କଳିଙ୍ଗ ଷ୍ଟାଡିୟମ୍‌ରେ ବିଶ୍ବସ୍ତରୀୟ ବ୍ୟାଡମିଣ୍ଟନ୍ ହାଇପର୍ଫର୍ମାନ୍ସ ସେଣ୍ଟର, ୪୫ କୋଟି ଟଙ୍କା ବିନିଯୋଗରେ ହେବ ୮ କୋର୍ଟ ବିଶିଷ୍ଟ କ୍ୟାମ୍ପ

ଭୂମିପୂଜା ସରିଲା, ୪୦ ଖେଳାଳି ଓ ୮ ‌କୋଚ୍ ରହିବାର ବ୍ୟବସ୍ଥା

ଭୁବନେଶ୍ବର: ଭାରତର କ୍ରୀଡ଼ା ରାଜଧାନୀ ମାନ୍ୟତା ଲାଭ କରିଥିବା ଭୁବନେଶ୍ବରରେ ବିଶ୍ବସ୍ତରୀୟ ବ୍ୟାଡ୍‌ମିଣ୍ଟନ୍ ହାଇପର୍ଫର୍ମାନ୍ସ ସେଣ୍ଟର ସ୍ଥାପିତ ହେବ। ଫଳରେ ହକି, ଦୌଡ଼କୁଦ ଓ ଫୁଟବଲ୍ ପରେ ପୂର୍ବ ଭାରତର କ୍ରୀଡ଼ା ପ୍ରାଣକେନ୍ଦ୍ର ଭୁବନେଶ୍ବର ବ୍ୟାଡମିଣ୍ଟନ୍ ହବ୍ ଭାବେ ମଧ୍ୟ ପରିଚିତ ହେବ। ଏହି କ୍ରମରେ ରବିବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମଠାରେ ସ୍ଥାପିତ ହେବାକୁ ଥିବା ଏହି ହାଇପର୍ଫର୍ମାନ୍ସ ସେଣ୍ଟରର ଭୂମି ପୂଜନ ହୋଇଯାଇଛି। ସେଣ୍ଟର ଓଡ଼ିଶା ସରକାର, ଡାଲିମିଆ ଭାରତ ଗ୍ରୁପ୍‌ର ସହଯୋଗୀ ସଂସ୍ଥା ଡାଲମିଆ ସି‌ମେଣ୍ଟ ଏବଂ ଜାତୀୟ ବ୍ୟାଡମିଣ୍ଟନ୍ ଦଳର ମୁଖ୍ୟ ପ୍ରଶିକ୍ଷକ ପୁଲେଲା ଗୋପୀଚାନ୍ଦଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ଷମ ହେବ। ୪୫ କୋଟି ଟଙ୍କା ବିନିଯୋଗରେ ସ୍ଥାପିତ ହେବାକୁ ଥିବା‌ ଏହି ବିଶ୍ବସ୍ତରୀୟ ବ୍ୟାଡମିଣ୍ଟନ୍ କେନ୍ଦ୍ରରେ ୮ଟି କୋର୍ଟ ରହିବ। ଏଠାରେ ଅନ୍ତେବାସୀମାନଙ୍କୁ ସମସ୍ତ ପ୍ରକାର ଅନ୍ତର୍ଜାତୀୟ ସ୍ତରୀୟ ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ସେହିଭଳି କ୍ୟାମ୍ପସ୍ ଭିତରେ ୪୦ ଜଣ ଖେଳାଳି (୨୦ ପୁରୁଷ, ୨୦ ମହିଳା)ଙ୍କ ପାଇଁ ରହିବା ଓ ଖାଇବାର ବ୍ୟବସ୍ଥା କରାଯିବ। ପାଖାପାଖି ୫୦୦ ଦର୍ଶକ ବସିବା ଭଳି ଗ୍ୟାଲେରି ମଧ୍ୟ ନିର୍ମାଣ କରାଯିବ। ଫଳରେ ଭବିଷ୍ୟତରେ ଏଠାରେ ଜାତୀୟ ଓ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ମଧ୍ୟ ଆୟୋଜନ ହୋଇପାରିବ। ଓଡ଼ିଶା ତଥା ଭାରତକୁ ଆଗାମୀ ସମୟରେ କ୍ରୀଡ଼ା ମହାଶକ୍ତି ଭାବେ ଗଢ଼ି ତୋଳିବାର ଲକ୍ଷ୍ୟ ନେଇ ଏହି ହାଇପର୍ଫର୍ମାନ୍ସ ସେଣ୍ଟର ସ୍ଥାପନ କରାଯାଉଛି।

