ଭାରତୀୟ କନିଷ୍ଠ ବ୍ୟାଡ୍‌ମିଣ୍ଟନ ଦଳରେ ଓଡ଼ିଆ ଝିଅ ଶ୍ବେତପର୍ଣ୍ଣା

କଟକ : ଇଣ୍ତୋନେସିଆର ଇଷ୍ଟ ଜାଭାରେ ଡିସେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ୧୫ ଓ ୧୭ ବର୍ଷରୁ କମ୍‌ ଏସୀୟ କନିଷ୍ଠ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ଘୋଷିତ ୫୨ ଜଣିଆ ଭାରତୀୟ ଦଳରେ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ଶ୍ବେତପର୍ଣ୍ଣା ପଣ୍ତା ସ୍ଥାନ ପାଇଛନ୍ତି। ୧୫ ବର୍ଷରୁ କମ୍‌ ବିଭାଗର ମିଶ୍ରିତ ଯୁଗଳରେ ସେ ପ୍ରତିଦ୍ବନ୍ଦିତା କରିବେ। ତେଲେଙ୍ଗାନାର ସାତ୍ବିକ ରେଡୀ କେ ତାଙ୍କ ସାଥୀ ରହିବେ।

ଶ୍ବେତପର୍ଣ୍ଣା ହେଉଛନ୍ତି ଓଡ଼ିଶାର ପ୍ରଥମ ମହିଳା ଆନ୍ତର୍ଜାତିକ ବ୍ୟାଡମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ତାଙ୍କ ସାନ ଭଉଣୀ। ଚାଉଳିଆଗଞ୍ଜ ଅପାଣିଆରେ ରହୁଥିବା ଶ୍ବେତପର୍ଣ୍ଣା ଏବେ ନୂଆବଜାର ହାଇସ୍କୁଲ୍‌ର ଦଶମ ଶ୍ରେଣୀ ଛାତ୍ରୀ। ବଡ଼ ଭଉଣୀ ପରେ ସେ ଓଡ଼ିଶାରୁ ଦ୍ବିତୀୟ ଖେଳାଳି ଭାବେ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବାକୁ ଯାଉଥିବାରୁ ବହୁତ ଉତ୍ସାହିତ ଥିବା ପ୍ରତିକ୍ରିୟା ଦେଇଛନ୍ତି। ଦିଦି (ଋତୁପର୍ଣ୍ଣା)ଙ୍କଠୁ ପ୍ରେରଣା ପାଇ ବ୍ୟାଡ୍‌ମିଣ୍ଟନ ପ୍ରତି ଆଗ୍ରହ ବଢିଥିଲା। ଫକିରପଡ଼ାଠାରେ ବାପା ରାମଚନ୍ଦ୍ର ପଣ୍ତା ଖୋଲିଥିବା ଛୋଟ ଇଣ୍ତୋର ହଲ୍‌ରେ ସେ ନିୟମିତ ଅଭ୍ୟାସ କରୁଛନ୍ତି। ବାପାଙ୍କ ପ୍ରଶିକ୍ଷଣରେ ସେ ଅଭ୍ୟାସ କରିବା ସହ ଗତ ଜୁଲାଇରେ ଇମ୍ଫାଲ ଏବଂ ଗୌହାଟୀରେ ଅନୁଷ୍ଠିତ ସର୍ବଭାରତୀୟ ମାନ୍ୟତା ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଶ୍ବେତପର୍ଣ୍ଣା ଓ ସାତ୍ବିକଙ୍କ ଯୋଡ଼ି ଶୀର୍ଷରେ ରହିଥିଲେ। ଏବେ ଦୁଇ ଝିଅ ଭାରତକୁ ପ୍ରତିନିଧିତ୍ବ କରିବାକୁ ଯାଉଥିବାରୁ ବାପା ରାମଚନ୍ଦ୍ର ମଧ୍ୟ ନିଜକୁ ଗର୍ବିତ ଅନୁଭବ କରିଛନ୍ତି। ନେହା (ଋତୁପର୍ଣ୍ଣା) ଏବେ ହାଇଦ୍ରାବାଦରେ ଅଭ୍ୟାସ କରୁଛି। ସ୍ନେହା (ଶ୍ବେତପର୍ଣ୍ଣା)କୁ ଏବେ ଆଉ କିଛି ଦିନ ଅଭ୍ୟାସ କରାଇବା ପରେ ଉଚ୍ଚସ୍ତରର ପ୍ରଶିକ୍ଷଣ ପାଇଁ ହାଇଦ୍ରାବାଦ ପଠାଇବାକୁ ବାପା ରାମଚନ୍ଦ୍ର ଚିନ୍ତା କରୁଛନ୍ତି। ସ୍ନେହା ପାଖରେ ଯେଉଁ ପ୍ରତିଭା ଅଛି, ତାହାକୁ ଏବେଠାରୁ ଠିକ୍‌ ବାଟରେ ବିନିଯୋଗ କରାଗଲେ ଆଗକୁ ଭାରତର ବଡ଼ ଖେଳାଳି ହୋଇ ବାହାରିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ରାମଚନ୍ଦ୍ର କହିଛନ୍ତି। ସୂଚନାଯୋଗ୍ୟ, ଶ୍ବେତପର୍ଣ୍ଣାଙ୍କ ବଡ଼ ଭଉଣୀ ଋତୁପର୍ଣ୍ଣା ୨୦୧୭ରେ ୧୯ ବର୍ଷରୁ କମ୍‌ ବିଭାଗରେ ଏସୀୟ ପ୍ରତିଯୋଗିତାରେ ଅ˚ଶଗ୍ରହଣ କରିଥିଲେ। ୨୦୧୮ ପରଠୁ ଭାରତୀୟ ବରିଷ୍ଠ ଦଳର ନିୟମିତ ସଦସ୍ୟ ଭାବେ ବିଭିନ୍ନ ପ୍ରତିଯୋଗିତାରେ ଖେଳିଆସୁଛନ୍ତି।

ସମ୍ବନ୍ଧିତ ଖବର