ବ୍ୟାଡ୍‌ମିଣ୍ଟନ୍‌ ମହାନ୍‌ ଡାନ୍‌ଙ୍କ ଅବସର

ସାଙ୍ଘାଇ: ସର୍ବକାଳୀନ ମହାନ ବ୍ୟାଡ୍‌ମିଣ୍ଟନ୍ ଖେଳାଳିର ମାନ୍ୟତା ପାଉଥିବା ଚୀନ୍‌ର ୨ ଥର ଅଲିମ୍ପିକ୍ ବିଜେତା ଲିନ୍‌ ଡାନ୍‌ ଶନିବାର ୩୬ ବର୍ଷ ବୟସରେ ଅବସର ଘୋଷଣା କରିଛନ୍ତି। ଫଳରେ ଅଲିମ୍ପିକ୍‌ରେ ତୃତୀୟ ସ୍ବର୍ଣ୍ଣ ପଦକ ଦୌଡ଼ରୁ ଲିନ୍ ଡାନ୍‌ ବଞ୍ଚିତ ରହିବେ। ୨୦୦୮ ବେଜିଂ ଏବଂ ୨୦୧୨ ଲଣ୍ଡନ୍ ଅଲିମ୍ପିକ୍ସରେ କ୍ରମାଗତ ସ୍ବର୍ଣ୍ଣ ପଦକ ଜିତିଥିବା ଡାନ୍‌ ୨୦୨୧ ଟୋକିଓ ଅଲିମ୍ପିକ୍ସରେ ଭାଗ‌ ନେବେ ନାହିଁ। ତାଙ୍କ ମାଲେସୀୟ ପ୍ରତିଦ୍ବନ୍ଦ୍ବୀ ତଥା ଅନ୍ୟତମ ମହାନ ଖେଳାଳି ଲି ଚୋଙ୍ଗ ୱି’ଙ୍କ ଅବସରର ଗୋଟିଏ ବର୍ଷ ପରେ ଲିନ୍ ଡାନ୍‌ ଅନୁରୂପ ଘୋଷଣା କରିଛନ୍ତି। ଗୋଟିଏ ଦଶନ୍ଧିରୁ ଊର୍ଧ୍ବ ସମୟ ଧରି ଏହି ଦୁଇ ଖେଳାଳି ବିଶ୍ବ ବ୍ୟାଡମିଣ୍ଟନ୍‌ରେ ପ୍ରାଧାନ୍ୟ ବିସ୍ତାର କରିଥିଲେ।

ଚୀନ୍‌ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ବ୍ୟତିକ୍ରମ ଭାବେ ଏକାଧିକ ଟାଟୁ କରିଥିବା ଲି ଡାନ୍‌ ଯୁବାବସ୍ଥାରେ ‘ବ୍ୟାଡ୍‌ ବୟ’ର କୁଖ୍ୟାତି ଅର୍ଜନ କରିଥିଲେ। କିନ୍ତୁ ବ୍ୟାଡମିଣ୍ଟନ୍ ତାଙ୍କୁ ସୁଖ୍ୟାତି ଆଣିଦେଇଥିଲା।‌ ମୋଟ ୬୬୬ ମ୍ୟାଚ୍‌ ବିଜୟ ଓ ୬୬ ଟ୍ରଫି ସହିତ ବିଦାୟ ନେଇଛନ୍ତି ଏହି ମହାନ ବାମହାତୀ ଖେଳାଳି। ‘ଉତ୍‌ଥାନ ଓ ପତନ ସମୟରେ ମୋ ସହିତ ପରିବାର, ପ୍ରଶିକ୍ଷକ, ଦଳୀୟ ସାଥୀ ଓ ପ୍ରଶଂସକମାନେ ରହିଥିଲେ’ ବୋଲି ଲିନ୍‌ ଡାନ୍ ୱି‌ବୋ (ଚୀନ୍‌ର ଟ୍ବିଟର୍‌ ଭଳି ଆପ୍‌) କରିବା ମାତ୍ରେ ଏହା ଭାଇରାଲ୍ ହେବାରେ ଲାଗିଥିଲା। ‘ବିଜୟ ପାଇଁ ପ୍ରତିଟି ଲମ୍ଫ ବାଧ୍ୟବାଧକତା ଥିଲା, ମୁଁ ଭଲ ପାଉଥିବା ଏହି ଖେଳକୁ ସବୁକିଛି ସମର୍ପି ଦେଉଛି। ‘ଦୟାକରି ବିଶ୍ବାସ କରନ୍ତୁ ହସ, କାନ୍ଦ ଏବଂ ସମସ୍ତ ଅଭୁଲା ପ୍ରତିଶ୍ରୁତିକୁ ଡାଏରୀରେ‌‌ ଲେଖିଛି, ଆପଣମାନଙ୍କ ପାଇଁ ମୁଁ ଗର୍ବିତ’ ବୋଲି ଉଲ୍ଲେଖ କରିଥିଲେ ଲିନ ଡାନ୍‌। ‘ମୁଁ ଜାଣିଥିଲି ଏହି ଦିନ ଆସିବ, ଜୀବନର ସବୁଠୁ ଓଜନିଆ ମୁହୂର୍ତ, ଆପଣ ରାଜା ଥିଲେ..’ ବୋଲି ଲେଖିଥିଲେ ଅନ୍ୟତମ ବ୍ୟାଡମିଣ୍ଟନ୍ କିଂବଦନ୍ତି ଲି ଚୋଙ୍ଗ ୱି। ଲିନ୍‌ଙ୍କୁ ସବୁବେଳେ ‘ମୋ ମହାନ ପ୍ରତିଦ୍ବନ୍ଦ୍ବୀ’ ଆଖ୍ୟା‌ ଦେଇ ଆସୁଥିଲେ ଲି।

