ପ୍ରଶଂସକଙ୍କ ପାଇଁ ଖରାପ ଖବର; ବର୍ଷା ଆଶଙ୍କା

ସାଉଥମ୍ପଟନ୍‌: ଆସନ୍ତା ୧୮ରୁ ଏଠାରେ ଆରମ୍ଭ ହେବାକୁ ଯାଉଥିବା ଡବ୍ଲୁଟିସି ଫାଇନାଲ୍‌ ପୂର୍ବରୁ ପ୍ରଶଂସକଙ୍କ ପାଇଁ ଖରାପ ଖବର ଆସିଛି। ପୂରା ୫ ଦିନଯାକ ପାଣିପାଗ ବିଗିଡ଼ିଯିବାର ଆଶଙ୍କା ଦେଖାଦଇଛି। ପାଣିପାଗ ଅନୁକୁଳ ରହିବନି ଏବଂ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଫଳରେ ଡବ୍ଲୁଟିସି ଫାଇନାଲ୍‌ ବର୍ଷା ଧୋଇନେବାର ଯଥେଷ୍ଟ ଆଶଙ୍କା ରହିଛି। ଏପରିକି ଦୁଇ ଅଧିନାୟକ ୱିଲିୟମ୍‌ସନ୍‌ ଏବଂ କୋହଲିଙ୍କୁ ଡବ୍ଲୁଟିସି ଟ୍ରଫି ବାଣ୍ଟିବାକୁ ପଡ଼ିପାରେ ବୋଲି କୁହାଯାଇଛି।

ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପାନେସାର୍‌ ପାଣିପାଗର ପୂର୍ବାନୁମାନ ସଂପର୍କରେ ପୋଷ୍ଟ କରି ୭୦ରୁ ୮୦ ପ୍ରତିଶତ ବର୍ଷାର ଆଶଙ୍କାକୁ ଦର୍ଶାଇଛନ୍ତି। ଏପରିକି ରିଜର୍ଭ ଦିବସ ୨୩ ତାରିଖରେ ମଧ୍ୟ ପାଣିପାଗ ପ୍ରତିକୁଳ ରହିବ ବୋଲି କହିଛନ୍ତି। ଅନ୍ୟପକ୍ଷରେ ପାଣିପାଗ ଚାନେଲ ଏବଂ ଆକୁୱେଦର ମୁତାବକ ସାଉଥମ୍ପଟନ୍‌ରେ ଜୁନ୍‌ ୧୭ ଓ ୧୮ ତାରିଖରେ ପବନ ଓ ବର୍ଷା ହେବାର ୮୦ ପ୍ରତିଶତ ଆଶଙ୍କା ରହିଛି। ୧୯ ତାରିଖରେ ପାଗ ମେଘୁଆ ରହିବ ଏବଂ ସାମାନ୍ୟ ବର୍ଷା ହୋଇପାରେ। ହେଲେ ପୂରା ୫ ଦିନ ମେଘୁଆ ପାଗ ସହ ବର୍ଷାର ସମ୍ଭାବନାକୁ ଏଡାଇ ଦେଇହେବନାହିଁ। ଫଳରେ ବର୍ଷା ମ୍ୟାଚ୍‌ ସୁରୁଖୁରୁରେ ଚାଲିବା ନେଇ ସମସ୍ୟା ସୃଷ୍ଟି କରିପାରେ। ଏପରିକି ମ୍ୟାଚ୍‌ ପୂର୍ବ ଦୁଇ ଦିନ ମଧ୍ୟ ଅଭ୍ୟାସରେ ବାଧା ସୃଷ୍ଟି କରିପାରେ ବୋଲି ପୂର୍ବାନୁମାନ କରାଯାଇଛି। ବର୍ଷା ଯୋଗୁଁ ପିଚ୍‌ ଓ ଆଉଟ୍‌ଫିଲ୍‌ଡ ମଧ୍ୟ କ୍ଷତିଗ୍ରସ୍ତ ହେବ। ସେଥିପାଇଁ ଉଭୟ ଅଧିନାୟକଙ୍କୁ ଭିନ୍ନ ରଣନୀତି ଆପଣେଇବାକୁ ପଡ଼ିବ।

ଆଉ ଯଦି ପାଣିପାଗର ସବୁ ପୂର୍ବାନୁମାନ ଭୁଲ୍‌ ରହେ ଏବଂ ପାଗ ଶୁଖିଲା ତଥା ନିର୍ମଳ ରହେ ତାହାଲେ ଶେଷ ଦୁଇ ଦିନ ଅତିକମ୍‌ରେ ସ୍ପିନରଙ୍କୁ ପିଚ୍‌ ସହାୟତା ଦେବ। ଏଥିପାଇଁ କୋହଲି ତାଙ୍କର ବିଶ୍ବସ୍ତରୀୟ ଦୁଇ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ଓ ରବୀନ୍ଦ୍ର ଜାଦେଜାଙ୍କୁ ଖେଳାଇବାକୁ ପସନ୍ଦ କରିବେ। ୩ ପେସର୍‌ ଓ ୨ ସ୍ପିନର ରଣନୀତିକୁ ନେଇ ପଡ଼ିଆକୁ ଓହ୍ଲାଇବେ। କିନ୍ତୁ ପବନ ଓ ମେଘୁଆ ପାଗରେ ୪ ଜଣ ପେସର୍‌କୁ ନେଇ ଅଧିକ ଫ‌ାଇଦା ଉଠାଇବାକୁ ଚାହିବେ। ସେ ଦୃଷ୍ଟିରୁ ଯଶ୍‌ପ୍ରିତ୍‌ ବୁମ୍‌ରା, ମହମ୍ମଦ ସାମି, ଈଶାନ୍ତ ଶର୍ମା ଓ ମହମ୍ମଦ ସିରାଜଙ୍କ ଖେଳିବା ନିଶ୍ଚିତ ହୋଇଯିବ।
ଅନ୍ୟପକ୍ଷରେ ଏଭଳି ସ୍ଥିତିରେ ନ୍ୟୁଜିଲାଣ୍ଡ ମଧ୍ୟ ଟ୍ରେଣ୍ଟ ବୋଲ୍‌ଟ, ଟିମ୍‌ ସାଉଦି, କାଇଲ ଜାମିସନ୍‌ ଓ ନିଲ୍‌ ୱାଗ୍‌ନରଙ୍କୁ ଚୂଡାନ୍ତ ଏକାଦଶରେ ରଖି ଭାରତ ଉପରେ ଚାପ ପ୍ରୟୋଗ ପାଇଁ ପ୍ରୟାସ କରିବ।

ସମ୍ବନ୍ଧିତ ଖବର