ବେଙ୍ଗାଲୁରୁ: ବର୍ଷା ପ୍ରଭାବିତ ବେଙ୍ଗାଲୁରୁ ଟେଷ୍ଟ୍ରେ ଘୋର ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛି ଭାରତୀୟ କ୍ରିକେଟ୍ ଦଳ। ତାରକା ଖଚିତ ବ୍ୟାଟିଂକ୍ରମ ଅଚାନକ ତାସଘର ଭଳି ଭୁଶୁଡ଼ିପଡ଼ିଛି। ଲଜ୍ଜାଜନକ ଭାବେ ମାତ୍ର ୪୬ ରନ୍ରେ ଅଲ୍ଆଉଟ୍ ହୋଇଯାଇଛି ଟିମ୍ ଇଣ୍ଡିଆ। ବାଂଲାଦେଶ ବିପକ୍ଷରେ ଉଭୟ ଟେଷ୍ଟ୍ ଓ ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତି ଏହି ମ୍ୟାଚ୍ ଖେଳିବାକୁ ଆସିଥିବା ଭାରତୀୟ ଦଳର ଏଭଳି ଦୟନୀୟ ତଥା ଅତ୍ୟନ୍ତ ଦୁର୍ବଳ ପ୍ରଦର୍ଶନ ବିଶେଷଜ୍ଞଙ୍କୁ ବିସ୍ମିତ କରିଥିଲା ବେଳେ ପ୍ରଶଂସକଙ୍କୁ ପୂରା ବ୍ୟଥିତ କରିଛି। କୋହଲି, ରୋହିତ, ଋଷଭ, ରାହୁଲ ଏବଂ ବାଂଲାଦେଶ ଶୃଙ୍ଖଳାରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଅଶ୍ବିନଙ୍କ ଭଳି ଧୁରନ୍ଧର ବ୍ୟାଟର୍ଙ୍କ ଲମ୍ବା କ୍ୟାରିୟରର ଅନ୍ୟତମ କଳା ଦାଗ ପାଲଟିଥିବା ଗୁରୁବାରର ଏହି ବ୍ୟାଟିଂ ଏତେ ଖରାପ ଥିଲା ଯେ ଦଳର ୫ଜଣ ବ୍ୟାଟର୍ ଖାତା ଖୋଲି ପାରି ନାହାନ୍ତି। ୮ ଜଣ ଏକ ଅଙ୍କରେ ଅଟକି ଥିଲା ବେଳେ ଋଷଭ ପନ୍ତ ଓ ଯଶସ୍ବୀ ଜୟସ୍ବାଲଙ୍କ ରୂପରେ କେବଳ ଦୁଇ ଜଣ ବ୍ୟାଟର୍ ଦୁଇ ଅଙ୍କ ଛୁଇଁ ପାରିଥିଲେ। ପ୍ରଥମ ଦିନର ଲଗାଣ ବର୍ଷା ଏବଂ ଆଜି ଦ୍ବିତୀୟ ଦିନ ସକାଳର କୋହଲା ପାଗ ଓ ଅତି ଆର୍ଦ୍ରତା ଭରା ପିଚ୍ରେ ନ୍ୟୁଜିଲାଣ୍ଡର ଦୁଇ ପେସର୍ ମ୍ୟାଟ୍ ହେନରି (୫/୧୫) ଏବଂ ନିଜ ପଞ୍ଚମ ଟେଷ୍ଟ୍ ଖେଳୁଥିବା ୱିଲିୟମ୍ ଓ’ରୁରକି (୪/୨୨) ଏମିତି ଭୟଙ୍କର ବୋଲିଂ କରିଥିଲେ ଯେ ଭାରତ ପାଳି ମାତ୍ର ୩୧.୨ ଓଭରରେ ଶେଷ ହୋଇଯାଇଥିଲା। ଫଳରେ ଘରୋଇ ପରିବେଶରେ ଭାରତ ସର୍ମନିମ୍ନ ଏବଂ ମୋଟ ଉପରେ ତୃତୀୟ ସର୍ବନିମ୍ନ ଦଳଗତ ସ୍କୋର୍ କରିବାର ଆଲୋଡ଼ା ରେକର୍ଡ କରି ଲଜ୍ଜିତ ହୋଇଛି। ଏହା ମଧ୍ୟ୍ୟ ଭାରତୀୟ ଉପମହାଦେଶରେ ଗୋଟିଏ ପାଳିରେ କୌଣସି ଦଳର ସବୁଠୁ କମ୍ ଦଳଗତ ସ୍କୋର୍ ହୋଇଛି। ପୂର୍ବରୁ ଏହି ରେକର୍ଡ ୱେଷ୍ଟଇଣ୍ଡିଜ୍ (୫୩ ରନ୍) ନାଁରେ ଥିଲା। ଯାହା ଏହି ଦଳ ୧୯୮୬ ମସିହାରେ ପାକିସ୍ତାନ ବିପକ୍ଷରେ ଫୈସଲାବାଦଠାରେ ହାସଲ କରିଥିଲା।
ଏକ ନମ୍ବର ଭାରତ ୪୬ରେ ଅଲ୍ଆଉଟ୍
ଘରୋଇ ପରିବେଶରେ ସର୍ବନିମ୍ନ ସ୍କୋର୍
୫ ଜଣ ଖାତା ଖୋଲିପାରିଲେନି
ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଲା ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ପରେ ହିଁ ଏଭଳି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଭାରତ। ପୁଣି ପୂରା ପାଳିରେ ଭାରତୀୟ ବ୍ୟାଟର୍ମାନେ ମାତ୍ର ଦୁଇଟି ଚୌକା ମାରିଥିଲେ। ଯାହା ଘରୋଇ ପରିବେଶରେ ବିରଳ କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରଥମ ଦିନର ଖେଳକୁ ବର୍ଷା ଧୋଇନେବା ପରେ ଗୁରୁବାର ଦ୍ବିତୀୟ ଦିନ ଖେଳ ଆରମ୍ଭ ହେବାର ସପ୍ତମ ଓଭରରେ ଅଧିନାୟକ ରୋହିତ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ସେତେବେଳକୁ ଭାରତର ସ୍କୋର୍ ଥିଲା ମାତ୍ର ୯ ରନ୍। ସେହି ସ୍କୋର୍ରେ କୋହଲି ଓ ୧ ରନ୍ ପରେ ସର୍ଫରାଜ ଖାନ୍ ଆଉଟ୍ ହେବା ପରେ ଏହା ତୁରନ୍ତ ୧୩ ରନ୍ରେ ୩ ୱିକେଟ୍ ହୋଇଯାଇଥିଲା। କିଛି ସମୟ ପାଇଁ ବର୍ଷା ଖେଳ ବନ୍ଦ କରିଥିଲେ ମଧ୍ୟ ଭାରତର ୱିକେଟ୍ ପତନ ଧାରା ଅଟକି ନଥିଲା। ଏହାର ମାତ୍ର ଘଣ୍ଟାକ ଭିତରେ ଭାରତ ପାଳି ଶେଷ ହୋଇଯାଇଥିଲା। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡର ସ୍ବପ୍ନର ଦିନରେ ହେନରି ନିଜ କ୍ୟାରିୟରର ଅନ୍ୟତମ ଶ୍ରେଷ୍ଠ ପ୍ରଦର୍ଶନ ଦେବା ସହ ଟେଷ୍ଟ କ୍ରିକେଟ୍ରେ ୧୦୦ ୱିକେଟ୍ର ମାଇଲଖୁଣ୍ଟ ଛୁଇଁଥିଲେ। ସେହିଭଳି ଓପନର ଡେଭନ୍ କନୱେଙ୍କ ୯୧ ରନ୍ ବଳରେ ନ୍ୟୁଜିଲାଣ୍ଡ ଷ୍ଟମ୍ପ୍ସ ବେଳକୁ ମାତ୍ର ୩ ୱିକେଟ୍ ହରାଇ ୧୮୦ ରନ୍ କରିବା ସହ ୧୩୪ ରନ୍ର ଅଗ୍ରଣୀ ହାସଲ କରିଛି। ଭାରତ ଖେଳୁଥିଲା ବେଳେ ଏମ୍ ଚିନ୍ନାସ୍ବମୀ ଷ୍ଟାଡିୟମ୍ ପିଚ୍ ବ୍ୟାଟିଂ ଅତ୍ୟନ୍ତ କଷ୍ଟକର ମନେ ହେଉଥିଲା ବେଳେ ନ୍ୟୁଜିଲାଣ୍ଡ ବ୍ୟାଟର୍ ଅତି ସହଜରେ ରନ୍ କାଢ଼ିବାକୁ ହଜମ କରିବା ଭାରତୀୟ ପ୍ରଶଂସକଙ୍କ ପାଇଁ ସହଜ ହୋଇ ନଥିଲା।
ସଂକ୍ଷିପ୍ତ ସ୍କୋର୍: ଭାରତ ପ୍ରଥମ ପାଳି ୩୧.୨ ଓଭରରେ ୪୬ (ଋଷଭ ପନ୍ତ ୨୦, ଯଶସ୍ବୀ ଜୟସ୍ବାଲ ୧୩, ମ୍ୟାଟ୍ ହେନରି ୫/୧୫, ୱିଲିୟମ୍ ଓ’ରୁର୍କି ୪/୨୨, ଟିମ୍ ସୌଦି ୧/୮। ନ୍ୟୁଜିଲାଣ୍ଡ ପ୍ରଥମ ପାଳି ୫୦ ଓଭରରେ ୧୮୦/୩ (ଡେଭନ୍ କନୱେ ୯୧, ୱିଲ୍ ୟଙ୍ଗ ୩୩, ରାଚିନ ରବୀନ୍ଦ୍ର ୨୨*, ରବୀନ୍ଦ୍ର ଜାଡ଼େଜା ୧/୨୮, ଆର. ଅଶ୍ବିନ ୧/୪୬)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/18/9weEx7GkzdVan8xUs3rL.jpg)