ନିଜ ଖେଳ ଜୀବନର ଶିଖରରେ ଥିବା ବେଳେ ଲିନ୍‌ ‘ସୁପର୍‌ ଡାନ୍‌’ ଭାବେ ପରିଚିତ ଥିଲେ। ବୟସ ବଢ଼ିବା ସାଙ୍ଗକୁ ଆହତ ସମସ୍ୟା କାରଣରୁ ତାଙ୍କ‌ ଖେଳ ଜୀବନ କାଣ୍ଟଛାଣ୍ଟ ହୋଇଥିଲେ ମଧ୍ୟ ୨ ଥର ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବ୍ୟତୀତ ସେ ୫ ଥର ବିଶ୍ବ ବିଜେତା ଏବଂ ଲମ୍ବା ସମୟ ପାଇଁ ବିଶ୍ବର ଏକ ନମ୍ବର ଖେଳାଳି ମାନ୍ୟତାକୁ ଧରି ରଖିଥିଲେ। ଗତବର୍ଷ ସେ ବହୁ ପ୍ରତିଯୋଗିତାରେ ପ୍ରଥମ ରାଉଣ୍ଡରୁ ବିଦାୟ ନେବା ସତ୍ତ୍ବେ ଟୋକିଓ ଅଲିମ୍ପିକ୍ସରେ ଖେଳିବାକୁ ଅଭିଳାଷ ରଖିଥିଲେ। ୧୯ ନମ୍ବର ମାନ୍ୟତା ଓ ଅଲିମ୍ପିକ୍ସ ଘୁଞ୍ଚିବା ପରେ ଡାନ୍ ଅବସର ନେବା ଛଡ଼ା‌ ବିକଳ୍ପ ପାଇନଥିଲେ। ୨୦୧୬ ରିଓ ଅଲିମ୍ପିକ୍ସ ସେମିଫାଇନାଲରେ ସେ ଲି’ଙ୍କଠାରୁ ଅପ୍ରତ୍ୟାଶିତ ଭାବେ ହାରିଥିଲେ। ଯାହାକି ବଡ଼ ପ୍ରତିଯୋଗିତାରେ ଲି’ଙ୍କ ପାଇଁ ବିରଳ ଥିଲା। ଲିନ୍‌ଙ୍କ ଅବସର ଖବରକୁ ୱିବୋରେ ୫୧୦ ଲକ୍ଷ ଲୋକ ପଢ଼ି ସାରିଥିବା ବେଳେ ପ୍ରଶଂସାରେ ପୋତି ପକାଇଛନ୍ତି। ପୂର୍ବତନ ଚୀନ୍‌ ଖେଳାଳି ବାଓ ଚୁନଲାଇ କିନ୍ତୁ ଅବସର ଘୋଷଣାରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଭବିଷ୍ୟତ ଉନ୍ନତ ହେବ ବୋଲି କହିଥିଲେ ଚୁନଲାଇ। ଲିନ୍‌ଙ୍କ ପତ୍ନୀ ପୂର୍ବତନ ବିଶ୍ବ ବିଜୟିନୀ ଜି ଜିଙ୍ଗଫାଙ୍ଗ୍‌ ଅନ୍‌ଲାଇନ୍‌ରେ ଲେଖିଛନ୍ତି, ‘ଆମେ ଏକାଠି ୨୦ ବର୍ଷ ଚାଲି ଆସିଛୁ..ଆଗକୁ ଏହା ଜାରି ରହିବ। ଏଣିକି କଠିନ ପରିଶ୍ରମ କରାଯାଉ। ଲିନ୍‌ଙ୍କ ଖ୍ୟାତିକୁ ୨୦୧୬ରେ କଡ଼ା ସମାଲୋଚନା କରାଯାଇଥିଲା। ପତ୍ନୀ ଜିଙ୍ଗଫାଙ୍ଗ ଗର୍ଭବତୀ ଥିବା ବେଳେ ଲିନ୍‌ ଜଣେ ମଡେଲ୍‌ ସହିତ ଅତିରିକ୍ତ ସମ୍ପର୍କ ରଖିଥିବା ଜଣାପଡ଼ିଥିଲା। ଏଥି ପାଇଁ ଲିନ୍‌ଙ୍କୁ କ୍ଷମା ମାଗିବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର