ଭୁବନେଶ୍ବର : ବାହାରିନର ମାନମାରେ ଚାଲିଥିବା ବାହାରିନ ପାରା ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ଦଳରୁ ପ୍ରତିନିଧିତ୍ବ କରିଥିବା ଦୁଇ ଓଡ଼ିଶା ଖେଳାଳି ପ୍ରମୋଦ ଭଗତ ଓ ଦିଲେଶ୍ବର ରାଓ କ୍ବାର୍ଟରଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ପ୍ରମୋଦ ୩ଟି ବର୍ଗ (ପୁରୁଷ ଏକକ, ଯୁଗଳ ଓ ମିଶ୍ରିତ ଯୁଗଳ) ଏବଂ ଦିଲେଶ୍ବର ୨ଟି (ପୁରୁଷ ଏକକ ଓ ଯୁଗଳ) ବର୍ଗରେ ଏହି ସଫଳତା ପାଇଛନ୍ତି। ଶନିବାର ଏକକ ପ୍ରିକ୍ବାର୍ଟରରେ ପ୍ରମୋଦ ୨୧-୯, ୨୧-୮ରେ ଇଣ୍ଡୋନେସିଆର ଦ୍ବିୟୋକୋଙ୍କୁ ହରାଇଥିଲେ। ‌ସେହିଭଳି ପୁରୁଷ ଯୁଗଳରେ ପ୍ରମୋଦ ଓ ତାଙ୍କ ସାଥୀ ସୁକାନ୍ତ କଦମ ନିଜର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଇରାକର ଅଲି ଆଲାସାଦି ଓ ଅଶ୍ରଫ ହାସନଙ୍କୁ ୨୧-୨, ୨୧-୨ରେ ମାତ୍‌ ଦେଇ ସିଧାସଳଖ କ୍ବାର୍ଟରଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ।

Advertisment

ମିଶ୍ରିତ ଯୁଗଳ ପ୍ରିକ୍ବାର୍ଟରଫାଇନାଲ୍‌ରେ ପ୍ରମୋଦ ଓ ମନୀଷା ରାମଦାସ ୨୦-୨୨, ୨୧-୧୪, ୨୨-୨୦ରେ ଫ୍ରାନ୍ସର ମାଥିଉ ଥୋମାସ ଓ ମାଉଦ ଲେଫର୍ଟଙ୍କୁ ପରାସ୍ତ କରିଥିଲେ। ‌ଦିଲେଶ୍ବର ପୁରୁଷ ଏକକ ପ୍ରିକ୍ବାର୍ଟରରେ ୨୧-୭, ୨୧-୧୨ରେ ନିଜ ଦେଶର ବିକ୍ରମ କୁମାରଙ୍କୁ ହରାଇଥିଲେ। ପୁରୁଷ ଯୁଗଳର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଯୋଡ଼ି ଦୀପ ଓ ମନୋଜ ସରକାର ୨୧-୧୩, ୧୭-୨୧, ୧୩-୨୧ରେ ଇଣ୍ଡୋନେସିଆର ଦ୍ବିୟୋକୋ ଓ ଫ୍ରେଡି ସେତିଆୱାନଙ୍କଠୁ ହାରି ଯାଇଥିଲେ। ପୂର୍ବରୁ ଦୁଇଟି ଗ୍ରୁପ୍‌ ମ୍ୟାଚ୍‌ ଭଲ ବ୍ୟବଧାନରେ ଜିତିଥିବାରୁ କ୍ବାର୍ଟରଫାଇନାଲ୍‌ ଟିକେଟ୍‌ କରାୟତ୍ତ କରିଥିଲେ।