେଳେ ବିବାହ ଖବର ସହିତ ସେ ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜାଙ୍କଠାରୁ ଅଲଗା ହେବାର ଖବରକୁ ନିଶ୍ଚିତ କରିଛନ୍ତି। ସନାଙ୍କ ସହ ବିବାହ ବିଷୟରେ ସୂଚନା ଦେଇ ଶୋଏବ ନିଜେ ଅଭିନେତ୍ରୀଙ୍କ ସହ ସୋସିଆଲ ମିଡିଆରେ ଫଟୋ ସେୟାର କରିଥିଲେ। ଏହା ପରେ ନିଶ୍ଚିତ ହୋଇଯାଇଥିଲା ଯେ ଶୋଏବ ତାଙ୍କର ଦ୍ୱିତୀୟ ପତ୍ନୀ ସାନିଆ ମିର୍ଜାଙ୍କୁ ଛାଡପତ୍ର ଦେଇଛନ୍ତି।
ତାଙ୍କର ତୃତୀୟ ବିବାହ ଉପରେ ପ୍ରତିକ୍ରିୟା ଦେଇ ତସଲିମା କହିଛନ୍ତି ଯେ, "ମୁଁ ଭାବୁଥିଲି ସେମାନେ ବହୁତ ଖୁସିରେ ଅଛନ୍ତି। ହେଲେ ମୁଁ ଭୁଲ୍ ଭାବିଥିଲି। ସାନିଆ ମିର୍ଜା ଜଣେ ବୁଦ୍ଧିମାନ ଝିଅ ହୋଇ ଏପରି ଖରାପ ପୁଅକୁ କିପରି ବିବାହ କଲେ ମୁଁ ବୁଝିପାରୁନି। ମୁଁ ଭାବୁଛି ଶୋଏବ ମଲିକ ଦିନେ ସନା ଜାଭେଦଙ୍କୁ ଛାଡପତ୍ର ଦେବେ ଏବଂ ଏକ୍ସକୁ ବିବାହ କରିବେ। ପରେ ଏକ୍ସକୁ ଛାଡ଼ପତ୍ର ଦେଇ ୱାଇକୁ ବିବାହ କରିବେ। ପୁଣି ୱାଇକୁ ଛାଡ଼ପତ୍ର ଦେଇ ଜେଡକୁ ବିବାହ କରିବେ। ଯଦି ଶୋଏବ ଇସଲାମରେ ବିଶ୍ବାସ କରନ୍ତି, ତେବେ ତାଙ୍କୁ ଛାଡପତ୍ର ଦେବାର କୌଣସି ଆବଶ୍ୟକତା ନାହିଁ। ସେ ଏକା ସାଙ୍ଗରେ ୪ଜଣ ପତ୍ନୀ ରଖିପାରିବେ।"