ଭୁବନେଶ୍ବର : ୩୩ତମ ଜାତୀୟ ଉପକନିଷ୍ଠ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଶ୍ବେତପର୍ଣ୍ଣା ପଣ୍ଡା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଓଡ଼ିଶା ରାଜ୍ୟ ବ୍ୟାଡ୍ମିଣ୍ଟନ୍ ସଂଘ (ଓଏସ୍ବିଏ) ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଭୁବନେଶ୍ବରସ୍ଥିତ ପୂର୍ବତଟ ରେଳବାଇ ଷ୍ଟାଡିୟମରେ ଆୟୋଜିତ ଏହି ପ୍ରତିଯୋଗିତାର ୧୫ ବର୍ଷରୁ କମ୍ ମିଶ୍ରିତ ଯୁଗଳରେ ସେ ଟ୍ରଫି କରାୟତ କରିଛନ୍ତି। ଫଳରେ ଚଳିତ ବର୍ଷ ଜୁଲାଇରେ ସର୍ବଭାରତୀୟ ମାନ୍ୟତା ପ୍ରତିଯୋଗିତାରେ ବିଜୟିନୀ ହୋଇଥିବା ଶ୍ବେତପର୍ଣ୍ଣାଙ୍କ ଏହା ପ୍ରଥମ ଜାତୀୟ ମୁକୁଟ। ରବିବାର ମିଶ୍ରିତ ଯୁଗଳ ଫାଇନାଲ୍ରେ ତେଲେଙ୍ଗାନାର ସାତ୍ବିକ ରେଡ୍ଡୀ କେ’ଙ୍କୁ ସାଥୀ କରି ଖେଳୁଥିବା ଶ୍ବେତପର୍ଣ୍ଣା ୨୧-୧୪, ୨୧-୮ରେ ଛତିଶଗଡ଼-ହରିଆଣା ଯୋଡ଼ି ସମରବୀର ଓ ରିଜୁଲ ସାଇନିଙ୍କୁ ହରାଇଥିଲେ। ତେବେ ଫାଇନାଲ୍ରେ ପହଞ୍ଚିଥିବା ଅନ୍ୟ ଜଣେ ଓଡ଼ିଆ ଆୟୁଷ ପଟ୍ଟନାୟକ ଉପବିଜେତାରେ ସନ୍ତୁଷ୍ଟ ରହିଥିଲେ। ୧୭ ବର୍ଷରୁ କମ୍ ବାଳକ ଯୁଗଳରେ କର୍ଣ୍ଣାଟକର ସୁହାସ ଭି’ଙ୍କୁ ସାଥୀ କରି ଖେଳୁଥିବା ଆୟୁଷ ୧୮-୨୧, ୨୨-୨୪ରେ ରାଜସ୍ଥାନର ହିମାଂଶୁ ଖତନା ଓ ଶୁଭମ ପଟେଲଙ୍କଠୁ ହାରି ଯାଇଥିଲେ।
ଏହି ପ୍ରତିଯୋଗିତାର ୧୫ ବର୍ଷରୁ କମ୍ ବାଳିକା ଏକକରେ ହରିଆଣାର ଅନୁପମା ଉପାଧ୍ୟାୟ, ବାଳକରେ ଆସାମର ତନ୍ମୟ ବିକାଶ ବୋରୁଆ, ବାଳିକା ଯୁଗଳରେ ତାମିଲନାଡ଼ୁର ଜ୍ଞାନଧା କାର୍ତ୍ତିକେୟନ୍-ସାନିଆ ସିକନ୍ଦର, ବାଳକ ଯୁଗଳରେ ରାଜସ୍ଥାନର ଶଙ୍କର ସାରସ୍ବତ-ଭୁବନ ସିଂହ ଟ୍ରଫି କରାୟତ କରିଥିଲେ। ଅନୁପମା ୨୧-୧୭, ୧୫-୨୧, ୨୧-୧୧ରେ ଶୀର୍ଷ ମାନ୍ୟତାପ୍ରାପ୍ତ ମହାରାଷ୍ଟ୍ରର ତାରା ଶାହଙ୍କୁ, ଷଷ୍ଠ ମାନ୍ୟତାପ୍ରାପ୍ତ ତନ୍ମୟ ୨୧-୧୬, ୨୧-୧୮ରେ ଦ୍ବିତୀୟ ମାନ୍ୟତା ପଶ୍ଚିମବଙ୍ଗର ଅଙ୍କିତ ମଣ୍ଡଳଙ୍କୁ, ତୃତୀୟ ମାନ୍ୟତାପ୍ରାପ୍ତ ଜ୍ଞାନଧା-ସାନିଆ ୨୧-୭, ୨୧-୧୫ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ କର୍ଣ୍ଣାଟକ ଯୋଡ଼ି ଗାୟତ୍ରୀ ରାଣୀ ଜୟସ୍ବାଲ-କର୍ନିକା ଶ୍ରୀ’ଙ୍କୁ ଏବଂ ଅଷ୍ଟମ ମାନ୍ୟତାପ୍ରାପ୍ତ ଶଙ୍କର-ଭୁବନ ୨୧-୧୪, ୧୮-୨୧, ୨୧-୮ରେ ଆସାମ-ପଞ୍ଜାବ ଯୋଡ଼ି ତୃତୀୟ ମାନ୍ୟତାପ୍ରାପ୍ତ ଟି ବୋରୁଆ ଓ ଏଲ୍ ଶର୍ମାଙ୍କୁ ପରାସ୍ତ କରିଥିଲେ।
୧୭ ବର୍ଷରୁ କମ୍ ବାଳିକା ଏକକରେ ଉତ୍ତରପ୍ରଦେଶର ମାନସୀ ସିଂହ, ବାଳକରେ ତାମିଲନାଡ଼ୁର ଋତ୍ବିକ ସଞ୍ଜୀଭ ଏସ୍, ବାଳିକା ଯୁଗଳରେ ହରିଆଣାର ଦେବୀକା ସିଂହ ଓ ରିଦ୍ଧି କୌର ତୁର, ମିଶ୍ରିତ ଯୁଗଳରେ କର୍ଣ୍ଣାଟକର ସୁହାସ ଭି ଓ ଜନାନୀ ଅନନ୍ତକୁମାର ସ୍ବର୍ଣ୍ଣ ପଦକ ଜିତିଥିଲେ। ଶୀର୍ଷ ମାନ୍ୟତାପ୍ରାପ୍ତ ମାନସୀ ୨୧-୧୧, ୨୧-୬ରେ ଚତୁର୍ଦଶ ମାନ୍ୟତାପ୍ରାପ୍ତ ମହାରାଷ୍ଟ୍ରର ତାରା ଶାହଙ୍କୁ, ଅଷ୍ଟମ ମାନ୍ୟତାପ୍ରାପ୍ତ ଋତ୍ବିକ ୨୧-୧୫, ୨୧-୧୪ରେ ଷଷ୍ଠ ମାନ୍ୟତାପ୍ରାପ୍ତ ରାଜସ୍ଥାନର ପ୍ରଣୟ କଟ୍ଟାଙ୍କୁ, ଦେବୀକା ଓ ରିଦ୍ଧି ୧୪-୨୧, ୨୧-୧୮, ୨୧-୧୮ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ତାମିଲନାଡ଼ୁର ପ୍ରଣବୀ ଏନ୍ ଓ ସରୁମତୀ ଭିଙ୍କୁ ଏବଂ ଷଷ୍ଠ ମାନ୍ୟତାପ୍ରାପ୍ତ ସୁହାସ ଭି ଓ ଜନାନୀ ୨୩-୨୧, ୨୮-୨୬ରେ ତାମିଲନାଡ଼ୁର ହରିହରନ ଆମସାକାରୁନାନ ଓ ପ୍ରବୀଣା ଏସ୍ଙ୍କୁ ହରାଇ ଥିଲେ।
