ସିନ୍ଧୁଙ୍କୁ କ୍ଷମା ମାଗିଲା ବ୍ୟାଡମିଣ୍ଟନ୍ ଏସିଆ

କ୍ବାଲା‌ଲମ୍ପୁର: ବ୍ୟାଡମିଣ୍ଟନ୍ ଏସିଆ ଚାମ୍ପିଅନସିପ୍ (ବିଏସି) ଅବସରରେ ରେଫରି କରିଥିବା ଭୁଲ ପାଇଁ ବ୍ୟାଡମିଣ୍ଟନ୍ ଏସିଆ ବୈଷୟିକ ସମିତି ଅଧ୍ୟକ୍ଷ ଚି ଶେନ୍ ଚେନ୍ ଭାରତୀୟ ତାରକା ପିଭି ସିନ୍ଧୁଙ୍କୁ ମଙ୍ଗଳବାର କ୍ଷମା ମାଗିଛନ୍ତି। ଏହି ପ୍ରତିଯୋଗିତାର ସେମିଫାଇନାଲ୍‌ରେ ସିନ୍ଧୁ ପ୍ରଥମ ସେଟ୍ ଜିତି ଦ୍ବିତୀୟରେ ୧୪-୧୧ରେ ଆଗୁଆ ଥିଲା ବେଳେ ରେଫରି ତାଙ୍କୁ ଦୁଇଟି ସର୍ଭିସ୍ ମଧ୍ୟରେ ମାତ୍ରାଧିକ ସମୟ ନେଉଥିବା ଅଭିଯୋଗରେ ଏକ ପେନାଲ୍ଟି ପଏଣ୍ଟ ପ୍ରଦାନ କରିଥିଲେ। ସିନ୍ଧୁ ବିରୋଧ କରିଥିଲେ ମଧ୍ୟ ରେଫରି କିଛି ଶୁଣି ନଥିଲେ। ଶେଷରେ ରେଫରିଙ୍କ ଏହି ନିଷ୍ପତ୍ତି ପାଇଁ ସିନ୍ଧୁ ଏକାଗ୍ରତା ହରାଇବା ସହ ସେମିଫାଇନାଲ୍‌ରେ ୨୧-୧୩, ୧୯-୨୧ ଓ ୧୬-୨୧ରେ ପରାସ୍ତ ହୋଇ କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ।

ଏବେ ରେଫରିଙ୍କ ସେହି ନିଷ୍ପତ୍ତି ପୂରା ଭୁଲ ଥିଲା ବୋଲି ବ୍ୟାଡମିଣ୍ଟନ୍ ଏସିଆ ବୈଷୟିକ ସମିତି ସ୍ବୀକାର କରିଛି। ତା’ ସହ ଭବିଷ୍ୟତରେ ଯେମିତି ଏଭଳି ଭୁଲ ନହୁଏ, ସେ ଦିଗରେ ଧ୍ୟାନ ଦେବ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଛି। ‘‘ଦୁର୍ଭାଗ୍ୟଜନକ ଭା‌ବେ ଏବେ ଏଥିନେଇ ଆଉ କିଛି କରି ହେବନି। ତେବେ ଏଭଳି ମାନବୀୟ ଭୁଲର ଯେମିତି ପୁନରାବୃତ୍ତି ନହୁଏ, ‌ସେଥିଲାଗି ଆବଶ୍ୟକ ପଦକ୍ଷେପ ଆମେ ନେଇଛୁ। ଏହି ଅସୁବିଧା ଲାଗି ଆମେ ଆପଣଙ୍କୁ (ସିନ୍ଧୁଙ୍କୁ) କ୍ଷମା ମାଗୁଛୁ। ଏହି କ୍ଷମା ପ୍ରାର୍ଥନାକୁ ଆପଣ ଗ୍ରହଣ କରିବେ ବୋଲି ଆଶା କରୁଛୁ।’’ ବୋଲି ମଙ୍ଗଳବାର ଜାରି କରିଥିବା ପ୍ରେସ୍ ବିଜ୍ଞପ୍ତିରେ ଚେନ୍ କହିଛନ୍ତି।

ସମ୍ବନ୍ଧିତ ଖବର