ନ୍ୟୁୟର୍କ: ଅନ୍ତର୍ଜାତୀୟ ମହାକାଶକେନ୍ଦ୍ର ‘ରସ୍କସ୍ମସ୍’ ଭିତରେ ଏହାର ଚାଳକ ଦଳ ବ୍ୟାଡମିଣ୍ଟନ୍ ମ୍ୟାଚ୍ ଖେଳୁଥିବାର ଭିଡିଓ ଚିତ୍ର ଏବେ ବେଶ୍ ଲୋକପ୍ରିୟ ହେବାରେ ଲାଗିଛି। ମହାକାଶରେ ଅବସ୍ଥାପିତ ରୁଷିଆ ସରକାରଙ୍କ ଏହି ମହାକାଶକେନ୍ଦ୍ର ଭିତରେ କୌଣସି ମାଧ୍ୟାକର୍ଷଣ ଶକ୍ତି ନଥିବାରୁ ଚାଳକ ଦଳର ସଦସ୍ୟମାନେ ଉଡ଼ି ଉଡ଼ି ଏବଂ ୩୬୦ ଡିଗ୍ରିରେ ବୁଲି ବୁଲି ଚପ୍ସ ଏବଂ ସ୍ମାସ୍ ମାରୁଥିବାର ଦୃଶ୍ୟ ବେଶ୍ ମଜାଦାର ହୋଇଛି। ଏହି ମ୍ୟାଚ୍ ବେଳେ ବ୍ୟାଡ୍ମିଣ୍ଟନ୍ କୋର୍ଟରେ ଲାଗୁଥିବା ଜାଲର ବ୍ୟବହାର କରାଯାଇ ନଥିଲା।
ଏଥିରେ କେବଳ ରୁଷିଆ ନୁହେଁ ଆମେରିକା ଏବଂ ଜାପାନର ମହାକାଶଚାରୀମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ। ଚାରିଜଣ ମହାକାଶଚାରୀ ଦୁଇଟି ଗ୍ରୁପରେ ବିଭକ୍ତ ହୋଇ ମ୍ୟାଚ୍ ଖେଳିଥିଲେ। ପ୍ରଥମ ସେଟରେ ରୁଷିଆ ଯୋଡ଼ି ମିସୁରକିନ ଏବଂ ଆଣ୍ଟନ ସାକାପ୍ଲେରୋଭ ଆମେରିକା ଏବଂ ଜାପାନ ଯୋଡ଼ି ମାର୍କ ଭାନ୍ଦେ ହେ ଓ ନୋରିସିଗେ କନାଇଙ୍କ ମୁକାବିଲା କରିଥିଲେ। ଦ୍ୱିତୀୟ ସେଟ୍ରେ ଭାନ୍ଦେ ହେ’ଙ୍କ ସ୍ଥାନରେ ଯୋସେଫ ଆକବା ଖେଳିଥିଲେ। ମ୍ୟାଚ୍କୁ କିଏ ଜିତିଥିଲେ ତାହା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ମହାକାଶଚାରୀମାନେ ଏହାର ମନଭରି ଉପଯୋଗ କରିଥିଲେ।