ଦୁବାଇ: ବୁଧବାରଠୁ ଏଠାରେ ଆରମ୍ଭ ହୋଇଛି ଏସିଆ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତା। ଗତ ସଂସ୍କରଣରେ କାଂସ୍ୟ ଜିତିଥିବା ପିଭି ସିନ୍ଧୁଙ୍କ ସହିତ କିଦାମ୍ବି ଶ୍ରୀକାନ୍ତ ଓ ଏଚ୍ଏସ୍ ପ୍ରଣୟ ଏକକରେ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ବେଳେ ପୁରୁଷ ଏକକରେ ଲକ୍ଷ୍ୟ ସେନ୍ ପ୍ରଥମ ରାଉଣ୍ଡ ହାରି ବିଦାୟ ନେଇଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ଲକ୍ଷ୍ୟ ପୂର୍ବତନ ବିଶ୍ବ ବିଜେତା ସିଙ୍ଗାପୁର ତାରକା ଲୋହ କିନ୍ ୟିଉଙ୍କଠାରୁ ୭-୨୧ ଓ ୨୧-୨୩ରେ ପରାସ୍ତ ହୋଇଥିଲେ। ଅନ୍ୟପକ୍ଷରେ ଶ୍ରୀକାନ୍ତ ବାହାରିନ୍ ପ୍ରତିଦ୍ବନ୍ଦ୍ବୀ ଅଦ୍ନାନ ଇବ୍ରାହିମ୍ଙ୍କୁ ୨୧-୧୩ ଓ ୨୧-୧୮ରେ ଏବଂ ପ୍ରଣୟ ୨୧-୧୪, ୨୧-୯ରେ ମିଆଁମାରର ନାଇଙ୍ଗ ଫୋନ୍ ପାଇଙ୍କୁ ହରାଇ ଦ୍ବିତୀୟ ରାଉଣ୍ଡରେ ପହଞ୍ଚି ଯାଇଛନ୍ତି। ସେହିପରି ସିନ୍ଧୁ ମହିଳା ଏକକ ପ୍ରଥମ ରାଉଣ୍ଡରେ ଚାଇନିଜ୍ ତାଇପେ ପ୍ରତିଦ୍ବନ୍ଦ୍ବୀ ସୁ ୱେନ୍ ଚି’ଙ୍କୁ ୨୧-୧୫ ଓ ୨୨-୨୦ରେ ପରାସ୍ତ କରି ଦ୍ବିତୀୟ ରାଉଣ୍ଡରେ ସ୍ଥାନ ସୁରକ୍ଷିତ କରିଛନ୍ତି।
ହେଲେ ମାଲ୍ବିକା ବନ୍ସୁଦ ଏବଂ ଆକର୍ଷି କାଶ୍ୟପଙ୍କୁ ଆରମ୍ଭରୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଅନ୍ୟ ଭାରତୀୟଙ୍କ ମଧ୍ୟରେ ତ୍ରିଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ଇଣ୍ଡୋନେସିଆ ଯୋଡ଼ି ଲାନି ତ୍ରିଆ ମାୟାସାରି ଓ ରିବ୍କା ସୁଗିଆର୍ତୋଙ୍କୁ ୧୭-୨୧, ୨୧-୧୭ ଓ ୨୧-୧୮ରେ ପରାସ୍ତ କରି ମହିଳା ଯୁଗଳ ପ୍ରିକ୍ବାର୍ଟର ଫାଇନାଲ୍ରେ ପହଞ୍ଚିଛନ୍ତି। ତେବେ ଅଶ୍ବିନୀ ଭଟ-ଶିଖା ଗୌତମ ହାରି ବିଦାୟ ନେଇଛନ୍ତି। ପୁରୁଷ ଯୁଗଳରେ କୃଷ୍ରପ୍ରସାଦ ଗାରଗା-ବିଷ୍ଣୁବର୍ଦ୍ଧନ ଗୌଡ଼ ପାଞ୍ଜଲା, ପିଏସ୍ ରବିକୃଷ୍ଣ-ଶଙ୍କର ପ୍ରସାଦ ଉଦୟକୁମାର ଏବଂ ଏମ୍ଆର୍ ଅର୍ଜୁନ-ଧ୍ରୁବ କପିଳ ଯୋଡ଼ି ପରାଜୟ ବରଣ କରିଛନ୍ତି। ପୁରୁଷ ଯୁଗଳ ଯୋଡ଼ି ସାତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ପ୍ରଥମ ରାଉଣ୍ଡରେ ୨୧-୧୪, ୨୧-୧୭ରେ ମାଲେସିଆ ଯୋଡ଼ି ମେଙ୍ଗ ଟାନ୍ କ୍ୟାନ ଓ ୱି କିଙ୍ଗ୍ ଟାନ୍ଙ୍କୁ ଏବଂ ରୋହନ କାପୁର ଓ ସିକ୍କି ରେଡ୍ଡୀ ଯୋଡ଼ି ମିଶ୍ରିତ ଯୁଗଳ ପ୍ରଥମ ରାଉଣ୍ଡରେ ମାଲେସିଆ ଯୋଡ଼ି ଚାନ୍ ପେଙ୍ଗ୍ ସୁନ୍ ଓ ଚିହ ୟି ସି’ଙ୍କୁ ୨୧-୧୨ ଓ ୨୧-୧୬ରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଛନ୍ତି।