ଆମ ପାଇଁ ଖରାପ ଦିନ ଥିଲା: ଧୋନି

ଚେନ୍ନାଇ: ମୁମ୍ବାଇ ଇଣ୍ଡିଆନ୍ସଠାରୁ ପ୍ରଥମ କ୍ବାଲିଫାୟରରେ ହାରିବା ପାଇଁ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନିଜ ଦଳର ବ୍ୟାଟ୍ସମ୍ୟାନଙ୍କୁ ଦାୟୀ କରିଛନ୍ତି। ଶୀର୍ଷକ୍ରମ ବିଫଳତା ସହ ସଟ୍ ଚୟନରେ ତ୍ରୁଟି ଚେନ୍ନାଇ ପରାଜୟର ପ୍ରମୁଖ କାରଣ ବୋଲି ଧୋନି ସଙ୍କେତ ଦେଇଛନ୍ତି। ସେ କହିଛନ୍ତି, ମଙ୍ଗଳବାର କୌଣସି କଥା ଆମ ସପକ୍ଷରେ ଯାଇ ନଥିଲା। ଘରୋଇ ପରିବେଶକୁ ଭଲ ଭାବରେ ଜାଣିବା ସତ୍ତ୍ବେ ଆମେ ବ୍ୟାଟିଂରେ ବିଫଳ ‌ହେଲୁ। ୱିକେଟ୍ କେମିତି ବ୍ୟବହାର କରୁଛି ତାକୁ ତଉଲିବା ସବୁବେଳେ ଗୁରୁତ୍ବପୂର୍ଣ୍ଣ। ଘରୋଇ ପରିବେଶରେ ଖେଳିବାର ଏହା ହିଁ ଲାଭ। ହେଲେ ଆମେ ଏ କ୍ଷେତ୍ରରେ ବିଫଳ ହେଲୁ। ଆମେ ବୋଲରଙ୍କୁ ଏକ ଭଲ ସ୍କୋର ଦେଇ ପାରିଲୁ ନାହିଁ। ସେମାନଙ୍କ ପାଖରେ ମୁମ୍ବାଇକୁ ଅଟକାଇବା ଲାଗି ଯଥେଷ୍ଟ ରନ୍ ନଥିଲା। ମୁଁ ଭାବୁଛି ଆମ ବ୍ୟାଟିଂରେ ଯଥେଷ୍ଟ ଉନ୍ନତିର ଆବଶ୍ୟକତା ରହିଛି। ଆମ ପାଇଁ ଏହା ଏକ ଖରାପ ଦିନ ଥିଲା। ବୋର୍ଡରେ ଅଧିକ ରନ୍ ନଥିବାରୁ ମୁମ୍ବାଇର ‌ପ୍ରତ୍ୟେକ ଚୌକା, ଛକା ଆମକୁ ବହୁତ ବାଧିଥିଲା।

ସମ୍ବନ୍ଧିତ ଖବର