ବ୍ୟାଡ୍‌ମିଣ୍ଟନରୁ ୪ ପଦକ ନିଶ୍ଚିତ

ସିନ୍ଧୁ, ସାଇନା, ଶ୍ରୀକାନ୍ତ, ଓ ସାତ୍ତ୍ୱିକ୍‌ ରାଙ୍କିରେଡୀ-ଚିରାଗ ସେଟ୍ଟୀ ଫାଇନାଲ୍‌ରେ

ଗୋଲ୍‌ଡ କୋଷ୍ଟ: ଗୋଲ୍‌ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ବ୍ୟାଡ୍‌ମିଣ୍ଟନ ତାରକାଙ୍କ କମାଲ୍‌ ଦେଖିବାକୁ ମିଳିଛି। ଉଭୟ ମହିଳା ଓ ପୁରୁଷ ଏକକ ଫାଇନାଲ୍‌ରେ ପିଭି ସିନ୍ଧୁ, ସାଇନା ନେହ୍ଵାଲ ଓ କିଦାମ୍ବି ଶ୍ରୀକାନ୍ତଙ୍କ ସହିତ ପୁରୁଷ ଯୁଗଳରେ ସାତ୍ତ୍ୱିକ୍‌ ରାଙ୍କିରେଡୀ-ଚିରାଗ ସେଟ୍ଟୀ ପ୍ରବେଶ କରିଥିବାରୁ ଏହି ପଦକ ନିଶ୍ଚିତ ହୋଇଯାଇଛି। ରବିବାର ଏକାଦଶ ତଥା ଅନ୍ତିମ ଦିବସରେ ମହିଳା ଏକକ ସ୍ୱର୍ଣ୍ଣ ମୁକାବିଲାରେ ଉଭୟ ସିନ୍ଧୁ ଓ ସାଇନା ମୁହାଁମୁହିଁ ହେବାକୁ ଯାଉଥିବାରୁ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଭାରତକୁ ଆସିବ। ସେହିପରି ପୁରୁଷ ଏକକ ଫାଇନାଲ୍‌ରେ ଶ୍ରୀକାନ୍ତଙ୍କ ମୁକାବିଲା ମାଲେସିଆର ଲି ଚୋଙ୍ଗ୍‌ ଓ୍ଵି’ଙ୍କ ସହ ହେବାକୁ ଥିବାରୁ ଅତି କମ୍‌ରେ ରୌପ୍ୟ ଭାରତ ଖାତାରେ ଯୋଡ଼ିହେବ। ସେହିପରି ପୁରୁଷ ଯୁଗଳରେ ସାତ୍ତ୍ୱିକ୍‌ ରାଙ୍କିରେଡୀ ଓ ଚିରାଗ ସେଟ୍ଟୀ ଯୋଡ଼ି ମଧ୍ୟ ସ୍ୱର୍ଣ୍ଣ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିବାରୁ ଗୋଟିଏ ପଦକ ନିଶ୍ଚିତ ହୋଇଯାଇଛି। ଶୁକ୍ରବାର ଦଶମ ଦିନରେ ମହିଳା ଏକକ ସେମିଫାଇନାଲ୍‌ରେ ସିନ୍ଧୁ ୨୧-୧୮, ୨୧-୧୮ରେ ପୂର୍ବ ବିଜୟିନୀ ମିଚେଲି ଲି’ଙ୍କୁ ଏବଂ ସାଇନା ୨୧-୧୪, ୧୮-୨୧ ଓ ୨୧-୧୭ରେ ୨୦୧୪ ରୌପ୍ୟ ବିଜୟିନୀ କ୍ରିଷ୍ଟି ଗିଲ୍‌ମୋରଙ୍କୁ ପରାସ୍ତ କରିଥିଲା ବେଳେ ପୁରୁଷ ଏକକ ସେମିଫାଇନାଲ୍‌ରେ ଶ୍ରୀକାନ୍ତ ୨୧-୧୦, ୨୧-୧୭ରେ ୨୦୧୦ ରାଜ୍ୟଗୋଷ୍ଠୀ ରୌପ୍ୟ ବିଜେତା ଇଂଲଣ୍ଡର ରାଜୀବ ଓସେଫ୍‌ଙ୍କୁ ପରାସ୍ତ କରିଥିଲେ। ତେବେ ଏଚ୍‌ଏସ୍‌ ପ୍ରଣୟ ଅନ୍ୟ ପୁରୁଷ ଏକକ ସେମିଫାଇନାଲ୍‌ରେ ତିନି ଥର ଅଲିମ୍ପିକ୍‌ ରୌପ୍ୟ ବିଜେତା ମାଲେସିଆର ଲି ଚୋଙ୍ଗ୍‌ ଓ୍ଵି’ଙ୍କ ନିକଟରୁ ୧୬-୨୧, ୨୧-୯ ଓ ୧୪-୨୧ରେ ହାରିବା ପରେ କାଂସ୍ୟ ମୁକାବିଲାରେ ରାଜୀବ ଓସେଫ୍‌ଙ୍କଠୁ ୨୧-୧୭, ୨୩-୨୫ ଓ ୯-୨୧ରେ ପରାସ୍ତ ହୋଇଥିଲେ। ସେହିପରି ମିଶ୍ରିତ ଯୁଗଳ କାଂସ୍ୟ ମୁକାବିଲାରେ ଅଶ୍ୱିନୀ ପୋନାପ୍ପା-ସାତ୍ତ୍ୱିକ୍‌ ରାଙ୍କିରେଡୀ ୧୯-୨୧, ୧୯-୨୧ରେ ମାଲେସିଆ ଯୋଡ଼ି ପେଙ୍ଗ୍‌ ସୁନ୍‌ ଚାନ୍‌ ଓ ଲିଉ ୟିଙ୍ଗ୍‌ ଗୋହଙ୍କ ନିକଟରୁ ହାରିବାରୁ ଭାରତ ଦୁଇଟି ପଦକ ହାତଛଡ଼ା କରିଥିଲା।

ସମ୍ବନ୍ଧିତ ଖବର