ଉଦ୍ଯାପନୀ ଉତ୍ସବରେ ଅତିଥିଭାବେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶିଳ୍ପ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର, କ୍ରୀଡ଼ା ସଚିବ ବିଶାଲ ଦେବ, ପ୍ରତିଯୋଗିତାର କନ୍ଭେନର ରାଜେଶ ପ୍ରଭାକର ପାଟିଲ, ଭାରତୀୟ ବ୍ୟାଡ୍ମିଣ୍ଟନ ସଂଘ ମହାସଚିବ ଅଜୟ କୁମାର ସିଙ୍ଘାନିଆ, ଓଏସ୍ବିଏ ସଭାପତି ରୋହିତ ପୂଜାରୀ ଏବଂ ସମ୍ପାଦକ ନିଲୀନ କୁମାର ଉପସ୍ଥିତ ରହି କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବଣ୍ଟନ କରିଥିଲେ।
ଦିଦିଙ୍କ ପ୍ରେରଣାରେ ଟ୍ରଫି ଜିତିଲି: ଶ୍ୱେତପର୍ଣ୍ଣା
ଆଶା କରି ନଥିଲି ଟ୍ରଫି ଜିତିବି ବୋଲି ହେଲେ ନିଜ ମାଟିରେ ପ୍ରଥମ ଜାତୀୟ ଟ୍ରଫି ଜିତିଥିବାରୁ ବହୁତ ଖୁସି ଲାଗୁଛି। ଦିଦି (ଋତୁପର୍ଣ୍ଣା ପଣ୍ଡା)ର ପ୍ରେରଣା ଯୋଗୁଁ ଟ୍ରଫି ଜିତି ପାରିଥିଲି। ସେ କହିଥିଲା ଯିଏବି ସମ୍ମୁଖରେ ରହୁ ଡରିବୁନି। ତା’କଥା ମାନି ଖେଳିଲି ଓ ଜିତିଲି ବୋଲି କହିଛନ୍ତି ଶ୍ବେତପର୍ଣ୍ଣା। ଗତ ଜୁଲାଇରେ ସର୍ବଭାରତୀୟ ମାନ୍ୟତା ପ୍ରତିଯୋଗିତାରେ ଟ୍ରଫି ଜିତି ଶ୍ବେତପର୍ଣ୍ଣା ଜାତୀୟ ପଦାର୍ପଣ କରିଥିଲେ। ଋତୁପର୍ଣ୍ଣାଙ୍କୁ ନିଜର ଆଦର୍ଶ ମାନୁଥିବା ଶ୍ବେତପର୍ଣ୍ଣା କୌଣସି ବଡ଼ ପ୍ରଶିକ୍ଷକ ନୁହେଁ ନିଜ ବାପା ରାମଚନ୍ଦ୍ର ପଣ୍ଡାଙ୍କଠୁ ପ୍ରଶିକ୍ଷଣ ନେଉଛନ୍ତି।
ଶେଷ ସମୟ ଭୁଲ୍ ପାଇଁ ହାରିଲି: ଆୟୁଷ
ଆରମ୍ଭରୁ ଆମେ ଆଗରେ ରହିଥିଲୁ। ହେଲେ ଶେଷ ସମୟ ଭୁଲ୍ ପାଇଁ ଉପବିଜେତାରେ ସନ୍ତୁଷ୍ଟ ରହିଥିଲି। ମୋର ସାଥୀ ସୁହାସ ଭଲ ଖେଳିଥିଲା। ମୋର କିଛି ଭୁଲ୍ ରହିଗଲା ବୋଲି ଭାବୁଛି। ଇମ୍ଫାଲରେ ଅନୁଷ୍ଠିତ ଗତ ଜାତୀୟ ପ୍ରତିଯୋଗିତାରେ ମଧ୍ୟ ଏହି ସମାନ ଭୁଲ୍ ପାଇଁ ଟ୍ରଫି ହାତଛଡ଼ା କରିଥିଲୁ। ଆଗକୁ ଏଥିରେ ସୁଧାର ଆଣିବାକୁ ଚେଷ୍ଟା କରିବି ବୋଲି କହିଛନ୍ତି ଆୟୁଷ।