ଜାତୀୟ ଓ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଆୟୋଜନ ପାଇଁ ଉପଯୁକ୍ତ

”ଭାରତୀୟ କ୍ରୀଡ଼ା ଦୃଶ୍ୟପଟ୍ଟ ଏବେ ପରିବର୍ତ୍ତନଶୀଳ ଏବଂ ଏହା ଏକ ସ୍ବାଗତଯୋଗ୍ୟ କଥା। କ୍ରୀଡ଼ାକୁ ପୂର୍ଣ୍ଣକାଳୀନ ପେସା ଭାବେ ଗ୍ରହଣ କରିବାକୁ ଲୋକମାନେ ଆଗେଇ ଆସିବା ମଧ୍ୟ ଖୁସୀର କଥା। ଏହା ଦ୍ବାରା ବିଭିନ୍ନ ପ୍ରକାର କ୍ରୀଡ଼ାର ପଡ଼ିଆ ଭିତର ପ୍ରଦର୍ଶନରେ ଉନ୍ନତି ପରିଲକ୍ଷିତ ହେଉଛି। ଦେଶର ସାମଗ୍ରିକ ବିକାଶ ପାଇଁ ପ୍ରତିବଦ୍ଧ ଥିବା ଏକ କର୍ପୋରେଟ୍ ସଂସ୍ଥା ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଅନ୍ତର୍ଜାତୀୟ ଦୃଶ୍ୟପଟ୍ଟରେ ସ୍ଥାପିତ କରିବା ଲାଗି ରଖିଥିବା ଲକ୍ଷ୍ୟ ସହ ଯୋଡ଼ି ହୋଇଥିବାରୁ ଆମେ ଗର୍ବିତ ବୋଲି ଡାଲମିଆ ଭାରତ ପକ୍ଷରୁ କୁହାଯାଇଛି। କଂପାନି ମଧ୍ୟ ଜାତୀୟ ପ୍ରଶିକ୍ଷକ ପୁଲେଲା ଗୋପୀଚାନ୍ଦଙ୍କୁ ଧନ୍ୟବାଦ ଦେଇଛି।

ହାଇପର୍ଫର୍ମାନ୍ସ ସେଣ୍ଟରର କୋଠାର କଂକ୍ରିଟ ଢାଞ୍ଚା କାଚ ସିଲିଣ୍ଡର ଉପରେ ଏକ ସଟଲ୍ କକ୍ ରଖା ଯାଇଥିଲା ଭଳି ଦେଖାଯିବ। ଯାହା ଭାସମାନ କକ୍‌ର ଭ୍ରମ ସୃଷ୍ଟି କରିବ। ସଂଧ୍ୟା ସମୟରେ ଆଲୋକମାଳା ବିଛୁରିତ ହେବା ସମୟରେ ଏହା ଏକ ସଂପୂର୍ଣ୍ଣ ସଟଲ୍ କକ୍ ଭଳି ଦେଖାଯିବ। ଏସପିଡି କନଷ୍ଟ୍ରକସନ୍ ଏହାର ନିର୍ମାଣ ଦାୟିତ୍ବ ନେଇଛି। ଏବଂ ଡିଜାଇନକୁ ଆର୍କୋହମ୍ କନସଲଟ୍ ପ୍ରାଇଭେଟ୍ ଲିମିଟେଡ୍ ପ୍ରସ୍ତୁତ କରିଛି। ନିର୍ମାଣ ସରିବା ପରେ ଓଡ଼ିଶା ବ୍ୟାଡମିଣ୍ଟନ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର